ନୂଆଦିଲ୍ଲୀ/ଭୁବନେଶ୍ବର: ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଲୋକସଭାରେ ଲିଖିତ ଉତ୍ତର ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାମ ବିଳମ୍ବ ହେବା ଯୋଗୁ କେତେ ପରିମାଣରେ ଖର୍ଚ୍ଚ ବୃଦ୍ଧି ପାଇଛି ତାହାର ବର୍ତ୍ତମାନ ସୁଦ୍ଧା ଚୂଡ଼ାନ୍ତ ହିସାବ କରାଯାଇ ନାହିଁ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ଆହୁରି କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାମକୁ କେନ୍ଦ୍ର ସରକାର ଗୁରୁତ୍ୱର ଅନୁଧ୍ୟାନ କରୁଛନ୍ତି। କାମ ସାରିବାରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ବିଭିନ୍ନ ସ୍ତରରେ ସମୟ ସମୟରେ ସମୀକ୍ଷା କରାଯାଉଛି ଏବଂ ସବୁ ଏନଏଚ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ସମେତ ସବୁ ବିଳମ୍ବିତ ଜାତୀୟ ରାଜପଥ ପ୍ରକଳ୍ପ କାମକୁ କେନ୍ଦ୍ର ସରକାର ଅନୁଧ୍ୟାନ କରୁଛନ୍ତି।
ନୂଆ ଜାତୀୟ ରାଜପଥ ପ୍ରକଳ୍ପ କାମ ସାରିବା ପାଇଁ ସାଧାରଣତଃ ୨-୩ ବର୍ଷର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ। ତେବେ ଜମି ଅଧିଗ୍ରହଣ, ବିଭିନ୍ନ ମଞ୍ଜୁରି ଭଳି ସରକାରଙ୍କ ସର୍ତ୍ତ ପୂରଣ, ନିର୍ମାଣ ସାମଗ୍ରୀ ପରିବହନ, ଠିକାଦାରଙ୍କ ପକ୍ଷରୁ ବିଳମ୍ବ, ଟଙ୍କା ମିଳିବାରେ ବିଳମ୍ବ ଆଦି ବିଭିନ୍ନ କାରଣରୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ଡେରି ହୋଇଥାଏ ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/1d133ead-8964-4484-bbb8-e2e873d16322.jpg)