ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତିରେ ସରକାର ଚୁପ୍‌ କାହିଁକି : ପିସିସି ସଭାପତି

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ମେଡିକାଲ ସଂରଜାମ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଗତ ୨ ମାସ ଧରି କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ସ୍ବର ଉଠାଇଛନ୍ତି। ଅଥଚ ସରକାର ଏ ନେଇ ପଦୁଟିଏ ସ୍ପଷ୍ଟ କରିନାହାନ୍ତି। ସବୁ ଅନ୍ୟାୟ ଅନୀତି ବିରୋଧରେ ତ୍ବରିତ ପଦକ୍ଷେପ ନେଉଥିବା ନେଇ ଘୋଷଣା କରୁଥିବା ସରକାର ସ୍ବାସ୍ଥ୍ୟ ବିଭାଗର ଏହି ଦୁର୍ନୀତି ଅଭିଯୋଗ ଉପରେ କାହିଁକି ଚୁପ୍‌ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି।

ଏକ ପ୍ରେସ୍‌ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ ମାସ୍କ୍‌ ଓ ପିପିଇ କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ଲୋକାୟୁକ୍ତରେ ଅଭିଯୋଗ ଦାଖଲ କରାଯାଇଛି। ଲୋକାୟୁକ୍ତ ନୋଟିସ୍‌ କଲେ ମଧ୍ୟ ସରକାରଙ୍କ ତରଫରୁ କେହି ବି ହାଜର ହେଉନାହାନ୍ତି କି ଉତ୍ତର ମଧ୍ୟ ଦେଉନାହାନ୍ତି। ଯାହାକୁ ନେଇ ଏବେ ଲୋକଙ୍କ ମନରେ ସନ୍ଦେହ ବଢିବାରେ ଲାଗିଲାଣି ଯେ, କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ ଏହାର ପର୍ଦ୍ଦାଫାସ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର