ନିଶ୍ଚିନ୍ତକୋଇଲି: ଆଜି ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଓ ବାଲିମେଳା ଉତ୍ସବରେ ବ୍ୟାପକ ଅବ୍ୟବସ୍ଥା ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରଷ୍ଟବୋର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାରମ୍ବାର ବୈଠକ ଏବଂ ଖୋଦ୍‌ ଜିଲ୍ଲାପାଳ,ଏସ୍‌ପି ତଦାରଖ କରିଥିଲେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ଆଜି ପୂର୍ବାହ୍‌ଣରେ ମହାପୁରୁଷଙ୍କ ଆଗରେ ଥିବା ଦୀପଷ୍ଟାଣ୍ତରୁ ହଠାତ୍‌ ନିଆଁ ଲାଗି ହୁହୁ ହୋଇ ଜଳିଥିଲା। ଏହି କାରଣରୁ କେତେଜଣ ଶ୍ରଦ୍ଧାଳୁ ସାମାନ୍ୟ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗ ଓ ପ୍ରଶାସନ ପକ୍ଷରୁ ଠିକ୍ ଭାବେ ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିବାରୁ ଏପରି ଅଘଟଣ ଘଟିଲା ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଦୋକାନମାନଙ୍କରେ ଭୋଗ ଓ ମାହାସୁଲକୁ କେନ୍ଦ୍ର କରି ବଚସା ହୋଇଥିଲା। ଏପରିକି ଭୋଗର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ବହୁ ଶ୍ରଦ୍ଧାଳୁ ଠାକୁରଙ୍କ ନିକଟରେ ଭୋଗ ନକରି ତୁଳସୀ ପାଦୁକ ପାଇ ଘରକୁ ଫେରିଥିଲେ।
ତୁହାକୁ ତୁହା ବର୍ଷା ହୋଇଥିଲେ ବି ଶ୍ରଦ୍ଧାଳୁମାନେ ବର୍ଷାକୁ ଖାତିର ନକରି ମହାପୁରୁଷଙ୍କ ଦର୍ଶନ ପାଇଁ ଆସିଥିଲେ।  ଏହାର ସୁଯୋଗରେ ସାଇକଲଷ୍ଟାଣ୍ତଗୁଡ଼ିକରେ ପାର୍କିଂକୁ ନେଇ ଜୁଲମ୍‌ ହୋଇଥିଲା। ତହସିଲ ପ୍ରଶାସନ ପକ୍ଷରୁ ବାଇକ୍ ଓ ଚାରିଚକିଆ ଯାନ ପାର୍କିଂ ଫି’ ୩୦ରୁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବା କୁହାଯାଉଥିଲା। ହେଲେ, ଷ୍ଟାଣ୍ତରେ ଚାରିଚକିଆ ଯାନ ଓ ଅଟୋରିକ୍ସାକୁ ୧ଶହ ଟଙ୍କା ଏବଂ ମୋଟରସାଇକଲକୁ ୫୦ରୁ ୬୦ ଟଙ୍କା ଜୋର୍‌ଜବରଦସ୍ତ ଆଦାୟ କରାଯାଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।