ନକଲି ଚାଷୀ କାର୍ଡରେ ବ୍ୟାପକ ଦୁର୍ନୀତି: ପୁଲିସ, ଯୋଗାଣ ବିଭାଗର ହାତ ପାଉନି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟ୍, ନକଲି ପ୍ରମାଣପତ୍ର ରାକେଟ୍‌ ଛାଇଯାଇଛି। ଖୋଳତାଡ଼ ପରେ କିଛି ରାକେଟ୍‌ର ପର୍ଦ୍ଦାଫାସ ହେଉଛି। ହେଲେ, ପୁଲିସ୍‌ ମାମଲାର ମୂଳକୁ ପହଞ୍ଚି ପାରୁନି। ଏସବୁ ଭିତରେ ଜିଲ୍ଲାରେ ବହୁଦିନ ହେଲା ଜାଲ୍‌ ଚାଷୀ କାର୍ଡରେ ବ୍ୟାପକ ଧାନ ଦୁର୍ନୀତି ଚାଲିଛି। ଜାଲ୍‌ ଚାଷୀ କାର୍ଡ ଜରିଆରେ କୋଟି କୋଟି ଟଙ୍କାର ଧାନ ଦୁର୍ନୀତି ହେଉଛି। ଖୋଦ୍‌ ମିଲର୍ସ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଏହି ଜାଲ୍‌ କାରବାର ବଢ଼ିଚାଲିଛି। ହସ୍ତଗତ ସୂଚନା ଅନୁସାରେ; ଯେଉଁ ନକଲି କାର୍ଡ ପ୍ରସ୍ତୁତ କରାଯାଉଛି, ସେଥିରେ ସଂପୃକ୍ତ ବ୍ୟକ୍ତିଙ୍କ ନାମରେ କିଛି ଜମି ନଥିବା ଜଣାପଡ଼ୁଛି। କିନ୍ତୁ, ସେହି ନାମରେ ଅନ୍ୟ ଗାଁରେ କାର୍ଡଧାରୀ ଚାଷୀ ରହିଛନ୍ତି। ଭୂମିହୀନ ଶ୍ରେଣୀର ଲୋକେ କେବଳ କିଛି ଟଙ୍କା ପାଇଁ ଏହି ନକଲି କାରବାରକୁ ସମର୍ଥନ ଜଣାଉଛନ୍ତି। ଫଳରେ, ସେହି ବ୍ୟକ୍ତି ନାମରେ ଜାଲ୍‌ ଚାଷୀ କାର୍ଡ କରି ଶହଶହ ବସ୍ତା ଧାନ ବିକ୍ରି ହେଉଛି। ଏଥିରୁ ମିଲର୍ସ ଏବଂ ଦଲାଲ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

କେବଳ ସେତିକି ନୁହେଁ, ଅଣଜଳସେଚିତ ଅଂଚଳରେ ଗୋଟିଏ ବୋର୍‌ୱେଲ୍‌ ପରିସୀମାରେ ଅଢ଼େଇ ହେକ୍ଟର ଜମି ଚାଷ ହେଉଥିବା ଆନୁମାନିକ ପରିସଂଖ୍ୟାନ ରହିଛି। ଅଢ଼େଇ ହେକ୍ଟର ଜମିରୁ ପ୍ରାୟ ୬୦ କ୍ବିଣ୍ଟାଲ ଧାନ ବାହାରିଥାଏ। କିନ୍ତୁ ଭୂମିହୀନଙ୍କ କାର୍ଡ ତିଆରି କରି କ୍ବିଣ୍ଟାଲ ପିଛା ୧୨ରୁ ୧୩ଶହ ଟଙ୍କାରେ ଧାନ ବିକ୍ରି କରାଯାଉଛି। ଅର୍ଥାତ୍‌ ନକଲି କାର୍ଡ ବଳରେ ମିଲର୍ସ କିମ୍ବା ଦଲାଲଙ୍କୁ କ୍ବିଣ୍ଟାଲ ପିଛା ୬ଶହ ଟଙ୍କାର ମୁନାଫା ହେଉଛି। କାର୍ଡ ପାଇଁ ଆଧାରକାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ବିଦ୍ୟୁତ୍‌ ବିଲ୍‌ ଜରୁରି। ଏସବୁ ନଥିପତ୍ର ମଧ୍ୟ ଦଲାଲ ଯୋଗାଡ଼ କରି ଦେବାପରେ ପ୍ରସ୍ତୁତ ହେଉଛି ଚାଷୀ କାର୍ଡ। ଏଣେ ଖରିଫ୍‌ ଧାନକିଣା ଚାଲିଥିବା ବେଳେ ଜାଲ୍‌ ଚାଷୀ କାର୍ଡ କାରବାର ମଧ୍ୟ ବ୍ୟାପକ ଭାବେ ଚାଲିଛି। ଜଣେ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ‘ଜିଲ୍ଲାର ସବୁ ବ୍ଲକ୍‌ରେ ଚାଷୀଙ୍କୁ ଧାନ ବିକ୍ରି ଚିନ୍ତା ଘାରିଛି। କାହାର ଚାଷୀ କାର୍ଡ ନଥିବା ବେଳେ କାହାପାଖକୁ ଟୋକନ୍‌ ପହଞ୍ଚୁ ନାହିଁ। ପ୍ରତି ଋତୁରେ ଲକ୍ଷାଧିକ କ୍ବିଣ୍ଟାଲ ଧାନ ବିକ୍ରି ହୋଇପାରୁନି। ଚାଷୀ ଧାନକୁ ଘରେ ଗଚ୍ଛିତ ରଖୁଛି। କିନ୍ତୁ, ନକଲି କାର୍ଡ ବଳରେ ସରକାରୀ ଖାତାରେ ଟାର୍ଗେଟ୍‌ ପୂରଣ ହୋଇଯାଉଛି। ଉଦ୍‌ବେଗଜନକ ବିଷୟ ହେଉଛି, ଜିଲ୍ଲାବ୍ୟାପୀ ଚାଲିଥିବା ଏହି କାରବାରର ପର୍ଦ୍ଦାଫାସ କରିବାକୁ ବର୍ତ୍ତମାନ ଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଗାମୀ ଦିନରେ ନକଲି ଚାଷୀ କାର୍ଡଧାରୀଙ୍କୁ ଚିହ୍ନଟ କରିବା ସହ ରାକେଟ୍‌ରେ ସଂପୃକ୍ତ ଥିବା ଦଲାଲ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜୟ କିଷାନ ଆନ୍ଦୋଳନର ସତ୍ୟ ବନଛୋର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର