ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଏତେ ଅବହେଳା କାହିଁକି? ଅନୁମତି ନ ନେଇ ନିଷିଦ୍ଧାଞ୍ଚଳ ଖୋଳିଦେଲେ

କାହିଁକି ନିରବ ପ୍ରତ୍ନତତ୍ତ୍ବ ବିଭାଗ, ଡିଜି ଗସ୍ତ ପରଠୁ କାହାରି ପାଦ ପଡ଼ୁନି

ପୁରୀ : ଶ୍ରୀମନ୍ଦିର ବିଶ୍ବର ଅଗଣିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ। ତଥାପି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରକୁ ଆଜି ଚରମ ଅବହେଳା ପ୍ରଦର୍ଶନ କରାଯାଉଛି। ମନଇଚ୍ଛା ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଜେସିବି, ଏସ୍କାଭେଟର ଲଗାଇ ବଡ଼ ବଡ଼ ଖନନ କରାଯାଉଛି। ଯାହାର ତୀବ୍ର କମ୍ପନ ଶ୍ରୀମନ୍ଦିର ପ୍ରତି ବିପଦ ବଢ଼ାଇବାରେ ଲାଗିଛି। ହେଲେ ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ଚୁପ୍‌ ହୋଇବସିଛି।
ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କଠାରୁ ବାହାବା ନେବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌କୁ ପୂର୍ଣ୍ଣ ସହଯୋଗ କରି ଆସୁଛି। ତରବରିଆ ଭାବେ ଏହି ନିର୍ମାଣ କାର୍ଯ୍ୟକୁ ପୂର୍ଣ୍ଣରୂପ ଦେବାକୁ ଦିନରାତି ଖନନ ଓ ନିର୍ମାଣ କାମ ଚାଲିଛି। ସେପଟେ ଏହି ପ୍ରକଳ୍ପ ଆଇନ ବିରୋଧୀ ବୋଲି ଦାବି କରୁଥିବା ପ୍ରତ୍ନତତ୍ତ୍ବ ବିଭାଗ ନିରବ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କେବଳ ଚିଠି କରି ଚୁପ୍‌ ହୋଇ ବସିପଡ଼ିଛି ପ୍ରତ୍ନତତ୍ତ୍ବ ବିଭାଗ। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜିଙ୍କ ଗସ୍ତ ପରଠାରୁ ଓଡ଼ିଶା ଦାୟିତ୍ବରେ ଥିବା ପ୍ରତ୍ନତତ୍ତ୍ବ ବିଭାଗ ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ କି ବିଭାଗର ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିନାହାନ୍ତି। ଏହାର କୌଣସି ପ୍ରତିବାଦ ତଥା ପ୍ରତିକାରମୂଳକ ପଦକ୍ଷେପ ନେଇନାହାନ୍ତି। ଏଭଳି ବିବାଦ ଓ ଟଣାଓଟରା ଭିତରେ ଶ୍ରୀମନ୍ଦିର ସୁରକ୍ଷାକୁ ସମ୍ପୂର୍ଣ୍ଣ ଅବହେଳା କରି ଦିଆଯାଇଛି।

କିଛିଦିନ ତଳେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାବତୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ଐତିହ୍ୟ କରିଡର ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ଖନନକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ୧୦୦ ମିଟର ପରିଧି ଭିତରେ ଏଭଳି ଖନନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀଙ୍କ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ବି ଓବିସିସି ଅଧୀନରେ କାମ କରୁଥିବା ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଖନନ କାର୍ଯ୍ୟ ଜାରି ରଖିଛି। ଓଲଟା ଖନନକୁ ଜୋରଦାର କରାଯାଇଛି। ପଶ୍ଚିମଦ୍ବାର ପରେ ଏବେ ଦକ୍ଷିଣଦ୍ବାର ଓ ପୂର୍ବ-ଦକ୍ଷିଣଦ୍ବାର କୋଣ ଖନନକୁ ବ୍ୟାପକ କରାଯାଇଛି। ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇ କଂକ୍ରିଟ୍‌ ନିର୍ମାଣ କରାଯାଉଛି। ଏହି ଖନନ ଶ୍ରୀମନ୍ଦିରଠାରୁ ମାତ୍ର ୨୦ରୁ ୨୫ ଫୁଟ ଦୂରରେ କରାଯାଇଥିବାବେଳେ ଯେଉଁଭଳି ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଉଛି, ତାହା ମାଟିର ଶୃଙ୍ଖଳ ଭାଙ୍ଗିବା ସହ ଶ୍ରୀମନ୍ଦିାକୁ କ୍ଷତି ପହଞ୍ଚାଇବା ଆଶଙ୍କା ସୃଷ୍ଟି କରିଛି। ଏହାକୁ ଭକ୍ତ, ସେବାୟତ, ଜନସାଧାରଣ ଦୃଢ଼ ବିରୋଧ କରୁଥିଲେ ବି ମନମୁଖୀ କାର୍ଯ୍ୟ ଚଳାଇଛି ଠିକା ସଂସ୍ଥା। ଆଉ ଏଥିରେ ପ୍ରଛନ୍ନ ସହଯୋଗ କରୁଛି ଜିଲ୍ଲା ପ୍ରଶାସନ।

ସେପଟେ ଗତକାଲି କେତେକ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟ ତଥା ଅଧୀକ୍ଷକ ଅରୁଣ ମଲ୍ଲିକ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ନେଇ ଅନେକ ସଙ୍ଗିନ ଅଭିଯୋଗ ଆଣିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ନିର୍ମାଣ ନିଷିଦ୍ଧ ଥିବାବେଳେ ବାକି ୨ଶହ ମିଟର ପରିଧିରେ ନିର୍ମାଣ ହୋଇପାରିବ, କିନ୍ତୁ ଅନୁମତିପୂର୍ବକ ବୋଲି ଯୁକ୍ତି ବାଢ଼ିଥିଲେ। ଶ୍ରୀ ମଲ୍ଲିକ ଆଜି କିନ୍ତୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଇଛନ୍ତି। ସମ୍ବାଦ ପକ୍ଷରୁ ଶ୍ରୀ ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଐତିହ୍ୟ କରିଡର ପ୍ରକଳ୍ପ ସମ୍ପର୍କରେ ସେ କିଛି କହିପାରିବନି, ଦୟାକରି କିଛି ପଚାରନ୍ତୁନି ବୋଲି ସିଧାଳସଳଖ କହିଛନ୍ତି। ଗତକାଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିବା ଶ୍ରୀ ମଲ୍ଲିକଙ୍କ ସ୍ବର ଆଜି ନିରବ ହୋଇଯିବା ସାଧାରଣରେ ବି ସନ୍ଦେହ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର