ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ଼ ରେଲୱେ ଷ୍ଟେସନରୁ ପ୍ରତ୍ୟହ ବହୁ ସାମଗ୍ରୀ ପରିବହନ ହେଉଛି। ହେଲେ, ଏଥିରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ କାରବାର ହେଉଥିବା ଅଭିଯୋଗ ହେଉଛି।
ରେଳ ବିଭାଗର ନିୟମ ଅନୁସାରେ, ସାମଗ୍ରୀ ରପ୍ତାନୀ କରିବା ଏଜେନ୍ସିକୁ ମାଲବାହୀ ରେଳଗାଡ଼ିର ନିର୍ଦ୍ଧାରିତ ସମୟ ସୀମା ଭିତରେ ମାଲ୍ଲୋଡିଂ ଅନ୍ଲୋଡିଂ ପାଇଁ ଭଡ଼ା ଦେବାକୁ ପଡ଼ିଥାଏ। ସେହି ଅନୁସାରେ ଜୁନାଗଡ଼ ରୋଡ଼ ରେଲୱେ ଷ୍ଟେସନରେ ମାଲବାହୀ ରେଳଗାଡ଼ି ପହଞ୍ଚିବା ପରଠାରୁ ରେଲ ୱାଗନରେ ସାମଗ୍ରୀ ଲୋଡିଂ ହେବାପରେ ଷ୍ଟେସନ ଛାଡ଼ିବା ସମୟ ହିସାବରେ ରେଳଗାଡ଼ି ଭଡ଼ା ନିର୍ଦ୍ଧାରଣ କରାଯାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ହେଲେ, ନିର୍ଦ୍ଧାରିତ ସମୟରେ ରେଳଗାଡ଼ିକୁ ଜୁନାଗଡ଼ ରେଳ ଷ୍ଟେସନରୁ ଛାଡ଼ିବା ପରିବର୍ତ୍ତେ ବହୁ ସମୟ ପରେ ଛଡ଼ା ଯାଉଥିବା ଏବଂ ସେହି ସମୟରେ ବେଆଇନ ଭାବରେ ମାଲ୍ ପରିବହନ କରାଯାଉଛି। ଟ୍ରକ୍ରେ ନିର୍ଦ୍ଧାରିତ ଓଜନଠାରୁ ଯଥେଷ୍ଟ ଅଧିକ ସାମଗ୍ରୀ ପରିବହନ କରାଯାଇ ରେଳ ୱାଗନ୍ରେ ପରିବହନ କରାଯାଉଥିବା ବେଳେ ସେସବୁର ତଦାରଖ ପାଇଁ କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ଠିକାଦାର, ମାଲ ପରିବହନକାରୀ ଏଜେନ୍ସି ସହ ରେଳ ବିଭାଗର କେତେକ ଅସାଧୁ କର୍ମଚାରୀ ମାଲେମାଲ ହେଉଥିବା ଅଭିଯୋଗ ହୋଇଛି।
ଏହି କ୍ରମରେ ଗତ ୮ ତାରିଖ ରାତି ୯.୪୦ରେ ଜୁନାଗଡ଼ ରୋଡ଼ ରେଲୱେ ଷ୍ଟେସନରେ ମକା ଲୋଡ଼ିଂ ହୋଇସାରିଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ ଷ୍ଟେସନରୁ ମାଲବାହୀ ଗାଡ଼ି ଛାଡ଼ି ନଥିଲା। ପରେ ୧୦.୪୦ରେ ଡ୍ୟୁଟିରେ ଥିବା ଆରପିଏଫ୍ କର୍ମଚାରୀ ତପନ ପଟ୍ଟନାୟକ ଲୋଡ଼ିଂ ସ୍ଥାନକୁ ଯାଇ ଦେଖିବା ବେଳେ ସେଠାରେ ଅନ୍ଧାର ମଧ୍ୟରେ ଟ୍ରକ୍ରୁ ମକା ବସ୍ତା ସବୁ ରେଳ ଡବାକୁ ଲୋଡିଂ ଚାଲିଥିଲା। ଘଣ୍ଟାଏ ହେଲା କାହିଁକି ଗାଡ଼ି ଯାଉ ନଥିବା ସମ୍ପର୍କରେ ପଚାରିବାରୁ ଟ୍ରକ୍ ଡ୍ରାଇଭରଙ୍କ ସମେତ କିଛି ଲୋକ ତାଙ୍କୁ ଗାଳିଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ଏ ସମ୍ପର୍କରେ ତପନ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି।
ଏନେଇ ଭବାନୀପାଟଣାଠାରେ ଥିବା ଆର୍ପିଏଫ୍ ଏଏସଆଇ ଅଶୋକ ଶବରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ସେ ଜୁନାଗଡ଼ ଥାନାକୁ ଆସି ତଦନ୍ତ ମଧ୍ୟ କରିଥିବା କହିଛନ୍ତି। ଅନ୍ୟପକ୍ଷରେ, ମାଲ୍ ପରିବହନକାରୀ ଠିକାଦାରଙ୍କ ପକ୍ଷରୁ ସମ୍ପୃକ୍ତ ଆରପିଏଫ୍ କନେଷ୍ଟବଳ ତପନ ପଟ୍ଟନାୟକ ବିରୋଧରେ ଡିଆରଏମ୍ ସମ୍ବଲପୁରଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ତେବେ ମୁନିଗୁଡ଼ା ଆରପିଏଫ୍ ଆଇଆଇସି ଘଟଣାର ତଦନ୍ତ ପାଇଁ ଜୁନାଗଡ଼ ରେଳ ଷ୍ଟେସନକୁ ଆସିଥିବା ବେଳେ ଗଣମାଧ୍ୟମଙ୍କୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଘଟଣାର ପ୍ରକୃତ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।