ଭୁବନେଶ୍ବର: ରାଜଧାନୀର ଲୋକଙ୍କୁ ଘରପାଖରେ ଚିକିତ୍ସା ସୁବିଧା ଦେବା ପାଇଁ ଖୋଲାଯାଇଛି ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। କୌଣସି ବ୍ୟକ୍ତିଙ୍କ ହଠାତ୍ ରକ୍ତଚାପ ବଢ଼ିଯିବା କିମ୍ବା ଅନ୍ୟ ରୋଗ ହେଲେ ରୋଗୀଟିଏ ଘରପାଖରେ ଥିବା ସରକାରୀ ଡାକ୍ତରଖାନାକୁ ଯାଇଥାନ୍ତି। କାରଣ ରାଜଧାନୀରେ ଘରୋଇ ଡାକ୍ତରଖାନାରେ ଡାକ୍ତରଙ୍କ ଫି’ ୫ଶହରୁ ଅଧିକ। ଛୋଟ ପିଲାଙ୍କ ଫି’ ମଧ୍ୟ କିଛି କମ୍ ନୁହେଁ। ହେଲେ ଲୋକଙ୍କ ସୁବିଧା ପାଇଁ ଖୋଲା ଯାଇଥିବା ଅଧିକାଂଶ ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। କିଛି ସ୍ଥାନରେ ଫାର୍ମାସିଷ୍ଟ କାମ ଚଳାଉଛନ୍ତି। ସାଧାରଣ ପରୀକ୍ଷା(ଡାଏଗ୍ନୋସିସି୍‌) ବି ହେଉନାହିଁ। ସ୍ଥିତି ଏମିତି ଯେ ଏସବୁ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ କାହିଁକି ଖୋଲାଯାଇଛି ବୋଲି ସାଧାରଣ ଜନତା ପ୍ରଶ୍ନ କଲେଣି। ଭୁବନେଶ୍ବରରେ ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ୟୁପିଏଚ୍‌ସି), ବିଏମ୍‌ସି ହସ୍ପିଟାଲକୁ ମିଶାଇ ୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ୟୁସିଏଚ୍‌ସି) ଓ ୧୮ଟି ୱେଲନେସ କେନ୍ଦ୍ର ରହିଛି। କିନ୍ତୁ ଏସବୁ ସ୍ବାସ୍ଥ୍ୟାନୁଷ୍ଠାନ ଅବସ୍ଥା ନ କହିବା ଭଲ। କାରଣ ଏଥିରେ ୬୦%ରୁ ଅଧିକ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ଖାଲି ରହିଛି। ଏଥିରୁ ରାଜ୍ୟରେ ଡାକ୍ତରଙ୍କ କିଭଳି ଉତ୍କଟ ଅଭାବ ରହିଛି ତାହା ବାରି ହୋଇପଡ଼ୁଛି। ଡାକ୍ତର ନ ଥିବାରୁ ସିଏଚ୍‌ସିଗୁଡ଼ିକ ୨୪ଘଣ୍ଟିଆ ଖୋଲିପାରୁନାହିଁ। ଏସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ୩୫ରୁ ଅଧିକ ପ୍ରକାରରର ପରୀକ୍ଷାନିରୀକ୍ଷା କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ପରୀକ୍ଷା ସ୍ବାସ୍ଥ୍ୟାନୁଷ୍ଠାନରେ ହେଉଛି ଓ ବଳକା ଏକ ଘରୋଇ ସଂସ୍ଥାକୁ ନମୁନା ଦିଆଯାଉଛି। ମୋଟାମୋଟି ଭାବେ ୬୫ ପ୍ରକାରର ପରୀକ୍ଷା ହେଉଥିବା ସରକାରୀ ଅଧିକାରୀ କହୁଛନ୍ତି। ମାତ୍ର ବାସ୍ତବରେ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ଡାଏଗ୍ନୋସିସ୍ ପାଇଁ ଲୋକଙ୍କୁ ନିରାଶ ହେବାକୁ ପଡ଼ୁଛି। ପରୀକ୍ଷାନିରୀକ୍ଷା ପାଇଁ ଆବଶ୍ୟକ ରିଏଜେଣ୍ଟ ଦିଆଯାଉ ନ ଥିବାରୁ ଏଭଳି ସମସ୍ୟା ଦେଖା ଦେଉଛି ବୋଲି ଅନେକ ଅଭିଯୋଗ କରୁଛନ୍ତି। ଯେହେତୁ ରାଜଧାନୀର ଛୋଟ ସ୍ବାସ୍ଥ୍ୟାନୁଷ୍ଠାନ କାମ କରୁନାହିଁ, ଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ପୂର୍ବଭଳି ଯେଉଁ ଚାପ ରହିଥିଲା ତାହା ଜାରି ରହିଛି।

Advertisment

ସାଧାରଣ ପରୀକ୍ଷା ବି ହେଉନି, ପଦବି ପୂରଣ ପାଇଁ ବିଜ୍ଞାପନ ବାହାରିଲେ ବି ଆସୁନାହାନ୍ତି ଡାକ୍ତର
୭୦ବର୍ଷରୁ ଅଧିକ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟାନୁଷ୍ଠାନ

ଚିନ୍ତାଜନକ ବିଷୟ ହେଉଛି ଯେ ୟୁପିଏଚ୍‌ସି ଓ ୟୁସିଏଚ୍‌ସିରେ ଡାକ୍ତର ପଦବି ପୂରଣ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କଲେ ମଧ୍ୟ ଡାକ୍ତର ଆସୁନାହାନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସା‌‌ରେ, ଗତ ଜାନୁଆରି ମାସରେ ୨୫ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଜଣେ ଡାକ୍ତର ଏଥିପାଇଁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସଂପୃକ୍ତ ଡାକ୍ତର ଜଣକ ଏଠାରେ କାମ କରିବା ପାଇଁ ଓହରି ଯାଇଥିଲେ। ଠିକା ନିଯୁକ୍ତିରେ ଡାକ୍ତରମାନଙ୍କୁ ୬୫ହଜାର ଟଙ୍କା ଦିଆଯାଉଛି। ଏହା ଯଥେଷ୍ଟ କମ୍ ବୋଲି ଅନେକ ଅନୁଭବ କରୁଛନ୍ତି। ତେଣୁ ଡାକ୍ତରମାନେ ଏଠାରେ କାମ କରିବା ଲାଗି ଆଗ୍ରହ ଦେଖାଉନାହାନ୍ତି। ସେହିପରି ଏସବୁ ସ୍ବାସ୍ଥ୍ୟାନୁଷ୍ଠାନରେ ଚୁକ୍ତି ଭିତ୍ତିରେ କାମ କରୁଥିବା ୨୫ଜଣ ଡାକ୍ତର ଓପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ତେଣୁ ସେମାନେ ଏଠାରୁ ଇସ୍ତଫା ଦେଇଦେଲେ। ଏଭଳି ଏକ ବିଚିତ୍ର ପରିସ୍ଥିତି ଦେଇ ରାଜଧାନୀର ୟୁପିଏଚ୍‌ସି ଓ ୟୁସିଏଚ୍‌ସି ଗତି କରୁଛନ୍ତି। କିଭଳି ଡାକ୍ତରଙ୍କ ଅଭାବ ଦୂର କରାଯିବ ତାହାର ଉପାୟ ବିଭାଗୀୟ ଅଧିକାରୀ ପାଉନାହାନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଡାକ୍ତରଙ୍କ ଅଭାବ ଦୂର ପାଇଁ ଉଦ୍ୟମ କରାଯାଉଛି। ୱାକ୍ ଇନ ଇଣ୍ଟରଭ୍ୟୁ ଜରିଆରେ ସାକ୍ଷାତକାର ପାଇଁ ଆହ୍ବାନ କରାଯାଉଛି। ହେଲେ ଡାକ୍ତର ଆସୁନାହାନ୍ତି। ଏଥିପାଇଁ ବାଧ୍ୟରେ କିଛି ସ୍ଥାନରେ ୭୦ବର୍ଷରୁ ଅଧିକ ଡାକ୍ତରଙ୍କ ଫିଜିକାଲ ଫିଟନେସ୍ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯାଉଛି। ହେଲେ ଯେଉଁ ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ପରୀକ୍ଷାନିରୀକ୍ଷା ହେଉନାହିଁ ତାହାର କାରଣ ଖୋଜାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।