ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବସ୍ଷ୍ଟାଣ୍ଡ୍ ମୁଖ୍ୟରାସ୍ତା ଉପରେ ଜଣେ ବିଧବା ଯୁବତୀ ଆଜି ଧାରୁଆ ବ୍ଲେଡ଼୍ରେ ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁରୁତର ଆହତ ମହିଳା ଜଣକ ହେଉଛନ୍ତି, କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ନନ୍ଦିନୀ ଗ୍ରାମର ଲକ୍ଷ୍ମୀଧର ପରିଚ୍ଛାଙ୍କ ଝିଅ ଦୁଃଖୀ ବେହେରା (୨୨)। ଦୁଃଖୀଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କ ଚିକିତ୍ସା ଜାରି ରହିଥିବା ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି।
ଦୁଃଖୀ ଭଞ୍ଜନଗର ବ୍ଲକ୍ ଲେମ୍ଭାଇ ଗ୍ରାମରେ ବିବାହ କରିଥିଲେ। ତାଙ୍କ ବିବାହର ଏକ ବର୍ଷ ପରେ ସ୍ବାମୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ସେ ନନିନ୍ଦୀ ଗ୍ରାମ ନିଜ ବାପଘରେ ରହୁଥିଲେ। ହେଲେ ସେଠାରେ ପରିବାର ଲୋକଙ୍କ ସହ ଝଗଡ଼ା ହେବାରୁ ସେ ଅଭିମାନ କରି ଘର ଛାଡ଼ି ଭୁବନେଶ୍ବର ପଳାଇଥିଲେ। ସେଠାରେ ସେ ଗୋଟିଏ ହୋଟେଲ୍ରେ କାମ କରି ଚଳୁଥିଲେ। ଗତକାଲି ରାତିରେ ଜଣେ ଯୁବକ ତାଙ୍କୁ ଘରକୁ ନେଇଯିବ କହି ଭୁବନେଶ୍ବରରୁ ବସ୍ରେ ଆଣିଥିଲା। କିନ୍ତୁ ଘରକୁ ନେବା ପରିବର୍ତ୍ତେ ତାଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଇ ପଳାଇଥିଲା। ହନୁମାନ ମନ୍ଦିର ନିକଟ ଅସ୍ଥାୟୀ ବସ୍ଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ଦୁଃଖୀ ଏକ ବ୍ଲେଡ଼୍ରେ ତାଙ୍କ ହାତକୁ କାଟି ଦେଇ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏହା ଏକ ଜନଗହଳି ସ୍ଥାନ ହୋଇଥିଲେ ମଧ୍ୟ ତାଙ୍କୁ କେହି ଡାକ୍ତରଖାନାକୁ ନେବାକୁ ଆଗଭର ହୋଇ ନଥିଲେ। ସୂଚନା ପାଇ ଭଞ୍ଜନଗର ଥାନା ଏସ୍ଆଇ ସମୀର କୁମାର ବେହେରା ଏବଂ ଲିତାରାଣୀ ପରିଡ଼ା ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/cut.jpg)