ଆନନ୍ଦପୁର : ଘସିପୁରା ଅଞ୍ଚଳ‌ରେ ରବିବାର ଦିନ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିବା ବେଳେ ଗଛ ଡାଳ ଭାଙ୍ଗିଛି। ଆନନ୍ଦପୁର ପୌରାଞ୍ଚଳ ପଦ୍ମପୁର ୨ ନମ୍ବର ୱାର୍ଡରେ ଏକ ଆମ୍ବଗଛ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍ ଖୁଣ୍ଟ ସହିତ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତ‌ା ଅବରୋଧ ହୋଇଥିଲା। ଅଗ୍ନିଶମ ବାହିନୀ ଗଛ କାଟି ରାସ୍ତା ସଫା କରିଛନ୍ତି। ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗଛ ପଡ଼ି ପାଚେରି ଭାଙ୍ଗିଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମଧ୍ୟ ଗଛ ଭାଙ୍ଗିଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ବିଦ୍ୟୁତ୍ ତାର ଛିଡ଼ିଥିବାରୁ ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ‌ହୋଇଛି।

Advertisment

ବଜ୍ରାଘାତରେ ଜଣେ ମୃତ
ଘଟଗାଁ : ଘଟଗାଁ ବ୍ଲକ୍‌ ବଡ଼ଜାମୁପଶି ପଞ୍ଚାୟତ କୁଣ୍ଡାପିଠା ଗ୍ରାମରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଗ୍ରାମର କୁଳମଣି ମହାନ୍ତ (୫୮)। ରବିବାର ଅପରାହ୍‌ଣ ୩ଟାବେଳେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ କୁଳମଣି ବାଡ଼ିପଟେ ଠିଆ ହୋଇଥିଲେ। ବଜ୍ରାଘାତରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଗାଁ ବ୍ଲକ୍‌ ଯୁବ ବିଜେଡି ସଭାପତି ରତନ କୁମାଲେ ତାଙ୍କ ବିୟୋଗରେ ଗଭୀର ‌ଶୋକ ପ୍ରକାଶ କରିଛନ୍ତି।

publive-image

କାଳବୈଶାଖୀରେ ଭାଙ୍ଗିଲା ଦଧିନଉତି
ହାଟଡିହି : ହାଟଡିହି ବ୍ଲକ୍‌ରେ ଆଜି ଅପରାହ୍‌ଣରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା କମ୍‌ ହୋଇଥିଲେ ମଧ୍ୟ ଖୁବ ଜୋରରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଲୋକଙ୍କ ଚାଳ ଛପର ଉଡ଼ିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଗୁଡ଼ିକ ନଇଁପଡ଼ିଛି। ଶାସଙ୍ଗ ଶିଖରେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି। ଛେନାପଦି ତାରିଣୀ ମନ୍ଦିର ପରିସରରେ ଥିବା ଏକ ରୁଦ୍ରାକ୍ଷଗଛ ଭାଙ୍ଗିପଡ଼ିଛି। ସେହିପରି ସମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିରାଟ ବିରାଟ ଗଛ ସବୁ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଦୁଡ଼ୁଗାଁରେ ଗଛପଡ଼ି ନିରଞ୍ଜନ ଶଙ୍ଖୁଆ, ରାଜେନ୍ଦ୍ର ଶଙ୍ଖୁଆ, ହାଡ଼ିବନ୍ଧୁ ଶଙ୍ଖୁଆ, କେଶବ ମଲ୍ଲିକଙ୍କ ସମେତ ଅନେକ ଚାଳଘର ଭାଙ୍ଗିଯାଇଛି। ସେହିପରି ବଞ୍ଚୋ, ଅକରୁଆ, ପଞ୍ଚୁଗୋଛିଆ, ବଡ଼ରମ୍ପାସ, ଆମ୍ବୋ, ହାଟଡିହି, ମରୈଗାଁ ଆଦି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

କାଳବୈଶାଖୀରେ ଉଡ଼ିଗଲା ଆଜବେଷ୍ଟସ
ଢେଙ୍କିକୋଟ : ଘଟଗାଁ ବ୍ଲକ୍‌ ବଡ଼ସମିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମର ହାତୀବାରି ସାହିରେ ରବିବାର ଅପରାହ୍‌ଣରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ଗ୍ରାମର ବାବୁ ବେହେରାଙ୍କ ଘରର ଆଜବେଷ୍ଟସ ପବନରେ ଉଡ଼ିଯାଇଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି ଲଙ୍ଗଳକଣ୍ଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।