ଭୁବନେଶ୍ବର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ହିଂସାକାଣ୍ଡ ଘଟିଥିଲା ତୃତୀୟ ପର୍ଯ୍ୟାୟରେ ତାହାକୁ ବଳି ଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକୁ ଦେଖି ରାଜ୍ୟ ନିର୍ବାଚନ କମିସନର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଡାକି ତାଗିଦ୍‌ କରିଥିଲେ। କୌଣସି ପରିସ୍ଥିତିରେ ଶାନ୍ତିଶୃଙ୍ଖଳା ନବିଗିଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଗାଁ ଗାଁରେ ଗଣ୍ଡଗୋଳ ହେଉଥିବା ବେଳେ ପୁଲିସ ପ୍ରଶାସନ ପୂରା ଫେଲ୍‌ ମାରିଛି। ନୂଆ ପୁଲିସ ଡିଜି ନିର୍ବାଚନ ପୂର୍ବରୁ ଦାୟିତ୍ବ ନେବାବେଳେ ପଞ୍ଚାୟତ ନିର୍ବାଚନ ମୁଖ୍ୟ ଚାଲେଞ୍ଜ ହେବ ବୋଲି କୁହାଯାଉଥିଲା। ତାହା ଏବେ ପ୍ରମାଣିତ ହୋଇଛି। ପୁରୀରୁ ଆରମ୍ଭ କରି ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ପର୍ଯ୍ୟନ୍ତ ସବୁ ଏବେ ଅଶାନ୍ତ। ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଦୂର କଥା ପୁଲିସ ଅଧିକାରୀଙ୍କୁ ଲୋକ ବାଡ଼େଇ ଗାଁରୁ ବିଦା କରୁଛନ୍ତି। ବିଡିଓ, ସାମ୍ବାଦିକ କେହି ବାଦ୍‌ ପଡ଼ିନାହାନ୍ତି। ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଆରମ୍ଭ କରି ପୋଲିଂ ଅଫିସରଙ୍କ ପର୍ଯ୍ୟନ୍ତ କେହି ଏବେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ବୁଥ୍ ଜବରଦଖଲ, ବାଲାଟ୍ ବାକ୍ସ ଲୁଟ୍ ଭଳି ଅଭିଯୋଗ ବଢ଼ିବଢ଼ି ଚାଲିଛି। ଯାହା ଆଜି ଚରମ ସୀମାରେ ପହଞ୍ଚିଛି।

Advertisment

ଆଜି ରାଜନଗର ବ୍ଲକ ଡେରା ପଞ୍ଚାୟତର ଗୋଖଣି ଗାଁରେ ଆଜି ଗ୍ରାମବାସୀ ପୁଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ଏଠାରେ ଜଣଙ୍କର ଭୋଟର ତାଲିକାରେ ନାମ ନଥାଇ ସେ କିପରି ଏଜେଣ୍ଟ ହୋଇଛନ୍ତି ବୋଲି ଗୋଷ୍ଠୀ ପଚାରିବାରୁ ଆଉ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ହେଲେ ପୁଲିସ କଥା ନଶୁଣି ଲୋକମାନେ ପୁଲିସକୁ ଆକ୍ରମଣ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଏତେ ତୀବ୍ରରୂପ ନେଇଥିଲା ଯେ, ଜଣେ ପୁଲିସ ଅଧିକାରୀ ସର୍ଭିସ୍ ରିଭଲଭର୍ କାଢ଼ି ଡରାଇବା ପରେ ଲୋକ ଛତ୍ରଭଙ୍ଗ ଦେଇଥିଲେ। ଗ୍ରାମବାସୀ କହିଛନ୍ତି ଯେ ପୁଲିସ କିଛି ନବୁଝି ଆମକୁ ପିଟିବାରୁ ଆମେ ପୁଲିସକୁ ପିଟିଥିଲୁ। ଆକ୍ରମଣ ଶିକାର ହୋଇଥିବା ପୁଲିସ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି।

ସେହିପରି ଯାଜପୁର ଜିଲ୍ଲା କୋରେଇ ବ୍ଲକର ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡିଓଙ୍କୁ କିଛି ଲୋକ ଠେଲାପେଲା କରିଛନ୍ତି। ଉକ୍ତ ବୁଥ୍‌ରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ମତଦାନ ବନ୍ଦ ରଖାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ବୁଥ୍‌ ରିଗିଂ ଅଭିଯୋଗ ଆସିଛି। ଏହି ବ୍ଲକର ୪ନଂ ବୁଥ୍‌ରେ ଜଣେ ମହିଳା ବୁଥ୍‌ ଭିତରେ ଅନ୍ୟମାନଙ୍କ ପାଇଁ ଭୋଟ୍‌ ଦେଉଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମ ପ୍ରତିନିଧି ଏବଂ ଭୋଟର ଏହାକୁ ନେଇ ପ୍ରତିବାଦ କରିବାରୁ ସମ୍ପୃକ୍ତ ମହିଳା ଜଣଙ୍କ ଧମକ ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପ୍ରିଜାଇଡିଂ ଅଫିସର ବୁଥ ବାହାରେ ଥିବା ପୁଲିସର ସହାୟତା ଲୋଡ଼ିଥିଲେ।। ପୁଲିସ ନିରବଦ୍ରଷ୍ଟା ସାଜିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ସେହିପରି ଏହି ଜିଲ୍ଲାର କୋଲହ ପଞ୍ଚାୟତର ୪ନଂ ବୁଥ୍‌ରେ ବାଲାଟ୍ ପେପରରେ ଅନିୟମିତତାକୁ ବିରୋଧ କରି ଗାଁ ଲୋକ ଗଣ୍ଡଗୋଳ କରିଛନ୍ତି। ମତଦାନ କେନ୍ଦ୍ର ବନ୍ଦ କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିଛନ୍ତି। ଏପରିକି ଭୋଟ୍‌ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଇଛନ୍ତି। ପୁଲିସ ଘଟଣାସ୍ଥଳକୁ ଆସିଥିଲେ ବି ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସକୁ ଦୂରରୁ ଅଟକାଇ ରଖିଥିଲେ। ଫଳରେ ଏଠାରେ ନିର୍ବାଚନ ବନ୍ଦ ହୋଇଛି।