ଡାକ୍ତର ନିଯୁକ୍ତିରେ କେଁ: ଖୋଲିପାରୁନି ବାଲେଶ୍ବର ଏମ୍‌ସ ଓପିଡି, ଚୁକ୍ତିଭିତ୍ତିକ ପଦ ପାଇଁ ଆବେଦନ କରୁନାହାନ୍ତି ଡାକ୍ତର

ବାଲେଶ୍ବର: ବାଲେଶ୍ବରଠାରେ ବହୁ ପ୍ରତୀକ୍ଷିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ଓପିଡି ବିଲ୍‌ଡିଂ କାମ ଶେଷ ହୋଇ ସାରିଲାଣି। ରୋଗୀସେବା ପାଇଁ ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ହେଲେ କେଁ ଡାକ୍ତର ନିଯୁକ୍ତିରେ ଅଟକିଛି। ଯେଉଁଥିପାଇଁ ଅଖିଳ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ବର (ଏମ୍‌ସ) ଅଧୀନରେ ଥିବା ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟସେବା ବିଳମ୍ବିତ ହେଉଥିବାରୁ ବିଭିନ୍ନ ସାମାଜିକ ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକଟ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ବାଲେଶ୍ବରରେ ଓପିଡି ସେବା ଆରମ୍ଭ ହେବ ବୋଲି ଏମ୍‌ସ କର୍ତ୍ତୃପକ୍ଷ ଗଲା ୬ ମାସ ଧରି ସୂଚନା ଦେଇ ଆସୁଛନ୍ତି। ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭୀୟଙ୍କୁ ଏ ବିଷୟରେ ଚିଠି ଲେଖି ନିଜର କ୍ଷୋଭ ଜଣାଇଥିଲେ। ପ୍ରତ୍ୟୁତ୍ତରରେ ମନ୍ତ୍ରୀ ଖୁବଶୀଘ୍ର ବାଲେଶ୍ବର ଏମ୍‌ସ ଓପିଡି ସେଣ୍ଟର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳୟ ବାଲେଶ୍ବର ସାଟେଲାଇଟ୍‌ ସେଣ୍ଟର ପାଇଁ ଅଧିକ ବ୍ୟୟବରାଦ କରି ଏଠାରେ ମଲ୍‌ଟି ସ୍ପେଶାଲିଟି ହସ୍‌ପିଟାଲ କାମ ତୁରନ୍ତ ଆରମ୍ଭ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେତେଶୀଘ୍ର କାର୍ଯ୍ୟକାରୀ ହେବ, ତାକୁ ନେଇ ସନ୍ଦେହ ଜାତ ହୋଇଛି। କାରଣ ଏଯାଏ ଓପିଡି ସେଣ୍ଟର ଖୋଲି ନପାରିବା ପଛର କାରଣ ହେଉଛି ଡାକ୍ତର ନିଯୁକ୍ତି।

ବାଲେଶ୍ବର ଏମ୍‌ସ ଓପିଡି ସେବା ପାଇଁ ଡାକ୍ତର ଓ କର୍ମଚାରୀ ପଦ ପୂରଣ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଥିଲା, ସେଥିରେ ୬୦ଟି ବିଶେଷଜ୍ଞ ଡାକ୍ତର ପଦ ବାହାରିଥିଲା। ହେଲେ ଏହି ପଦଗୁଡ଼ିକ ଚୁକ୍ତିଭିତ୍ତିକ ହୋଇଥିବାରୁ ମାତ୍ର ୨୦ ଜଣ ଆବେଦନ କରିଥିଲେ। ସେଥିରେ ପୁଣି ଆବେଦନକାରୀଙ୍କ ମଧ୍ୟରେ କମ୍‌ ଅଭିଜ୍ଞତାସଂପନ୍ନ ଡାକ୍ତର ଓ ଅବସରପ୍ରାପ୍ତ ଡାକ୍ତର ରହିଥିଲେ। ଫଳରେ ଉକ୍ତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। ଏହାମଧ୍ୟରେ ଭୁବ‌ନେଶ୍ବର ଏମ୍‌ସର ନିର୍ଦ୍ଦେଶକ ଅବସର ନେଇ ସାରିଛନ୍ତି। ତେଣୁ ନୂଆ ନିର୍ଦ୍ଦେଶକ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଓ ସ୍ଥାୟୀ ରେଗୁଲାର ପଦ ନ ବାହାରିଲା ପର୍ଯ୍ୟନ୍ତ ବାଲେଶ୍ବର ଏମ୍‌ସର ଓପିଡି ସେବା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର