ଲଘୁଖଣିଜ ସମ୍ପଦ ପରିଚାଳନାରେ ବ୍ୟାପକ ଅନିୟମିତତା, ମାପଚୁପ ପାଇଁ ପ୍ରଶାସନର ପଛଘୁଞ୍ଚା

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁଖଣିଜ ସମ୍ପଦ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଛି। ଲିଜ୍ ନାମରେ ଶହ ଶହ କୋଟି ଟଙ୍କା ରାଜସ୍ବ ଲୁଟ ହୋଇଛି। ତେବେ ଧରାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥକୁନ୍ଥ ହେଉଛି। ଏହି ତହସିଲର ରାହାଡ଼ପୁର, ଡଙ୍କାରୀ, ବରଡ଼ା ଓ ଲୁଣିବାରରେ ଥିବା ବିଭିନ୍ନ ଖାଦାନରୁ ୫ଶହ କୋଟି ଟଙ୍କାର କଳାପଥର ବେଆଇନ୍‌ ଭାବେ ଚାଲାଣ ‌ହୋଇଥିବା ଅଭିଯୋଗ ହେଉଛି। ତେବେ ମାପଚୁପ ପାଇଁ ପ୍ରଶାସନ ପଛଘୁଞ୍ଚା ଦେଉଛି।

www.downtoearth.org.in

ଡଙ୍କାରୀ ପାହାଡ଼ ପାଦଦେଶରେ ବରଡ଼ା ମୌଜାରୁ ସର୍ବାଧିକ କଳାପଥର ଲୁଟ୍ ହୋଇଛି। ଏଠାରେ ଦେଢଶହ ଫୁଟ ଗଭୀର ପର୍ଯ୍ୟନ୍ତ ପଥର ଖନନ କରାଯାଇଛି। ତେବେ ତହସିଲର ତହବିଲକୁ ରାଜସ୍ବ ସେହି ତୁଳନା ଆସିନାହିଁ। ବରଡ଼ାରେ ଅଜିତ ସାହୁ(ଜିଲୁ)ଙ୍କ ନାମରେ ୬ ଏକର ଖାଦାନକୁ ବା‌ର୍ଷିକ ୧୦ହଜାର ଘନମିଟର ‌ଖନନ କରିବାକୁ ଅନୁମତି ଦିଆଯାଇଥିବା ବେଳେ ସେ ବାର୍ଷିକ ୨୦୪୫୮ଘନମିଟର ଖନନ ଅନୁମତି ମିଳିଥିବା କହିଛନ୍ତି। ସେହିପରି ପ୍ରହ୍ଲାଦ ଲେଙ୍କାଙ୍କୁ ୨.୫ ଏକର ଖାଦାନରୁ ବାର୍ଷିକ ୧୭୬୪ଘନମିଟର ପଥର ଖନନ କରିବାକୁ ଅନୁମତି ମିଳିଛି। ଡଙ୍କାରୀରେ ଜ୍ୟୋତ୍ସା ଜେନାଙ୍କ ନାମରେ ୮ଏକର ଅଞ୍ଚଳରୁ ୨୫,୯୩୨ଘନମିଟର ବାର୍ଷିକ ପଥର ଖନନ ପାଇଁ ଅନୁମତି ରହିଛି। ରାହାଡ଼ପୁର ପାହାଡ଼ରେ ପ୍ରହଲ୍ଲାଦ ଲେଙ୍କାଙ୍କୁ ୨୫ଏକର ଖାଦାନରୁ ବାର୍ଷିକ ୪୭ହଜାର ଘନମିଟର ଖନନ ପାଇଁ ଅନୁମତି ମିଳିଛି। ସେହିପରି ଲୁଣିବାର ମୌଜାରେ ରଙ୍ଗାଧର ପ୍ରଧାନଙ୍କୁ ୧୨.୫ଏକର ଖାଦାନରୁ ବାର୍ଷିକ ୫୪୩୨ଘନମିଟର ଓ ଗଙ୍ଗାଧର ଓଝାଙ୍କୁ ୧୨.୫ଏକର ଖାଦାନରୁ ବାର୍ଷିକ ୪୦୨୯ଘନମିଟର ପଥର ଖନନ ପାଇଁ ଅନୁମତି ମିଳିଛି। ରାହାଡ଼ପୁର, ଡଙ୍କାରୀ, ବରଡ଼ା ଓ ଲୁଣିବାର ଖାଦାନଗୁଡ଼ିକର ଲିଜ ଅବଧି ଶେଷ ହୋଇନଥିବା ‌ବେଳେ ପ୍ରାୟ ୫ଶହ କୋଟି ଟଙ୍କା କଳାପଥର ଚୋରା ଚାଲାଣ ହୋଇଥିବା ଅଭିଯୋଗ ହେଉଛି। ଏହାର ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

LocalWire

ସୂଚନାଯୋଗ୍ୟ ଡଙ୍କାରୀର ରଞ୍ଜନ ଜେନାଙ୍କ ଖାଦାନରୁ ବେଆଇନ ପଥର ଚାଲାଣ ହୋଇଥିବା ତଦନ୍ତରୁ ଜଣାପଡ଼ିବା ପରେ ୨୩.୩୨କୋଟି ଟଙ୍କା ଜରିମାନା କରାଯାଇଛି। ସେହିପରି ଲୁଣିବାର ମୈାଜାର ଲିଜଧାରୀ ସରୋଜ ରାଉତ(ଗେଡ଼)ଙ୍କ ଉପରେ ୬୩.୩୭କୋଟି ଟଙ୍କା, ଚନ୍ଦ୍ରମଣି ପରିଡାଙ୍କ ଉପରେ ୧.୮୭କୋଟି ଟଙ୍କା ଓ ତାଙ୍କ ପତ୍ନୀ ସାବିତ୍ରୀ ପରିଡ଼ାଙ୍କ ଉପରେ ୧୬.୫୭କୋଟି ଟଙ୍କା ଜରିମାନା କରାଯାଇଛି। ଜରିମାନା ହୋଇଥିବା ୪ଟି ଖାଦାନର ଲିଜ ଶେଷ ପରେ ମାପଚୁପ ହୋଇଛି। ଅଥଚ ଯେଉଁମାନଙ୍କର ଲିଜ ଅବଧି ରହିଛି; ସେଠାରେ ମାତ୍ରାଧିକ ଖନନ ହୋଇଥିବାର ଅଭିଯୋଗ ହେଉଛି। ଏହାକୁ ମାପଚୁପ କରିବାକୁ ପ୍ରଶାସନ ସାହସ ଜୁଟାଇ ପାରୁନାହିଁ । ଏହି ମହାଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ମୂଲଚାଲ ଜାରି ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର