ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଚାରିଟି ଏକାଡେମି ଅଛି। ଏହି ଏକାଡେମିଗୁଡ଼ିକର କିଛି କାମ ନାହିଁ। ନା କର୍ମକର୍ତ୍ତା ଅଛନ୍ତି ନା କର୍ମଚାରୀ। ବର୍ଷ ବର୍ଷ ଧରି ପୁରସ୍କାର ବି ଦିଆଯାଉନି। ବିଭାଗୀୟ ଅଧିକାରୀମାନେ କାମଚଳା ଭାବେ ସବୁ କରିଦେଉଛନ୍ତି। ତେଣୁ ଏକାଡେମିଗୁଡ଼ିକୁ ବନ୍ଦ କରିଦେଲେ, କାହାର କ’ଣ କ୍ଷତି ହେବ ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କଲେଣି। ଏମିତି ଏକାଡେମିଗୁଡ଼ିକୁ ରଖି ଦେବାଳିଆ କରିବା ଅପେକ୍ଷା ସବୁଦିନ ପାଇଁ ତାଲା ପକାଇଦେଲେ ଭଲ ବୋଲି କ୍ଷୋଭର ସହ ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିଲା ସମୟରେ ଏକାଡେମିଗୁଡ଼ିକର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିଗଲା। ଆଉ ଯାହାର କିଛି ଦିନ ବାକି ଥିଲା, ସମୟକ୍ରମେ ସେମାନଙ୍କର ବି ସରିଗଲାଣି। ନୂଆ ସରକାର ଆସିବାର ପାଖାପାଖି ୭ ମାସ ହେଲାଣି। କିନ୍ତୁ ପଦବି ପୂରଣ କରିବାକୁ ସରକାରଙ୍କ ହାତ ଯାଉନି। ସରକାର ସିଧାସଳଖ ନିଯୁକ୍ତି ଦେବେ ନା ଆବେଦନ ଆହ୍ବାନ କରିବେ, ତାହା ଭିନ୍ନ କଥା। କିନ୍ତୁ ପଦବି ପୂରଣ କରିବାକୁ ଏପରି ଅହେତୁକ ବିଳମ୍ବ ଆଦୌ ଗ୍ରହଣୀୟ ହେଉ ନାହିଁ। ପ୍ରଶ୍ନ ଉଠୁଛି, ବାସ୍ତବରେ ସରକାରଙ୍କୁ ଯୋଗ୍ୟ ବ୍ୟକ୍ତି ମିଳୁନାହାନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି? ଯଦି ଯୋଗ୍ୟ ବ୍ୟକ୍ତି ମିଳୁନାହାନ୍ତି, ତେବେ ରାଜ୍ୟ ବୌଦ୍ଧିକ ଦେବାଳିଆ ହୋଇଗଲାଣି ବୋଲି ଧରିବାକୁ ପଡ଼ିବ କି? ଯଦି ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ନାହିଁ, ତେବେ ସଂସ୍କୃତି ବିଭାଗର ଇଚ୍ଛାଶକ୍ତିର ଅଭାବ କାହିଁକି ରହୁଛି? ‘ଓଡ଼ିଆ ଅସ୍ମିତା’ର କଥା କହୁଥିବା ସରକାରଙ୍କର ଏହା ଦ୍ବାରା ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି ହେଉଛି।
ପଦବି ପୂରଣ କରିବାକୁ ସରକାର କୁନ୍ଥକୁନ୍ଥ
ବର୍ଷ ବର୍ଷ ଧରି ଦିଆଯାଉନି ପୁରସ୍କାର
ବୌଦ୍ଧିକ ଦେବାଳିଆ ହୋଇଗଲାଣି କି ରାଜ୍ୟ
ଯଦିଓ ବିଭାଗର ନାମ ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’, ତେବେ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଏକାଡେମିଗୁଡ଼ିକ ହିଁ ଗୁରୁ ଦାୟିତ୍ବ ନେଇଛନ୍ତି। କିନ୍ତୁ ଏକାଡେମିଗୁଡ଼ିକ ମୁରବିବିହୀନ ରଖାଯାଇଛି। ଏବେ ପୁସ୍ତକ ମହୋତ୍ସବ ସରିଲା। କୁହାଗଲା ପୁସ୍ତକ ମହୋତ୍ସବ ଆୟୋଜନ ଦାୟିତ୍ବ ଓଡ଼ିଶା ସାହିତ୍ୟ ଏକାଡେମିର। କିନ୍ତୁ ବିନା କର୍ମକର୍ତ୍ତାରେ ମହୋତ୍ସବ ସରିଗଲା। ଆଗକୁ ହେବ ରାଜାରାଣୀ ସଙ୍ଗୀତ ମହୋତ୍ସବ ଓ ମୁକ୍ତେଶ୍ବର ନୃ୍ତ୍ୟ ମହୋତ୍ସବ। ଏହି ଦୁଇଟି ଆୟୋଜନ ଦାୟିତ୍ବ ସଙ୍ଗୀତ ନାଟକ ଏକାଡେମିର। ବିନା ମୁରବିରେ ଏକାଡେମି ଏଗୁଡ଼ିକ ଆୟୋଜନ କରିବ। ଆଉ ପୁରସ୍କାର ପ୍ରସଙ୍ଗ ତ ଅତ୍ୟନ୍ତ ଉଦ୍ବେଗଜନକ। ସାହିତ୍ୟ ଏକାଡେମି ପୁରସ୍କାର ୭ ବର୍ଷ ହେଲା ଦିଆଯାଉନି। ସଙ୍ଗୀତ ନାଟକ ଏକାଡେମି ଓ ଲଳିତ କଳା ଏକାଡେମିର ପୁରସ୍କାର ଦୁଇ ବର୍ଷ ହେଲା ଦିଆଯାଇନି। ଯଦି କେନ୍ଦ୍ର ଏକାଡେମିଗୁଡ଼ିକ ନିୟମିତ ଭାବେ ପୁରସ୍କାର ଦେଇପାରୁଛନ୍ତି, ତେବେ ଏଠାରେ ଅସୁବିଧା କ’ଣ? ଉର୍ଦ୍ଦୁ ଏକାଡେମିର କାମ କ’ଣ ଏବଂ ତାହାର ଅସ୍ତିତ୍ବ ଅଛି କି ନାହିଁ, ତାହା କେହି ଜାଣିପାରୁ ନାହାନ୍ତି।
ପୂର୍ବ ସରକାର ସମୟରେ ତ ଗୁରୁତର ତ୍ରୁଟି ନିଶ୍ଚିତ ରହିଛି। ପୁରସ୍କାରରେ ଅନିୟମିତତା ଧାରା ସେବେଠାରୁ ଆରମ୍ଭ ହୋଇଛି। କିନ୍ତୁ ସାତ ମାସ ହେଲାଣି ବର୍ତ୍ତମାନର ସରକାର ତାହାକୁ ସୁଧାରିବା ପାଇଁ ଉଦ୍ୟମ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏକାଡେମିଗୁଡ଼ିକରେ ନିଯୁକ୍ତି ଦେବାରେ ଟାଳଟୁଳ ନୀତିକୁ ନେଇ ସାରସ୍ବତ ଓ ସାଂସ୍କୃତିକ ଜଗତରେ ଅସନ୍ତୋଷ ସୃଷ୍ଟି ହୋଇଛି। ସବୁ ଏକାଡେମିରେ ଏବେ ବିଭାଗୀୟ ଅଧିକାରୀମାନେ ସଚିବ ଦାୟିତ୍ବରେ ରହି କାମ କରୁଛନ୍ତି। ଯଦି ସେମାନେ ମାସ ମାସ ଧରି ସବୁ କରିପାରୁଛନ୍ତି, ତେବେ ସିଧାସଳଖ ବିଭାଗ ଅଧୀନରେ କାମ କରିଦେଲେ ହୋଇଯିବ। କାହିଁକି ଏକାଡେମିଗୁଡ଼ିକ ରହିବ ବୋଲି ପ୍ରଶ୍ନ ଉଠୁଛି। ଓଡ଼ିଆ ଭାଷା ପ୍ରତିଷ୍ଠାନରେ ବି ଗୁରୁତର ବିଭ୍ରାଟ ଦେଖିବାକୁ ମିଳୁଛି। ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ହେବାକୁ ଜଣେ ଭାଷାବିତ୍ କିମ୍ବା ଶିକ୍ଷାବିତ୍ ମିଳୁନାହାନ୍ତି। ବିଭାଗୀୟ ନିର୍ଦ୍ଦେଶକ କିମ୍ବା ଅନ୍ୟ ଅଧିକାରୀ କାମଚଳା ଭାବେ କାମ ଚଳାଇ ଦେଉଛନ୍ତି। ଭାଷା ଉପରେ ଅଭିଜ୍ଞ ଥିବା ବ୍ୟକ୍ତି ନ ମିଳିବା ଆମ ରାଜ୍ୟ ପାଇଁ ଏକ ଲଜ୍ଜାଜନକ ବିଷୟ। ପୂର୍ବ ସରକାର ଯେଉଁ ବାଟ ଦେଖାଇଥିଲେ ବର୍ତ୍ତମାନର ସରକାର ସେହି ବାଟରେ ଯାଉଛନ୍ତି। ଏବେ ବି ବିଭାଗୀୟ ନିର୍ଦ୍ଦେଶକ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଉଛନ୍ତି। ବିଭାଗ ଦାୟିତ୍ବ ତୁଲାଉଥିବା ଜଣେ ପ୍ରଶାସନିକ ଅଧିକାରୀ ଭାଷା ପ୍ରତିଷ୍ଠାନକୁ କି ଦିଗ୍ଦର୍ଶନ ଦେଉଥିବେ, ତାହା ସହଜରେ ଅନୁମାନ କରିହେଉଛି।