ଭୋଟର ତାଲିକାରେ ବ୍ୟାପକ ଅନିୟମିତତା କରାଯାଇଛି: ବିଜେପି

ଭୁବନେଶ୍ବର : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ବ୍ୟାପକ ଘୋଟାଲା ହୋଇଛି। ପ୍ରକୃତ ଭୋଟରଙ୍କ ନାମ ଭୋଟର ତାଲିକାରେ ପ୍ରକାଶ ପାଇନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ସର୍ବପ୍ରଥମେ ଗୋଟିଏ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରି ସାଧାରଣ ଭୋଟରଙ୍କ ଦାବି, ଆପତ୍ତି, ଅଭିଯୋଗ ଆଦି ଶୁଣିବା ପରେ ଚୂଡ଼ାନ୍ତ ଭୋଟର ତାଲିକ ପ୍ରକାଶ ପାଇଥାନ୍ତା। କିନ୍ତୁ ଅଭିଯୋଗ ତ ଦୂରର କଥା, ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ସାର୍ବଜନୀନ କରାଗଲା ନାହିଁ। ଗତ ଡିସେମ୍ବର ୧୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର ଥିଲା। ସଂରକ୍ଷଣରେ ପରିବର୍ତନ ହେଉଛି ବୋଲି କହି ଭୋଟର ତାଲିକା ପ୍ରକାଶକୁ ଘୁଞ୍ଚାଇ ଚାଲିଲେ। କେବଳ ଯାଜପୁର ଜିଲ୍ଲା ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଗଲାନି। ଭୋଟର ତାଲିକା ମାଗିଲେ ମଧ୍ୟ ଜିଲ୍ଲାପାଳ ଓ ବିଡିଓମାନେ ଦେଉନାହାନ୍ତି। ତାଙ୍କୁ ତାଲିକା ନଦେବାକୁ କୁହାଯାଇଛି ବୋଲି କହୁଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖ ଶେଷ ହୋଇଯାଇଥିଲେ ସୁଦ୍ଧା କାହିଁକି ତାଲିକା ପ୍ରକାଶ ପାଇନାହିଁ?

ପ୍ରତ୍ୟେକ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରି ରାଜ୍ୟ ନିର୍ବାଚନ କମିସନଙ୍କୁ ଗୋଟିଏ ଏବଂ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକୁ ଦୁଇ ଦୁଇଟି କପି ପଠାଇବାର ନିୟମ ଥିବା ସତ୍ତ୍ବେ ତାଲିକା ଦେବା ପାଇଁ କୌଣସି ନିର୍ଦ୍ଦେଶ ଆସିନି ବୋଲି ଜିଲ୍ଲାର ଡିପିଓମାନେ କହୁଛନ୍ତି। ଭୋଟର ତାଲିକା ପ୍ରକାଶ ନକରି ରାଜ୍ୟରେ କେମିତି ପଞ୍ଚାୟତ ନିର୍ବାଚନ ହେବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେହିପରି ପ୍ରତ୍ୟେକ ଜୋନ୍‌ ପାଇଁ ଗୋଟିଏ ସ୍ଥାନରେ ଭୋଟ୍‌ ଗଣତି ହେବ ବୋଲି ଘୋଷଣା କରାଯିବା ସ୍ବଚ୍ଛ ନିର୍ବାଚନ ପରିଚାଳନା ନେଇ ସନ୍ଦେହ ସୃଷ୍ଟି କରୁଛି। ଗୋଟିଏ ଜିଲ୍ଲା ପରିଷଦ ଜୋନରେ ୬ ରୁ ୮ଟି ପଞ୍ଚାୟତ ଏବଂ ୧୦୦ ରୁ ୧୫୦ଟି ପର୍ଯ୍ୟନ୍ତ ୱାର୍ଡ ରହିଛି। ଭୋଟ୍‌ ଗଣତି ବେଳେ ଗୋଟିଏ କେନ୍ଦ୍ରରେ ଶତାଧିକ ଏଜେଣ୍ଟଙ୍କ ଭିଡ଼ ଜମିବ। ଏତେ ଭିଡ଼ରେ ଭୋଟ୍‌ ଗଣତିରେ କିପରି ସ୍ବଚ୍ଛତା ରହିବ। ତେଣୁ ନିର୍ବାଚନ କମିସନ ଏହାର ଏକ ଡେମୋ ଦେଖାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର