ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ବଦଳିଛନ୍ତି। ରଘୁବର ଦାସ ତାଙ୍କ ପଦବିରୁ ଇସ୍ତଫା ଦେଇଛନ୍ତି। ମିଜୋରାମର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ରଘୁବର ଦାସଙ୍କୁ ବଦଳାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହି ଅତର୍କିତ ନିଷ୍ପତ୍ତି କ୍ଷମତା କରିଡର୍ରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ରାଜ୍ୟପାଳ ରଘୁବର ଦାସଙ୍କୁ ଇସ୍ତଫା ଦେବା ପାଇଁ ଗତକାଲି ସନ୍ଧ୍ୟାରୁ କେନ୍ଦ୍ରରୁ ଜଣାଇ ଦିଆଯାଇଥିଲା। ଫଳରେ ଶ୍ରୀ ଦାସ ତାଙ୍କର ଝାଡ଼ଖଣ୍ଡ ଗସ୍ତ ବାତିଲ କରିଦେଇଥିଲେ। ଆଜି ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଥିଲେ। ରାଷ୍ଟ୍ରପତି ତାହାକୁ ଗ୍ରହଣ କରିଥିଲେ। ରଘୁବରଙ୍କୁ ବଦଳାଇବା ପାଇଁ ବିଜେପିର କେନ୍ଦ୍ର ସ୍ତରରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ରାଜ୍ୟ ବିଜେପିର ନେତାମାନେ ସାମାନ୍ୟ ସୁରାକ ପାଇ ନଥିଲେ। କେବଳ ଦୁଇ ତିନି ଜଣଙ୍କୁ ବାଦ୍ ଦେଲେ ଏ ସମ୍ପର୍କରେ କେହି ଜାଣି ନଥିଲେ। ଶେଷରେ ଆଜି ରାତିରେ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୨୦୨୩ ଅକ୍ଟୋବର ମାସରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। ଦାୟିତ୍ବ ନେଲା ପରେ ସେ ବେଶ୍ ସକ୍ରିୟ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ। ଫଳରେ ତତ୍କାଳୀନ ବିଜେଡି ସରକାର ଅଡ଼ୁଆରେ ପଡ଼ିଯାଉଥିଲେ। କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲା ପରେ ଏକାଧିକ କାରଣ ପାଇଁ ରଘୁବର ବିବାଦୀୟ ହୋଇପଡ଼ିଥିଲେ। ରଥଯାତ୍ରା ସମୟରେ ତାଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ପୁରୀ ରାଜଭବନରେ ମାଡ଼ ମାରିଥିବାର ଅଭିଯୋଗ ଆସିଥିଲା। ଏହି ଘଟଣାରେ ରାଜ୍ୟ ସରକାର ବି ଅଡ଼ୁଆରେ ପଡ଼ିଯାଇଥିଲେ। ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ତାଙ୍କ ପୁଅ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି ପୁଲିସ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।
ନିକଟରେ ଆଉ ଏକ ଘଟଣା ରାଜ୍ୟ ସରକାରଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଗତ ବିଧାନସଭା ଅଧିବେଶନରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିସାରିଥିଲା। କିନ୍ତୁ ବିଧାନସଭାରେ ବିଲ୍ ଆସିପାରିଲାନି। ଏହି ବିଲ୍ରେ କେତୋଟି ଦିଗ ଉପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆପତ୍ତି ଉଠାଇଥିବା ଚର୍ଚ୍ଚା ହୋଇଥିଲା। ଏଥିରେ ରାଜ୍ୟପାଳ ତଥା କୁଳାଧିପତିଙ୍କ କ୍ଷମତା ସଙ୍କୁଚିତ କରାଯାଇଥିବା କୁହାଯାଇଥିଲା। ବିରୋଧୀ ମଧ୍ୟ ବିଧାନସଭାରେ ଏହି ଆଶଙ୍କା ପ୍ରକଟ କରିଥିଲେ। ଶାସକ ଦଳ ପକ୍ଷରୁ ଏହାକୁ ଅସ୍ବୀକାର କରାଯାଇଥିଲେ ବି ଘଟଣା ପଛରେ ସତ୍ୟତା ଥିବାର ଜଣାପଡ଼ିଥିଲା। କେବଳ ଏହି ଦୁଇଟି ଘଟଣା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏପରି କଠୋର ନିଷ୍ପତ୍ତି ନେଲେ ନା ଏହା ପଛରେ ଆଉ କିଛି ଠୋସ୍ କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡ ନିର୍ବାଚନରେ ନିଜେ ରଘୁବର ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। କିନ୍ତୁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏଥିରେ ସହମତି ପ୍ରକାଶ କରି ନଥିଲେ। ଫଳରେ ତାଙ୍କ ବୋହୂ ବିଜେପିରୁ ପ୍ରାର୍ଥୀ ହେବା ସହ ବିଜୟୀ ହୋଇଥିଲେ। ତେବେ ଝାଡ଼ଖଣ୍ଡରେ ବିଜେପି କ୍ଷମତା ଦଖଲ କରିବାକୁ ସମର୍ଥ ହୋଇ ନଥିଲା। ବିଜେପିର ଗୋଷ୍ଠୀକନ୍ଦଳ ପାଇଁ ଦଳ ସେଠାରେ ହାରିଲା ବୋଲି ଏକ ସର୍ଭେ ରିପୋର୍ଟ ବିଜେପି କେନ୍ଦ୍ରୀୟ ନେତୃତ୍ବ ପାଖରେ ପହଞ୍ଚିଛି। ଏହି ଗୋଷ୍ଠୀକନ୍ଦଳରେ ରଘୁବରଙ୍କ ଗୋଷ୍ଠୀ ମଧ୍ୟ ସାମିଲ ବୋଲି ଝାଡ଼ଖଣ୍ଡରେ ଚର୍ଚ୍ଚା ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/vQTS0ebcS1TAVQgbyd0R.jpg)