ଭୁବନେଶ୍ବର: ଅନୁଗୁଳ ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଦୁଇ ଗୋଡ଼ ହରାଇ ଏବେ ହସ୍ପିଟାଲରେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଆଇପିଏସ୍ ଅଫିସରଙ୍କ ଘରେ ହୋମଗାର୍ଡ କାହିଁକି କାର୍ଯ୍ୟ କରିବେ, ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ବରିଷ୍ଠ ପୁଲିସ ଅଫିସରଙ୍କ ବିରୋଧରେ ଘରେ କାମ କରାଇବା ଓ ନିର୍ଯାତନାର ଅଭିଯୋଗ ଆସିଥିଲା। ୨୦୧୮ରେ କନ୍ଧମାଳର ତତ୍କାଳୀନ ଏସପି ମିତ୍ରଭାନୁ ମହାପାତ୍ର ଓ ତାଙ୍କ ପତ୍ନୀ ହୋମଗାର୍ଡଙ୍କୁ ଘରେ ପାଇଖାନା ସଫା କରାଇବା, କୁକୁରକୁ ଗାଧୋଇ ଦେବା ଭଳି ଅଭିଯୋଗ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ପାଖରେ। କଥା ନ ମାନିଲେ ଚାକିରି ନେଇଯିବାର ଭୟ ମଧ୍ୟ ଦେଖାଉଥିଲେ। ଗୃହ ବିଭାଗର ନିର୍ଦ୍ଦେଶ ପରେ ତତ୍କାଳୀନ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାର ତଦନ୍ତ କରିଥିଲେ।
ଚାକିରି ଖଣ୍ଡେ କରି ପରିବାର ଚଳାଇବା ଲାଗି ସଂଘର୍ଷ କରୁଥିବା ହୋମଗାର୍ଡ ନିଜର ଅନିଚ୍ଛା ସତ୍ତ୍ବେ ବରିଷ୍ଠ ଅଧିକାରୀଙ୍କ ଘରେ କାମ କରିଥାନ୍ତି। ଜଣେ ଜଣେ ବରିଷ୍ଠ ଆଇପିଏସଙ୍କ ଘରେ ଦୁଇରୁ ତିନି ଜଣ ହୋମଗାର୍ଡ ମଧ୍ୟ କାମ କରୁଛନ୍ତି। ରୋଷେଇ ଠାରୁ ଆରମ୍ଭ କରି ଅଫିସରଙ୍କ ପିଲାଙ୍କୁ ନେବା ଆଣିବା କରିବା, ଘର ସଫା କରିବା, ବଜାରରୁ ସଉଦା ଓ ପନି ପରିବା କିଣିବା ଭଳି ଯାବତୀୟ କାମ କରନ୍ତି। କେତେକଙ୍କୁ ନିଜ ଇଚ୍ଛା ବିରୋଧରେ ଏ ସବୁ କାମ କରିବାକୁ ପଡ଼ିଥାଏ। କାରଣ ସେମାନଙ୍କୁ ଚାକିରି ଯିବାର ଭୟ ଦେଖାଯାଏ। ଗୋଟିଏ ପଟେ ମନ୍ତ୍ରୀଙ୍କ ଗାଡ଼ିରୁ ନାଲିବତି, ବାବୁ ମାନଙ୍କ ଗାଡ଼ିରୁ ବତି କାଢ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିବା ବେଳେ ଆଇପିଏସ ଅଫିସରଙ୍କ ଘରେ ହୋମଗାର୍ଡ ଶ୍ରମିକ ଭଳି ଖଟିବା ଓ ନିର୍ଯାତିତ ହେବା ବ୍ରିଟିସ୍ ମାନସିକତାକୁ ସୂଚାଇ ଦେଉଛି।
ହୋମଗାର୍ଡଙ୍କ ଦରମା ଓ ନ୍ୟାର୍ଯ୍ୟ ଦାବି ପାଇଁ ହାଇକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜ୍ଞାନେନ୍ଦ୍ର ତ୍ରିପାଠୀ କହିଛନ୍ତି, ଓଡ଼ିଶା ହୋମଗାର୍ଡ ଆଇନ-୧୯୬୧ ଅନୁସାରେ, ଗୃହରକ୍ଷୀଙ୍କୁ ସ୍ବେଚ୍ଛାସେବୀ ହିସାବରେ ନିୟୋଜିତ କରା ଯାଇଥିଲା। ହୋମଗାର୍ଡମାନେ ପୁଲିସକୁ ଆଇନଶୃଙ୍ଖଳା, ଥାନାର ନିୟମିତ କାର୍ଯ୍ୟ ଯେପରି ଡ୍ରାଇଭର, ରାଇଟର୍ କାମ ମଧ୍ୟ କରୁଛନ୍ତି। ଏପରିକି ପାଟ୍ରୋଲିଂ ଓ ରେଡ୍ ସମୟରେ ପୁଲିସ ସାଙ୍ଗରେ ଯାଉଛନ୍ତି। ଅଫିସରଙ୍କ ଘରେ ସୁରକ୍ଷାକର୍ମୀ ଭାବେ ମଧ୍ୟ ରହୁଛନ୍ତି। କିନ୍ତୁ ଅଫିସରଙ୍କ ଘର କାମ କରିବାର କୌଣସି ନିୟମ ନାହିଁ। ଆଇପିଏସ୍ ଅଫିସରମାନେ ନିଜ କ୍ଷମତାର ଅପବ୍ୟବହାର କରି ସେମାନଙ୍କୁ ଘର କାମରେ ନିୟୋଜିତ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ ଓ ହୋମଗାର୍ଡମାନଙ୍କୁ ଶୋଷଣ କରାଯାଉଛି। ସେହିପରି ୬୨ ବର୍ଷ ତଳର ଏହି ଆଇନ ବଦଳିବା ଦରକାର ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।
ରାଜଧାନୀରେ ଏକାଧିକ ଆଇପିଏସ୍ ଅଫିସରଙ୍କ ଘରେ ମଧ୍ୟ ନିୟୋଜିତ ରହିଛନ୍ତି ହୋମଗାର୍ଡ। ଏହା କୌଣସି ଲୁଚାଛପା ନୁହେଁ ବରଂ ବିଭାଗ ମଧ୍ୟ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ ରହିଛି। ଅନେକ ସାଧାରଣ ଲୋକ ବି ଏ କଥା ଜାଣିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସ୍ବାଧୀନତାର ୭୭ ବର୍ଷ ପରେ ବି କାହିଁକି ବ୍ରିଟିସ୍ ଅମଳର କୁତ୍ସିତ ପ୍ରଥା ଜାରି ରହିଛି? ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା ଏକାଧିକ ବାର ସାମ୍ନାକୁ ଆସୁଥିଲେ ମଧ୍ୟ କାହିଁକି ଚୁପ୍ ରହିଛି ଗୃହ ବିଭାଗ? କାହିଁକି ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରାଯାଉ ନାହିଁ? ନା ଆଇପିଏସ୍ ଅଫିସରଙ୍କ ଘରୁ ହୋମଗାର୍ଡଙ୍କୁ ପ୍ରତ୍ୟାହାର କରିବା ପାଇଁ ବିଭାଗର ସାହସ ପାଉନି? ଗୃହ ବିଭାଗ ଏ ଦିଗରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବ କି? ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।