ଏତେ ଅନୁକମ୍ପା କାହିଁକି? ଲାଭ ନେବ ଓସିଏ, ସରକାରଙ୍କ ଖର୍ଚ୍ଚ ୨କୋଟି

ବାଲିଯାତ୍ରା ତଳ ପଡ଼ିଆରେ ବାଲି ଉପରେ ମାଟି ପକାଇବାକୁ ଟେଣ୍ଡର୍‌

କଟକ : ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଏହି ମ୍ୟାଚ୍ ଆୟୋଜନ ଦାୟିତ୍ବ ସଂପୂର୍ଣ୍ଣ ଭାବେ ଓଡ଼ିଶା କ୍ରିକେଟ ଆସୋସିଏନ ଉପରେ ନ୍ୟସ୍ତ। ଲାଭକ୍ଷତି ସବୁ ଓସିଏର। ଆଇନଶୃଙ୍ଖଳା ବ୍ୟବସ୍ଥା ଅବଶ୍ୟ ପୁଲିସ-ପ୍ରଶାସନ ହାତରେ ଥାଏ। କିନ୍ତୁ ଭିତ୍ତିଭୂମି ପ୍ରସ୍ତୁତି ଦାୟିତ୍ବ ଓସିଏରେ ହୋଇଥିବା ବେଳେ ଏବେ ଓସିଏ ପାଇଁ ସରକାର ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଣ୍ଟା ଭିଡ଼ିବାର ରହସ୍ୟକୁ ନେଇ ପ୍ରଶ୍ନ ଉଠିଛି।

ବାରବାଟୀ ମ୍ୟାଚ୍ ପାଇଁ ତଳ ବାଲିଯାତ୍ରା ପଡିଆରେ ୪ଟି ପାର୍କିଂ ଜୋନ୍‌ ଯୋଜନା କରାଯାଇଛି। ଏବଂ ପଡ଼ିଆରେ ବାଲି ଉପରେ ମାଟି ପକାଇ ତାହାକୁ ପାର୍କିଂ ଉପଯୋଗୀ କରିବାକୁ ସରକାର ୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଆର ଆଣ୍ଡ୍ ବି ଡିଭିଜନ-୧ ପକ୍ଷରୁ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତାକାଲି ଏହି ଟେଣ୍ଡର ଖୋଲିବାକୁ ଯାଉଛି। ଜୁନ୍ ୧୨ ତାରିଖ ସୁଦ୍ଧା କାମ ସରିବ ଏବଂ ତଳ ବାଲିଯାତ୍ରା ପଡିଆର ବାଲି ଉପରେ ମାଟି-ଗୋଡି ପକାଇ ସିଙ୍ଗଲ କଭର ସିଷ୍ଟମ ବା ପାର୍କିଂ କାମ ସାରିବାକୁ ଟେଣ୍ଡରରେ ଉଲ୍ଲେଖ ଅଛି। କିନ୍ତୁ ଏଥିରେ ଖର୍ଚ୍ଚ ହେଉଥିବା ଅର୍ଥ ଓସିଏ ବହନ କରିବ କି ନାହିଁ ତାର ନିର୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ।

ଟେଣ୍ଡର ସୂଚନା ଅନୁଯାୟୀ ତଳ ବାଲିଯାତ୍ର ପଡିଆ ପାର୍କିଂ ଏରିଆ ପି-୧ (ବାଲିଯାତ୍ରା ପଡିଆ ଫାଟକ ବାମ ପାର୍ଶ୍ବ) ପାଇଁ ୪୪ ଲକ୍ଷ ୫୯ ହଜାର ୯୨୦ ଟଙ୍କା, ତଳ ବାଲିଯାତ୍ରା ପଡିଆ ପାର୍କିଂ-୨ (ନଦୀ ପାର୍ଶ୍ବ) ପାଇଁ ୪୪ ଲକ୍ଷ ୬୧ ହଜାର ୯୭୭ ଟଙ୍କା, ପ୍ରବେଶ ପଥ ଫାଟକର ଡାହାଣ ପାର୍ଶ୍ବ ପାର୍କିଂ ବା ପି-୩ ପାଇଁ ୪୪ ଲକ୍ଷ ୬୫ ହଜାର ୮୬୪ ଟଙ୍କା, ଡାହାଣ ପାର୍ଶ୍ବ ନଦୀ ପଟ ପାର୍କିଂ -୪ ପାଇଁ ୪୩ ଲକ୍ଷ ୧୧ ହଜାର ୩୫୩ ଟଙ୍କା ବ୍ୟୟର ଟେଣ୍ଡର ଆହ୍ବାନ କରାଯାଇଛି। ଓଡ଼ିଶା କ୍ରିକେଟ ଅସୋସିଏସନ୍ ଏକ ଲାଭଜନକ ସଂସ୍ଥା ହୋଇଥିବା ବେଳେ ବାରବାଟୀ ମ୍ୟାଚର ପାର୍କିଂ ବ୍ୟବସ୍ଥା ପାଇଁ ସରକାର କେଉଁ ପରିସ୍ଥିତିରେ ୨ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି ତାହା ‌ଏବେ ସନ୍ଦେହର କାରଣ ହୋଇଛି।

ସମ୍ବନ୍ଧିତ ଖବର