ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀ ବନାଞ୍ଚଳ କାଳିଆମ୍ବା ସଂରକ୍ଷିତ ଜଙ୍ଗଲର ଆଖପାଖ ଗ୍ରାମ ଗୁଡ଼ିକରେ ଗତ ୪ ଦିନ ହେଲା ୧୮ଟିକିଆ ହାତୀପଲଙ୍କ ଉପଦ୍ରବ ଥମିବା ନାଁ ନେଉନି। ଗତ ସୋମବାର ରାତିରେ ବାରଘରିଆ ଦେବୀପୀଠ ନିକଟରେ ହାତୀପଲ ଧାନଗଦା ନଷ୍ଟ କରିବା ସହ ବହୁ ବସ୍ତାରୁ ଧାନ ଖାଇଦେଇଥିଲେ। ଗତକାଲି ରାତିରେ ଗୁଡ଼ିଆମ୍ବାରୁ ଜିଲୁଣ୍ଡି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଥିବା କଇଣ୍ଡି ଗ୍ରାମର ଜିତେନ୍ଦ୍ର ବିଷୋୟୀଙ୍କ ଫାର୍ମହାଉସ୍‌ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହା ସେଠାରେ ଥିବା ବଡ଼ ନଡ଼ିଆ ଗଛଗୁଡ଼ିକ ମୂଳରୁ ଉପାଡ଼ି ଦେଇଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ଜଙ୍ଗଲରୁ ଏହି ହାତୀପଲ ଆସି ଜିଲୁଣ୍ଡି ନିକଟରେ ଥିବା ଜିତେନ୍ଦ୍ରଙ୍କ ଫାର୍ମହାଉସ୍‌ରେ ପଶିଯାଇଥିଲେ। ସେଠାରେ ଥିବା ଛୋଟିଆ ମଞ୍ଚାକୁ ଭାଙ୍ଗିବା ସହ ମାଛଚାଷ ହେଉଥିବା ପୋଖରୀରେ ପଶି ଦଳାଚକଟା କରିଥିଲେ। ଫଳରେ ମାଛଗୁଡ଼ିକର ଶବ ଆଜି ସକାଳେ ଭାସୁଥିବା ଦେଖିବାକୁ ମିଳିଛି। ଆଉ ବହୁ ପୁରୁଣା ନଡ଼ିଆଗଛ ଗୁଡ଼ିକୁ ମୂଳରୁ ଉପାଡ଼ି ଦେଇଥିଲେ।

Advertisment

କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସଦଳବଳ‌େ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଅନୁଧ୍ୟାନ କରିଥ‌ିଲେ। ହାତୀପଲକୁ ଜନବସତିଠୁ ଦୂର ଡହ-ବାଇବାଲି ଜଙ୍ଗଲ ଭିତରକୁ ‌ଘଉଡ଼ାଇବାକୁ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଫଳରେ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ହୋଇଛି। ଆଜି ସନ୍ଧ୍ୟାରେ ପୁଣି ଗୁଡ଼ିଆମ୍ବା ପାଖରେ ହାତୀପଲ ଜଙ୍ଗଲରୁ ବାହାରକୁ ବାହାରିଥିବା ବେଳେ ବନପାଳ ଶଙ୍କର ପ୍ରସାଦ ଗୌଡ଼ ଓ ଶରତଚନ୍ଦ୍ର ମହାନ୍ତି ପ୍ରମୁଖ କର୍ମଚାରୀଙ୍କ ସହ ପହଞ୍ଚି ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି।

ଗତ କିଛି ମାସ ତଳେ ଏହି ହାତୀପଲ ତାରସିଂ ବନାଞ୍ଚଳର ତିନିଛକିଆ ଲେ‌ମ୍ଭାଇ, ବାରଦଣ୍ଡା, ଗରୁଡୁପଥର ସମେତ ଗାଲେରୀ ରେଞ୍ଜ୍‌ ଅଧୀନ ତିଳିସିଂ ଓ ବାଲିସାହି ଆଦି ଇଲାକାରେ ଘୂରି ବୁଲୁଥିଲେ। ଫସଲ ଅମଳ ପୂର୍ବରୁ ସେହି ସ୍ଥାନରେ ଜମିରେ ପଶି ବ୍ୟାପକ ଧାନ ଫସଲ କରିଥିଲେ। ତାରସିଂ ବନାଞ୍ଚଳର କ୍ଷେତମୁଣ୍ଡଳୀରେ ଜଣେ ଚାଷୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ସେଠାରୁ ମୁଜାଗଡ଼ ବନାଞ୍ଚଳରେ ଆସି ଉପଦ୍ରବ ଖେଳାଇବା ପରେ ବର୍ତ୍ତମାନ କେନ୍ଦ୍ରୀୟ ବନାଞ୍ଚଳରେ ଏହି ହାତୀପଲ ୪ ଦିନ‌ ହେଲା ଗତିବିଧି ଜାରି ରଖିଛନ୍ତି। ସନ୍ଧ୍ୟା ହେହେଲେ ଗାଁ ମୁହାଁ ହୋଇ ଚାଷୀ ସାଇତି ରଖିଥିବା ଧାନକୁ ନଷ୍ଟ କରିପକାଉଛନ୍ତି।