ଐତିହ୍ୟ କ୍ୟାବିନେଟ୍‌ ରହିବ କାହିଁକି?

ଅଧିକାଂଶ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ତତ୍ପରତା ନାହିଁ

ନା ହେଲା ଐତିହ୍ୟ ନୀତି ନା ସୃଷ୍ଟି ହେଲା ଲାଇବ୍ରେରି ନିର୍ଦ୍ଦେଶାଳୟ
ଭାଷା, ସଂସ୍କୃତି, ଐତିହ୍ୟ ପ୍ରତି ନକାରାତ୍ମକ ଆଭିମୁଖ୍ୟ କାହିଁକି?

ଭୁବନେଶ୍ବର, (ଚୌଧୁରୀ ଅମିତାଭ ଦାସ) : ୨୦୧୮ ଜୁଲାଇ ୨୭। ନବଗଠିତ ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ବସିଲା। ଏକ ନମ୍ବର ନିଷ୍ପତ୍ତି, ସତ୍ୟବାଦୀରେ ୨୫ ଏକର ଜାଗାରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ। ନିଷ୍ପତ୍ତି ନମ୍ବର ଦୁଇ, ରାଜ୍ୟର କଳା, ସଂସ୍କୃତି ଓ ଓଡ଼ିଆ ଭାଷାର ବିକାଶ ପାଇଁ ପ୍ରଣୟନ ହେବ ସ୍ବତନ୍ତ୍ର ସଂସ୍କୃତି ଓ ଐତିହ୍ୟ ନୀତି। ନିଷ୍ପତ୍ତି ନମ୍ବର ତିନି, ରାଜ୍ୟରେ ସବୁ ସର୍ବସାଧାରଣ ପାଠାଗାରର ପରିଚାଳନା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ‘ଲାଇବ୍ରେରି ନିର୍ଦ୍ଦେଶାଳୟ’ ସୃଷ୍ଟି ହେବ। ନିଷ୍ପତ୍ତି ନମ୍ବର ଚାରି, କଟକର ଆନନ୍ଦ ଭବନର ସୁପରିଚାଳନା ପାଇଁ କର୍ପସ୍‌ ଫଣ୍ଡ୍‌ ବ୍ୟବସ୍ଥା ହେବ।

ଏହା ମଧ୍ୟରେ ବିତିଛି ୨ ବର୍ଷ ୧୦ ମାସ। ଚାରିଟି ନିଷ୍ପତ୍ତିରୁ ଗୋଟିଏ ବି କାର୍ଯ୍ୟକାରୀ ହେଲାନି। କେବେ ହେବ, ଉତ୍ତର କାହା ପାଖରେ ନାହିଁ। ସରକାରଙ୍କ ବହୁଳ ପ୍ରଚାରିତ ଐତିହ୍ୟ କ୍ୟାବିନେଟ୍‌ର ଏମିତି ବିକଳ ସ୍ଥିତି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସୁଥିଲେ ବି ଏହି କ୍ୟାବିନେଟ୍‌କୁ ଅପ୍ରାସଙ୍ଗିକ ଓ ଗୁରୁତ୍ବହୀନ କରିଦିଆଯାଇଛି। ବିଭାଗ ସ୍ତରରେ ଏହାକୁ ନେଇ ଆଦୌ କାହାରି ତତ୍ପରତା ନାହିଁ। ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେଇ ଏକ ଉଚ୍ଚତ୍ତର ସୋପାନକୁ ନେବା ପାଇଁ ୨୦୧୭ ମସିହା ଡିସେମ୍ବର ମାସରେ ପୁରୀରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ‘ଐତିହ୍ୟ କ୍ୟାବିନେଟ୍‌’ ପାଇଁ ନିଷ୍ପତ୍ତି ହୋଇଥିଲା। ସେତେବେଳେ ଏମିତି ପ୍ରଚାର, ପ୍ରସାର କରାଗଲା ଯେ ଲାଗୁଥିଲା ଏଥର ଓଡ଼ିଶାରେ ଏକ ସାଂସ୍କୃତିକ ବିପ୍ଳବ ଆରମ୍ଭ ହେଲା। କିନ୍ତୁ ଭାଷା, ସଂସ୍କୃତି ପ୍ରତି ପ୍ରଶାସନିକ ଆଭିମୁଖ୍ୟ ଏତେ ନକରାତ୍ମକ ରହୁଛି ଯେ ଏ ସଂକ୍ରାନ୍ତୀୟ କୌଣସି କାର୍ଯ୍ୟର ଆଖିଦୃଶିଆ ଫଳ ମିଳିପାରୁ ନାହିଁ। ଭାଷା, ସଂସ୍କୃତି, ଐତିହ୍ୟ ସହ ଲୋକଙ୍କ ଭାବପ୍ରବଣତା ଜଡ଼ିତ ବୋଲି କ୍ଷମତାରେ ଥିବା ଲୋକମାନେ ବୁଝିବାକୁ ଅସମର୍ଥ ହୋଇପଡ଼ିଛନ୍ତି। ଭାଷା, ସଂସ୍କୃତିକୁ ନେଇ ଯେତେ ଯେତେ ଖେଳ ସମ୍ଭବ, ତାହା ଖେଳି ଚାଲିଛନ୍ତି।

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେବାର ତିନି ମାସ ପରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଯାଇ ଶିଳାନ୍ୟାସ କରିଥିଲେ। ଓଡ଼ିଆ ଭାଷା ପାଇଁ ଏକ ବିପ୍ଳବ ଆରମ୍ଭ ହେଲା ବୋଲି କୁହାଗଲା। କିନ୍ତୁ ଏବେ ସୁଦ୍ଧା ଇଟା ଖ‌ଣ୍ଡେ ପଡ଼ିନି। ଏ ଜାତିର ସ୍ବାଭିମାନ ସହ ଜଡ଼ିତ ଏକ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବାରେ ଅହେତୁକ ବିଳମ୍ବ ହୋଇ ଚାଲିଛି। ବିଶ୍ବବିଦ୍ୟାଳୟ ନିର୍ମାଣ ଦାୟିତ୍ବ ଉଚ୍ଚଶିକ୍ଷା ବିଭାଗକୁ ଦିଆଯାଇଛି। ମଝିରେ ଏହା ସଂସ୍କୃତି ବିଭାଗ କରିବା କଥା କହି ଉଚ୍ଚଶିକ୍ଷା ବିଭାଗ ନିଜେ କେଁ ପୂରାଇଥିଲା। ଗଣମାଧ୍ୟମରେ ପ୍ରଘଟ ହେଲା ପରେ ‌ଉଚ୍ଚଶିକ୍ଷା ବିଭାଗ ନିଜେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି। କିନ୍ତୁ ଏ ଯାଏ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ହୋଇନି କି କାମ ଆରମ୍ଭ ହୋଇପାରିନି। ପ୍ରଥମ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ପାଠାଗାରଗୁଡ଼ିକ ସୁବ୍ୟବସ୍ଥିତ କରିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରି ପବ୍ଲିକ୍ ଲାଇବ୍ରେରି ନିର୍ଦ୍ଦେଶକ ନିଯୁକ୍ତି ଦେବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଏହା ରାଜ୍ୟରେ ପାଠାଗାର ଆନ୍ଦୋଳନ ଆଣିବ ବୋଲି ସଚେତନ ନାଗରିକମାନେ ଭାବିଥିଲେ। ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ସବୁ ପାଠାଗାରକୁ ଏହି ନିର୍ଦ୍ଦେଶାଳୟ ଅଧୀନକୁ ଆଣିବା ପାଇଁ ଯୋଜନା ଥିଲା। କିନ୍ତୁ ଏ ଯାଏ ନିର୍ଦ୍ଦେଶାଳୟ ବିଧିବଦ୍ଧ ସୃଷ୍ଟି କରାଯାଇପାରିଲା ନାହିଁ କି ନିର୍ଦ୍ଦେଶକ ନିଯୁକ୍ତି ହେଲେନି। ସେହିପରି ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ କରାଗଲେ ରାଜ୍ୟର ସମୃଦ୍ଧ କଳା‌, ସଂସ୍କୃତି, ଶାସ୍ତ୍ରୀୟ ଭାଷାକୁ ଆହୁରି ପ୍ରଭାବୀ ଢଙ୍ଗରେ ସଂରକ୍ଷିତ ଓ ପ୍ରଚାର ପ୍ରସାର କରାଯାଇପାରିବ ବୋଲି ସରକାର ବାହାସ୍ଫୋଟ ମାରିଥିଲେ। କିନ୍ତୁ ଆମ ବ୍ୟବସ୍ଥାରେ ଥିବା ଯୋଗ୍ୟ ‌ଲୋକମାନଙ୍କୁ ସମ୍ଭବତଃ ଏହି ପ୍ରସ୍ତାବିତ ନୀତି ଗୁରୁତ୍ବହୀନ ଲାଗିଲା। ତେଣୁ ସେ ଦିଗରେ କୌଣସି ପ୍ରକ୍ରିୟ‌ା ଏ ଯାଏ କରାଯାଇ ନାହିଁ।

ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ବସିବାର ଦୀର୍ଘ ୨୫ ମାସ ପରେ ଦ୍ବିତୀୟ ବୈଠକ ବସିଲା। ୨୦୨୦ ସେପ୍ଟେମ୍ବର ୨ ତାରିଖରେ ବସିଥିବା ଏହି ବୈଠକରେ ୭ଟି ପ୍ରସ୍ତାବ ପାରିତ ହୋଇଥିଲା। ଏହା ମଧ୍ୟରୁ ଏକାଡେମି କର୍ମକର୍ତ୍ତା ଚୟନ, ବିଭିନ୍ନ ପୁରସ୍କାର ରାଶି ବଢ଼ିବା, ସଂଗ୍ରହାଳୟ ଭର୍ଚୁଆଲ୍‌ ହେବା ଆଦି ଦୁଇ ତିନିଟି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ପାଇଁ ହୋଇଥିବା ଯୋଜନା କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ସହ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଥି‌ଲା। ଏ ଦିଗରେ ଏ ଯାଏ ବିଭାଗ ପକ୍ଷରୁ ଆଖିଦୃଶିଆ ଅଗ୍ରଗତି ହୋଇ ନାହିଁ। ସେହିପରି ରାଜ୍ୟ ସଂଗ୍ରହାଳୟ ଓ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି ପାଇଁ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଆଦୌ ତତ୍ପରତା ପ୍ରକାଶ ପାଇ ନାହିଁ। ଏହା ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ମଧ୍ୟ ରହିଛି। ଯଦି ତିନି ବର୍ଷ ମଧ୍ୟରେ ଲାଇବ୍ରେରି ନିର୍ଦ୍ଦେଶାଳୟ ସୃଷ୍ଟି କରାଯାଇପାରିଲା ନାହିଁ, ସଂଗ୍ରହାଳୟ ଓ ପ୍ରତ୍ନତତ୍ତ୍ବ ପାଇଁ କିପରି ସୃଷ୍ଟି ହେବ?

କେବଳ ଐତିହ୍ୟ କ୍ୟାବିନେଟ୍‌ କ୍ଷେତ୍ରରେ ନୁହେଁ, ଭାଷା କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଆହୁରି ଉଦ୍‌ବେଗଜନକ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲେ ବି ବାରମ୍ବାର ଦାବି, ଆନ୍ଦୋ‌ଳନ ପରେ ‘ଭାଷା କମିସନ୍’ ଗଠନ ହେଲା ନାହିଁ। ଓଡ଼ିଆ ଭାଷାକୁ ବାସ୍ତବ କ୍ଷେତ୍ରରେ ଏ ଯାଏ ଶତ ପ୍ରତିଶତ ସରକାରୀ ଭାଷା ଭାବେ ବ୍ୟବହାର କରାଯାଇପାରିଲା ନାହିଁ। ଭାଷାର ଭଲ ବ୍ୟବହାର ପାଇଁ ନା କାହାକୁ ପୁରସ୍କୃତ କରାଯାଇଛି ନା ବ୍ୟବହାର ନ କରୁଥିବାରୁ କାହାକୁ ଦଣ୍ଡିତ କରାଯାଇଛି। ଭ‌ାଷା ପ୍ରତିଷ୍ଠାନ କ୍ଷେତ୍ରରେ ସଂସ୍କୃତି ବିଭାଗର ମତିଗତି ଆହୁରି ବିଚିତ୍ର। ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ସଂଗ୍ରହାଳୟ ଅଧୀକ୍ଷକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଭାଷା ପ୍ରତିଷ୍ଠାନର କାମ ସହ ସଂଗ୍ରହାଳୟର କି ସାମଞ୍ଜସ୍ୟ ରହିଛି ଯେ ଉଭୟର ଦାୟିତ୍ବ ଜଣଙ୍କୁ କାହିଁକି ଦିଆଯାଇଛି, ତାହା ବୁଝାପଡ଼ୁ ନାହିଁ। ଆହୁରି ମଧ୍ୟ ରାଜ୍ୟରେ ସଂଗ୍ରହାଳୟ ସଂଖ୍ୟା କମ୍ ନୁହେଁ କି ସେଠାରେ କାମ ଚାପ କିଛି କମ୍ ନାହିଁ। ବିଭାଗ ଅଧୀନରେ ଥିବା ସବୁ ଏକାଡେମି ପଦବିକୁ ପୂରଣ କରାଗଲା ଓ ସେହି ଢାଞ୍ଚାରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ପଦବି ପୂରଣ ପାଇଁ ବି ପ୍ରସ୍ତୁତି ଚାଲିଲାଣି। କିନ୍ତୁ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ନିଯୁକ୍ତି ଦେବାରେ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ? ବାସ୍ତବରେ ଭାଷା ପ୍ରତିଷ୍ଠାନ ପାଇଁ ଓଡ଼ିଶାରେ ଯୋଗ୍ୟ ଲୋକଙ୍କ ଅଭାବ ଅଛି ନା କିଛି ଅଦୃଶ୍ୟ ଚାପ ସରକାରଙ୍କ ଉପରେ ରହୁଛି?

ସଂସ୍କୃତି ବିଭାଗର ନାମ ବଦଳାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କରାଗଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା। ପୁଣି ବିଭାଗକୁ ମଜବୁତ୍‌ କରିବା ପାଇଁ ସ୍ବତନ୍ତ୍ର ଐତିହ୍ୟ କ୍ୟାବିନେଟ୍‌ ବି ଗଢ଼ାଗଲା। କିନ୍ତୁ ଏହା ଭିତରେ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର କି ବିକାଶ ହୋଇଛି, ତାହା ଏବେ ସଚେତନ ନାଗରିକଙ୍କ ପାଇଁ ଏକ ଅବୁଝା ପ୍ରଶ୍ନ।

ସମ୍ବନ୍ଧିତ ଖବର