ସମ୍ବଲପୁର: ଓଡ଼ିଶାର ଜୀବନରେଖା ମହାନଦୀ। ଛତିଶଗଡ଼ ପଟେ ପାଣି ଲହଡ଼ି ମାରୁଥିବା ବେଳେ ଓଡ଼ିଶା ପଟେ ମହାନଦୀ ଏବେ ଶୁଖିଲା ପଡ଼ିଛି। ଓଡ଼ିଶାବାସୀଙ୍କ ଜୀବନଜୀବିକା ସବୁକିଛି ମହାନଦୀ ଉପରେ ନିର୍ଭର କରୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ବାଚନ ସମୟରେ ଏହା କେବଳ ଏକ ଦଳୀୟ ପ୍ରସଂଗ ପାଲଟିଛି। କିଛି ବର୍ଷ ପୂର୍ବରୁ କେନ୍ଦ୍ର ଓ ଛତିଶଗଡ଼ରେ ଶାସନ କ୍ଷମତାରେ ଥିବା ବିଜେପିକୁ ରାଜ୍ୟର ଶାସକ ଦଳ ବିଜେଡି ଓ ବିରୋଧୀ କଂଗ୍ରେସ ଦଳ ଟାର୍ଗେଟ କରିଥିବା ବେଳେ ଏବେ ଏହାର ଠିକ୍ ଓଲଟା ଘଟିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହାନଦୀ ପ୍ରଂସଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମହାନଦୀରେ ଜଳ ନରହିଲେ ବିଭୀଷିକା ହେବ।
ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି ଅନେକ ବ୍ୟାରେଜ। ଚିରସ୍ରୋତା ମହାନଦୀର ଜଳପ୍ରବାହ ଏବେ ଛତିଶଗଡ଼ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ। ଏବେ ସ୍ଥିତି ଏମିତି ରହିଛି ଯେ ଛତିଶଗଡ଼ ସରକାର ଚାହିଲେ ଓଡ଼ିଶା ପଟ ମହାନଦୀରେ ଜଳ ପ୍ରବାହିତ ହେବ, ନହେଲେ ଶୁଖିଲା ରହିବ। କିଛି ବର୍ଷ ଆଗରୁ ଏହି ପ୍ରସଂଗକୁ ନେଇ ଜନ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ଆଉ ରାଜ୍ୟ ରାଜନୀତି ବି ଏହାକୁ ନେଇ ଉଠୁଥିଲା ପଡ଼ୁଥିଲା। ମହାନଦୀ ସହିତ ଜନଭାବନା ଜଡ଼ିତ ଦୃଷ୍ଟିରେ ରଖି ସେତେବେଳେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିରୋଧୀ କଂଗ୍ରେସ ହେଉକି ଶାସକ ବିଜେଡି, ଉଭୟ ଦଳ ମହାନଦୀ ଜଳ ପ୍ରସଂଗକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେତେବେଳେ ଛତିଶଗଡ଼ରେ ଥିଲା ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିଜେପି ସରକାର। ଛତିଶଗଡ଼ରେ ନିଜ ଦଳର ସରକାର ଥିବାରୁ କେନ୍ଦ୍ରର ବିଜେପି ସରକାର ସୁରକ୍ଷା ଦେଉଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। େତବେ, ବିଜେପି ସେତେବେଳେ ରକ୍ଷଣାତ୍ମକ ମୁଦ୍ରାରେ ରହିଥିଲା। ଯାହା ବି ହେଉ, ନିର୍ବାଚନକୁ ଦୃଷ୍ଟିରେ ରଖି କିମ୍ବା ଅନ୍ୟ କାରଣରୁ ସେତେବେଳେ କେନ୍ଦ୍ର ସରକାର ନିଜ ନିରପେକ୍ଷତାର ପ୍ରମାଣ ଦେବା ପାଇଁ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଟ୍ରିବ୍ୟୁନାଲ ଗଠନ କରିଥିଲେ।
ଟ୍ରିବ୍ୟୁନାଲ ଗଠନ ସହିତ ଜଳ ବିବାଦକୁ ନେଇ ଚାଲିଥିବା ରାଜନୀତି ବି ଏକ ପ୍ରକାର ଥମି ଯାଇଥିଲା। ମହାନଦୀ ବିବାଦ ସମାଧାନ ପାଇଁ ଟ୍ରିବୁନାଲ ଗଠନକୁ ଇତିମଧ୍ୟରେ ୪ ବର୍ଷ ପୂରିଯାଇଛି। ବିବାଦର ସମାଧାନ ହୋଇପାରିନାହିଁ। କେବେ, ସମାଧାନ ହେବ ତାହା ବି କହି ହେବ ନାହିଁ। ନିକଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସହିତ ଜଳପୁରୁଷ ଡ. ରାଜେନ୍ଦ୍ର ସିଂହ କଟକରୁ କଲ୍ମା ପର୍ଯ୍ୟନ୍ତ ମହାନଦୀ ଯାତ୍ରା କରି ଏହି ପ୍ରସଂଗକୁ ପୁଣି ଥରେ ତାଜା କରିଛନ୍ତି। ଉପନିର୍ବାଚନ ପାଇଁ ବ୍ରଜରାଜନଗରରେ କଂଗ୍ରେସ ଓ ବିଜେଡିର ବଡ଼ ବଡ଼ ନେତାମାନେ ଡେରା ପକାଇଥିଲେ ହେଁ ସମସ୍ତେ ନିରବତା ଅବଳମ୍ବନ କରିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ସେମାନଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୫ ବର୍ଷ ଆଗରୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଲୋକେ ଏବେ ଗଲେ କୁଆଡ଼େ? ସେତେବେଳେ ଏହାକୁ ଦଳୀୟ ପ୍ରସଂଗ କରି ମହାନଦୀର ବନ୍ୟା ଭଳି ରାଜନୈତିକ ବନ୍ୟା ସୃଷ୍ଟି କରିଥିଲେ। ଛତିଶଗଡ଼ରେ ଏବେ କଂଗ୍ରେସର ସରକାର ରହିଛି, ସେମାନେ ଏବେ ନିରବ। ବିଜେଡି ବି ଚୁପ୍। ଯେଉଁଠି ଓଡ଼ିଶାର ସ୍ବାର୍ଥ ରହିଛି, ସେଇଠି ସବୁଦଳ ଏକାଠି ହେବା କଥା। ମହାନଦୀ ଜଳ ହେଉକି ସୀମା ବିବାଦ, ଏହା କଦାପି ଦଳୀୟ ପ୍ରସଂଗ ହେବା କଥା ନୁହେଁ। ଏସବୁ ପ୍ରସଂଗରେ ଓଡ଼ିଶାର ସ୍ବର ଏକ ହେବା ଉଚିତ। ଓଡ଼ିଶାରେ ମହାନଦୀର ଜଳଧାରଣା କ୍ଷମତା ବଢ଼ିବା ଉଚିତ। ମହାନଦୀରେ ଜଳ ନରହିଲେ ବିଭୀଷିକା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/dharmendra-pradhan-a.jpg)