ଝାରସୁଗୁଡ଼ା: ଝାରସୁଗୁଡ଼ା ବେଦାନ୍ତ ଆଲୁମିନା ସରକାରଙ୍କୁ ଠକି ଭୂତଳ ଜଳ ଚୋରି କରି ବ୍ୟବହାର କରିବା ଘଟଣାକୁ ନେଇ ଏକାଧିକ ଥର ଜଳସମ୍ପଦ ବିଭାଗ କ୍ଷୋଭ ପ୍ରକାଶ କରିଛି। ଏପରିକି ବେଦାନ୍ତ ବିରୋଧରେ ସାର୍ଟିଫିକେଟ୍ କେସ୍ ଆରମ୍ଭ କରାଯାଇଥିବା ନେଇ ବି ଚିଠିରେ ଦର୍ଶାଯାଇଛି। ମାତ୍ର କାହା ଚାପରେ ବେଦାନ୍ତ ବିରୋଧରେ ଏହି ତମାମ୍ ଠକେଇ ପ୍ରସଙ୍ଗରେ ମାମଲା ହେଉନି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ପାଲଟିଛି। ଟିକସ ଠକେଇ ମାମଲାରେ ରାଜ୍ୟ ସରକାର ଛୋଟ କମ୍ପାନିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ କେଉଁ ସ୍ବାର୍ଥରେ ବେଦାନ୍ତକୁ ଅଘୋଷିତ କ୍ଷମା କରି ଦିଆଯାଇଛି ବୋଲି ପ୍ରଶ୍ନ ଉଠୁଛି।
୨୦୦୭ ମସିହା ଅଗଷ୍ଟ ମାସରୁ ୨୦୧୦ ମସିହା ଯାଏ ବେଦାନ୍ତ ବୋରୱେଲ ଖୋଳି ଦୈନିକ ୧.୭୮୨ ଗ୍ୟାଲନ୍ ଭୂତଳ ଚୋରି କରି ଭିତ୍ତିଭୂମି ବିକାଶରେ ବିନିଯୋଗ କରିଥିଲା। ଏହି ଘଟଣାକୁ କେନ୍ଦ୍ର କରି ୨୦୧୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ସମ୍ବଲପୁର ଜଳସେଚନ ବିଭାଗର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ବେଦାନ୍ତକୁ ଚିଠି ଲେଖି ୬ ଗୁଣା ଜରିମାନା ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ, ବାରମ୍ବାର ଚିଠି ପରେ ବି ବେଦାନ୍ତ ଜଳକର ପୈଠ କରୁନଥିବାରୁ ତା ବିରୋଧରେ ସାର୍ଟିଫିକେଟ୍ କେସ୍ ଆରମ୍ଭ କରିବା ନେଇ ଚିଠି ଲେଖାଯାଇଥିବା ସେଥିରେ ଉଲ୍ଲେଖ ରହିଛି। ସେପଟେ, ତୁରନ୍ତ ବେଦାନ୍ତ ପରିସରରେ ବେଆଇନ୍ ଭାବେ ଖୋଳା ଯାଇଥିବା ବୋରୱେଲଗୁଡ଼ିକୁ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବେଦାନ୍ତ ଏହାକୁ ଭ୍ରୂକ୍ଷେପ କରିନଥିଲା। ଯାହାକୁ ନେଇ ବେଦାନ୍ତରେ ୨୦୧୩ ମସିହାରେ ଚଢ଼ଉ ହୋଇ ୨୩ଟି ବୋର୍ୱେଲ୍ ସିଲ୍ କରାଯାଇଥିଲା।
ମାତ୍ର ୨୦୦୭ରୁ ୨୦୧୩ ଯାଏ ବେଦାନ୍ତ ବ୍ୟବହାର କରିଥିବା ଭୂତଳ ଜଳ ବାବଦକୁ ସରକାରଙ୍କୁ ଟଙ୍କା ପ୍ରଦାନ କରିନାହିଁ। ସେପଟେ, ସିଲ୍ ହୋଇଥିବା ବୋରୱେଲଗୁଡ଼ିକ ଏବେ ଖୋଲାଯାଇ ସେଥିରୁ ପାଣି ବାହାର କରି ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଆଲୁମିନିୟମ୍ ସ୍ମେଲଟରରେ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ୨୦୦୭ରୁ ୨୦୧୩ ଜାନୁଆରି ଯାଏ ବେଦାନ୍ତ ଯେତିକି ପାଣି ବେଆଇନ୍ ଭାବେ ବ୍ୟବହାର କରିଥିଲା, ସେବାବଦକୁ ୪ କୋଟି ୯ ଲକ୍ଷ ୧୬ ହଜାର ୭୦୧ ଟଙ୍କା ବିଲ୍ ହୋଇଥିଲା। କିନ୍ତୁ ବେଦାନ୍ତ ଉକ୍ତ ବିଲ୍ ପୈଠ ନକରିବାରୁ ବିଲ୍ର ଦର ଚକ୍ରବର୍ତ୍ତୀ ସୁଧ ହାରରେ ବଢ଼ିଚାଲିଛି। ଯାହାକି ବର୍ତ୍ତମାନ ୧୩ କୋଟି ୦୨ ଲକ୍ଷ ୧୪ ହଜାର ଟଙ୍କାରେ ପହଞ୍ଚିଛି। ଏହି ଘଟଣାରେ ବେଦାନ୍ତ ବିରୋଧରେ ମାମଲା ରୁଜୁ କରିବା ପାଇଁ ଗତବର୍ଷ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ବଲପୁର ଏସ୍ପିଙ୍କ ମାଧ୍ୟମରେ ଝାରସୁଗୁଡ଼ା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ମାମଲା ରୁଜୁ ହୋଇପାରି ନଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/fs4h6fh456fhfhhffhs.jpg)