ଚିକିଟି ଏନ୍‌ଏସିରେ ବ୍ୟାପକ ହିଂସାକାଣ୍ଡ: ବୁଥ୍‌ ରିଗିଂ ସହ ଇଭିଏମ୍‌ ମେସିନ ଭାଙ୍ଗିଲେ

ବ୍ରହ୍ମପୁର : ପୌର ନିର୍ବାଚନ ଭୋଟ୍‌ ଗ୍ରହଣବେଳେ ଗଞ୍ଜାମ ଜିଲ୍ଲା ଚିକିଟି ଏନ୍‌ଏସିରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ବୁଥ୍‌ ରିଗିଂ ସହ ଇଭିଏମ୍‌ ମେସିନକୁ ଭାଙ୍ଗିଦିଆଯାଇଛି। ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପାଞ୍ଜଳି ସେଠୀ ଇଭିଏମ୍‌ ମେସିନ୍ ଭାଙ୍ଗି ଦେଇଥିବା ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସର୍‌ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ରାସ୍ତା ବି ରଣକ୍ଷେତ୍ର ପାଲଟିଛି। ବିଜେଡି ଓ ବିଜେପି ମୁହିଁମୁହିଁ ହେବା ସହିତ ସଂଘର୍ଷ ହେବାରୁ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି, ସକାଳ ପ୍ରାୟ ୮ଟା ବେଳେ ନିର୍ବାଚନ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରା ଓ ତାଙ୍କ ପତ୍ନୀ ତଥା ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ମୀନା ଦ୍ୟାନସାମନ୍ତରା ବିଜେପି ଅଧ୍ୟକ୍ଷା ପ୍ରାର୍ଥୀ ପୁଷ୍ପାଞ୍ଜଳିଙ୍କ ଘରେ ଥିଲାବେଳେ ୧୦ରୁ ୧୨ଟି ବାଇକ୍‌ରେ କିଛି ଯୁବକ ସେଠାକୁ ଯାଇ ରାସ୍ତାରେ ଛିଡ଼ା ହୋଇ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି, ବୁଥ୍‌ ରିଗିଂ କରାଯାଇଥିବା ନେଇ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଗଞ୍ଜାମ ଜିଲ୍ଲାପାଳ ଏବଂ ପୁଲିସ ଡିଜିଙ୍କୁ ଟୁଇଟ୍‌ ଯୋଗେ ଅଭିଯୋଗ କରିଥିଲେ।

ଅପରାହ୍‌ଣରେ ଚିକିଟି ଏନ୍‌ଏସିର ୬ ନଂ ୱାର୍ଡ଼ର ବୁଥ୍‌ରେ ଇଭିଏମ୍‌ ଅଚଳ ଉଦ୍ୟମ ଓ ୭ ନମ୍ବର ବୁଥ୍‌ରେ ଇଭିଏମ୍‌ ମେସିନ୍‌ ଭଙ୍ଗା ଯାଇଥିବା ଘଟଣା ପ୍ରଚାରିତ ହୋଇଥିଲା। ଏଥିପାଇଁ ବିଜେଡି ତରଫରୁ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ପୁଷ୍ପାଞ୍ଜଳିଙ୍କ ଘରେ ଥିବା ଶ୍ରୀ ଦ୍ୟାନସାମନ୍ତରା, ତାଙ୍କ ପତ୍ନୀ ମୀନା ଦ୍ୟାନସାମନ୍ତରା ଏବଂ ବିଜେପି କର୍ମୀଙ୍କୁ ଦାୟୀ କରାଯାଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଚିକିଟି ବ୍ଲକ୍‌ ବିଜେଡି ନେତା ସୁରେନ୍ଦ୍ର ମଣ୍ଡଳଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ଘରକୁ ଟେକା ପଥର ମାଡ଼ କରିବା ସହ ମନୋରଞ୍ଜନଙ୍କ କାର୍‌ ଭାଙ୍ଗିଦେବା ସହ ବିଜେପି କର୍ମୀଙ୍କ ବାଇକ୍‌ ମଧ୍ୟ ଭାଙ୍ଗି ଦେଇଥିଲେ। ଏପରିକି ପୁଷ୍ପାଞ୍ଜଳିଙ୍କ ସ୍କୁଟିକୁ ନେଇ ବନ୍ଧରେ ଫୋପାଡ଼ି ଦେଇଥିଲେ। ଏହାର ପ୍ରତିବାଦ କରି ଶ୍ରୀ ଦ୍ୟାନସାମନ୍ତରାଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ପୁଷ୍ପାଞ୍ଜଳିଙ୍କ ଘର ସମ୍ମୁଖ ନନ୍ଦିନୀ ଢାବା ରାସ୍ତାରେ ଧାରଣାରେ ବସିଥିଲେ। ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।

ସେପଟେ ୭ ନମ୍ବର ବୁଥ୍‌ର ଇଭିଏମ୍‌ ମେସିନ୍‌ ଭାଙ୍ଗି ଦେଇଥିବା ନେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀଙ୍କ ବିରୋଧରେ ପ୍ରିଜାଇଡିଂ ଅଫିସର୍‌ ଏତଲା ଦେଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି। ଶେଷ ଖବର ସୁଦ୍ଧା କେବଳ ବିଜେପି ତରଫରୁ ଥାନାରେ ୧୯ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ବିଜେଡି ତରଫରୁ ମଧ୍ୟ ଜଣେ କର୍ମୀଙ୍କୁ ଆକ୍ରମଣ ହୋଇଥିବା ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର