ଔଦ୍ୟୋଗିକ ପରମ୍ପରାକୁ ବ୍ୟାପକ କରିବାକୁ ଆହ୍ବାନ

ବଣିକ ସଂଘରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା

ରାଉରକେଲା: ରାଉରକେଲା ବଣିକ ସଂଘ ପକ୍ଷରୁ ବାଇପାସ୍‌ରୋଡସ୍ଥ ସଂଘ ପରିସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସଭାପତି ସୁବ୍ରତ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ମୁଁ ରାଉରକେଲାକୁ ମୋର ଘର ବୋଲି ଭାବେ। ରାଉରକେଲାକୁ ଓ୍ୱେଲଥ୍ କ୍ରିଏସନର ପେଣ୍ଠସ୍ଥଳି କରିବା ପାଇଁ ସାମୂହିକ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ନଗରୀର ଔଦ୍ୟୋଗିକ ପରମ୍ପରାକୁ ବ୍ୟାପକ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ କୋଇଲା, ଲୁହା ପଥର, ଇସ୍ପାତ୍ ଉତ୍ପାଦନ ପାଇଁ ପ୍ରଚୁର କଞ୍ଚାମାଲର ପ୍ରଚୁରସମ୍ଭାବନା ରହିଛି । ଏହାକୁ ଉପଯୋଗ କରି ରାଉରକେଲାରେ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦିଗରେ ଆମେ ସମସ୍ତ ମିଳିତ ଉଦ୍ୟମ କରିବା ଦରକାର ।

ରାଉରକେଲାରେ ବ୍ୟବସାୟିକ ଅଭିବୃଦ୍ଧି, ରାଜସ୍ୱ ବଢ଼ାଇବା, ଓ୍ୱେଲଥ କ୍ରିଏସନ, ନୂଆପିଢିର ଲୋକମାନେ ଏହି ଶିଳ୍ପ କ୍ଷେତ୍ରରେ କିଭଳି ଆସିବେ, ଏହା ଉପରେ ଚାମ୍ବର ଅଫ୍ କମର୍ସ ଅଧ୍ୟୟନ କରିବା ଜରୁରୀ । ଏମଏସଏମଇ ପରିସଂସ୍ଥାନରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ କରାଇବା ଏବଂ ରାଉରକେଲା ଚାମ୍ବର ଅଫ୍ କମର୍ସର ନେତୃତ୍ୱରେ ଏଠାରେ ଔଦ୍ୟୋଗିକ ପରମ୍ପରାକୁ ବ୍ୟାପକ କରିବା ଦରକାର ବୋଲି କହିଥିଲେ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଉପସ୍ଥିତ ଥିଲେ। ବଣିକ ସଂଘର ସାଧାରଣ ସମ୍ପାଦକ ସୁନୀଲ କାୟଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଘର ସମ୍ପାଦକ (ପ୍ରଶାସନ) ଶୁଭମ୍‌ କାପୁର ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର