ଭୁବନେଶ୍ବର : ଭାରତୀୟ ସମ୍ବିଧାନରେ ୧୮ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଭୋଟ୍ ଦେବାର ଅଧିକାର ପ୍ରଦାନ କରାଯାଇଛି। ହେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାେର ନିୟୋଜିତ ସମସ୍ତ ଅଧିକାରୀଙ୍କୁ କାହିଁକି ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରାଯାଇଛି ବୋଲି ଆଜି ବିଜେପି ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛି।
ବିଜେପି କହିଛି ଯେ, ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ପୋଷ୍ଟାଲ ଭୋଟ୍ ବ୍ୟବସ୍ଥା କରାଯାଉଛି ହେଲେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଏହା କାହିଁକି ଲାଗୁ ହେବନି। ରାଜ୍ୟ ନିର୍ବାଚନ କମିସନଙ୍କ ଏଭଳି ଅଗଣତାନ୍ତ୍ରିକ ପଦକ୍ଷେପ କାହା ସ୍ୱାର୍ଥରେ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରଶ୍ନ କରିଛନ୍ତି।
ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଥିବାରୁ ନିର୍ବାଚନ କମିସନର ପ୍ରଚାର କଟକଣା କୋହଳ କରିଛନ୍ତି। ହେେଲ ଭୋଟ କେନ୍ଦ୍ରଗୁଡିକରେ ପୋଲିଂ ଏଜେଣ୍ଟ ଏବଂ ପ୍ରାର୍ଥୀ ଏଜେଣ୍ଟଙ୍କ ପାଇଁ ବର୍ତମାନ ସୁଦ୍ଧା କୌଣସି କଟକଣା କୋହଳ କରାଯାଇନାହିଁ। ପୋଲିଂ, ପ୍ରାର୍ଥୀଙ୍କ ଏଜେଣ୍ଟ ପାଇଁ ଆରଟିପିସିଆର/ ଆର୍ଏଟି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ନିର୍ବାଚନ ପରିଚାଳନା ଓ ଭୋଟ ଦାନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ କୋହଳ କରିବାକୁ ବିଜେପି ଦାବି କରିଛି। ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ସୋନାଲି ସାହୁ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ବିଜେପି ଲିଗାଲ ସେଲର ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଏବଂ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ।