ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ପାଲଟିଲେ ପୂର୍ବତନ ସରପଞ୍ଚ ପ୍ରତିମା, ଭଣଜା-ବୋହୂକୁ ବୋହୂ କରି ନେଲେ ପ୍ରତିମାଙ୍କ ଭାଇ

ସ୍ୱତନ୍ତ୍ର ରିପୋର୍ଟ/ ବନ୍ଦନା ମିଶ୍ର

ଅନଗୁଳ/ ଭୁବନେଶ୍ବର : ହୁଳହୁଳି ପଡ଼ିଲା, ଶଙ୍ଖ ବାଜିଲା, ଝିଅ ବାହାଘରଠୁ ବଳି ପୁଣ୍ୟ କାମଟେ ହେଲା। ବିଧବା ବୋହୂର ମଥାରେ ସିନ୍ଦୂର ଲାଗିଲା। ଶାଶୂ ଘରୁ ଝିଅଟିଏ ପରି ବିଦା ହେଲା ଦୁଇ ମାସ ତଳେ ସ୍ୱାମୀଙ୍କୁ ହରାଇଥିବା ପତ୍ନୀ। ଆମେ ଅପଣଙ୍କୁ ‘ବାବୁଲ୍‌’ ଚଳଚ୍ଚିତ୍ରର କାହାଣୀ କିମ୍ବା କୌଣସି ଉପନ୍ୟାସର ଦୃଶ୍ୟ ବଖାଣୁନାହୁଁ, ଏହା ଏକ ନିଚ୍ଛକ ସତ୍ୟ ଘଟଣା।  ଏକ ଆଦର୍ଶ ଓଡ଼ିଆ ପରିବାରର ଉଦାରତାର କଥା, ଯାହା ଦିଏ ମାନବିକତାର ପରିଚୟ।  ଏଥିସହ ଏହା ସୃଷ୍ଟି କରିଛି ଶାଶୂ-ବୋହୂ ସଂପର୍କର ଏକ ନିଆରା ପରିଭାଷା।

ଅନୁଗୁଳ ଜିଲ୍ଲା ତାଳଚେରର ଗୋବରା ଗ୍ରାମ। ୨୦୧୯ ମସିହା ଫେବ୍ରୁଆରି ମାସରେ ଗୋବରା ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିମା ବେହେରାଙ୍କ ସାନ ପୁଅ ରଶ୍ମୀରଞ୍ଜନଙ୍କୁ ବିବାହ କରନ୍ତି ତୁରଙ୍ଗ ଗ୍ରାମର ଲିଲି ବେହେରା। ବିବାହର ୫ ମାସ ପର୍ଯ୍ୟନ୍ତ ବେଶ୍‌ ହସଖୁସିରେ ଚାଲେ ନବଦମ୍ପତିଙ୍କ ବୈବାହିକ ଜୀବନ। ହଠାତ୍‌ ଭାଗ୍ୟ ଦାଉ ସାଧେ। ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଆରପାରିକୁ ଚାଲି ଯାଆନ୍ତି ରଶ୍ମୀରଞ୍ଜନ। ପ୍ରତିମା ଦେବୀଙ୍କ ଘର ଛାରଖାର୍‌ ହୋଇଯାଏ। ସାନ ଭାଇର ମୃତ୍ୟୁ ପରେ ଭାଇ-ବୋହୂର ମୁହଁକୁ ଚାହିଁ ବିବ୍ରତ ହୁଅନ୍ତି ବଡ଼ ପୁଅ ପ୍ରୀତିରଞ୍ଜନ ଓ ତାଙ୍କ ପତ୍ନୀ। ଘରେ କଥା ପଡ଼େ, ସ୍ୱଳ୍ପ ବୟସ୍କା ଲିଲିଙ୍କୁ ବିଧବା ଦୁଃଖରେ ଦେଖିପାରନ୍ତି ନାହିଁ ପରିବାର ଲୋକ। ଲିଲିକୁ ଦ୍ୱିତୀୟ ବିବାହ ପାଇଁ ବୁଝାନ୍ତି ଶାଶୂ। ପ୍ରଥମେ ସେ ମନା କରନ୍ତି। କରନ୍ତେନି ବା କିପରି! ସ୍ୱାମୀ ଚାଲି ଯିବାକୁ ୨ ମାସ ହିଁ ତ ହୋଇଛି। କେମିତି ବୁଝାଇପାରନ୍ତେ ଅବା ମନକୁ। ତଥାବି ବି ଶାଶୂଙ୍କୁ ମାଆ ପରି ମାନୁଥିବା ଲିଲି ଶାଶୂଙ୍କ କଥା କାଟିପାରନ୍ତି ନାହିଁ। ସମସ୍ତଙ୍କ କଥାକୁ ସମ୍ମାନ ଦେଇ ବିବାହ ପାଇଁ ହଁ ଭରନ୍ତି।

ପ୍ରତିମା ଦେବୀ ବୋହୂର ବିବାହ ପ୍ରସ୍ତାବ ନେଇ ପହଞ୍ଚନ୍ତି ହେମସୁରପଡ଼ାର ବାସିନ୍ଦା ନିଜ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପାଖରେ। ପ୍ରାଣବନ୍ଧୁ ବେହେରାଙ୍କ ପୁଅ ସଂଗ୍ରାମ ବେହେରା ସହ ବିବାହ ସ୍ଥିର ହୁଏ। ଭଣଜା ବୋହୂକୁ ନିଜ ଘରକୁ ବୋହୂ କରି ନେବାକୁ ତିଳେ ବି କୁଣ୍ଠା କରନ୍ତି ନାହିଁ ପ୍ରାଣବନ୍ଧୁ ବାବୁ। ଲିଲିଙ୍କ ବାପାଘର ଲୋକ, ପ୍ରତିମା ଦେବୀଙ୍କ ପରିବାର ଓ ପ୍ରାଣବନ୍ଧୁ ବାବୁଙ୍କ ପରିବାର ଲୋକଙ୍କ ଉପସ୍ଥିିିତିରେ ଶେଷରେ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅନୁଗୁଳର ରାଜକିଶୋରପଡ଼ା ଜଗନ୍ନାଥ ମନ୍ଦିରରେ ବିବାହ ସଂପନ୍ନ ହୁଏ। ଏହି ବିବାହରେ ଘରର ସମସ୍ତ ଲୋକ ବେଶ୍‌ ଖୁସି ଥିବା ବେଳେ ମୁଖ୍ୟ ଭୂମିକା ନିଭାଇଥିଲେ ପ୍ରତିମା ଦେବୀ ଓ ତାଙ୍କ ଭାଇ ପ୍ରାଣବନ୍ଧୁ ବାବୁ।

ଏପରି ଏକ ମହାନ କାମ କରି ପରିବାରର ସମସ୍ତ ବ୍ୟକ୍ତି ବେଶ୍‌ ଖୁସି ଅଛନ୍ତି। ସମସ୍ତଙ୍କ ସମର୍ଥନରେ ଏହି ବିବାହ ସଂପନ୍ନ ହୋଇଛି। ପ୍ରତିମା ଦେବୀଙ୍କ ଦିଅର ବସନ୍ତ ବେହେରା ଲିଲିଙ୍କ କନ୍ୟା ଦାନ କରିଛନ୍ତି। ନିଜ ବୋହୂର ଦ୍ୱିତୀୟ ବିବାହ କରାଇବା ପରେ ପ୍ରତିମା ଦେବୀ ତାଙ୍କ ପୁଅକୁ ମନେପକାଇ କୁହନ୍ତି, ‘ଯିଏ ଗଲା ସେ ଆଉ ଫେରିଆସିବନି। ଯିଏ ବଞ୍ଚିଛି ତାକୁ ଜାଣୁ ଜାଣୁ ଆମେ ମାରିଦବୁ କିପରି। ବୋହୂକୁ ମୁଁ ବହୁତ ଭଲପାଏ। ନିଜ ଝିଅଠାରୁ ବି ବେଶି। ତା’ ଦୁଃଖ ଦେଖିପାରିଲି ନାହିଁ ବୋଲି ଅନ୍ୟତ୍ର ବିବାହ ଦେଲି। ବିଧବା ବିବାହ ଏକ ଅପରାଧ ବି ନୁହେଁ। ପ୍ରତ୍ୟେକ ମଣିଷର ଖୁସିରେ ବଞ୍ଚିବାର ଅଧିକାର ରହିଛି।’ କେବଳ ସେତିକି ନୁହେଁ, ଏ ବିବାହକୁ ନେଇ ନିଜର ଖୁସି ବ୍ୟକ୍ତ କରୁ କରୁ ଭାବବିହ୍ଵଳ ହୋଇ ପଡ଼ିଥିଲେ ମୃତ ରଶ୍ମୀରଞ୍ଜନଙ୍କ ବଡ଼ ଭାଇ ପ୍ରୀତିରଞ୍ଜନ। ବିଧବା ଭାଇ-ବୋହୂକୁ ସଧବା ବେଶରେ ଦେଖିବା ପରେ ସେ ବି ଅନେକ ଖୁସି। ସାହି-ପଡ଼ିଶାରୁ ନେଇ ଆଖପାଖ ଅଞ୍ଚଳର ସମସ୍ତଙ୍କ ପାଇଁ ଏ ଆଦର୍ଶ ବିବାହ ଏକ ଉଦାହାରଣ ପାଲଟିଛି। ଫେସ୍‌ବୁକ୍‌ରେ ଅମିତ ସିକୁ ନାମକ ଜଣେ ଯୁବକ ପୋଷ୍ଟ୍‍ କରିବା ପରେ ଏହି ଘଟଣାଟି ଚର୍ଚ୍ଚାର ପରିସରକୁ ଆସିଛି।

ସମ୍ବନ୍ଧିତ ଖବର