କେନ୍ଦୁଝର : ଗାଁ ସାରା ମହିଳା ପାଲଟିଯାଇଥିଲେ ବିଧବା। ଗାଁ ନିକଟ ଚୂନ ଖଣିରେ କାମ କରିବା ସମୟରେ ୪୦ରୁ ଊର୍ଦ୍ଧ୍ବ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଫଳତଃ ଗାଁଟି ପାଲଟି ଯାଇଥିଲା ବିଧବାଙ୍କ ଗାଁ। ଏ ସ˚ପର୍କରେ ‘ସମ୍ବାଦ’ରେ ପ୍ରଥମେ ଏକ ବିସ୍ତୃତ ଖବର 'ବିଧବାଙ୍କ ଗାଁ ମଦରଙ୍ଗାଯୋଡି' ଶୀର୍ଷକରେ ଗତ ୨୦୧୪ ଅକ୍ଟୋବର ୩୧ ରେ ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ କରି ତୁରନ୍ତ ବିଧବାମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ। ଏହାସତ୍ତ୍ବେ ସ˚ପୃକ୍ତ ଚୂନ ପଥର ଖଣି ମାଲିକ ଶୁଣି ନ ଥିଲେ। ବାରମ୍ବାର କୋର୍ଟ କଚେରିରେ ହାରିବା ପରେ ଗତକାଲି ଏହି ବିଧବାଙ୍କ ମଧୢରୁ କେତେଜଣଙ୍କୁ ମିଳିଛି କ୍ଷତିପୂରଣ। ଆହୁରି କିଛି ବିଧବା ଏବେ ବି କ୍ଷତିପୂରଣ ପାଇ ନ ଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକର ମଦରଙ୍ଗାଯୋଡ଼ି ଗାଁ ନିକଟରେ ବନଵାରୀଲାଲ ନେଉଟିଆ କମ୍ପାନି ଚୂନ ଖଣିରେ ସେହି ଗ୍ରାମର ଯୁବକମାନେ ଶ୍ରମିକ ଭାବେ କାମ କରୁଥିଲେ। ଏହି ଚୂନ ଖଣିରେ କାମ କରିବା ଦ୍ବାରା ଫୁସଫୁସ୍‌ ସ˚କ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ପାଖାପାଖି ୪୦ରୁ ଅଧିକ ଯୁବକଙ୍କ ଅକାଳ ବିୟୋଗ ଘଟିଥିଲା। ଏମାନଙ୍କ ସ˚ପର୍କରେ ସମ୍ବାଦରେ ପ୍ରଥମେ ଗତ ୨୦୧୪ ମସିହା ଅକ୍ଟୋବର ୩୧ ତାରିଖରେ ଖବର ପ୍ରକାଶ ପାଇବା ପରେ ହ୍ୟୁମାନ ଵାଚ୍‌ ଅନୁଷ୍ଠାନ ପକ୍ଷରୁ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ଜାତୀୟ ମାନବାଧିକାର କମିସନଙ୍କ ପକ୍ଷରୁ କେସ୍‌ ନମ୍ବର ୪୫୭୨ ରୁଜୁ କରାଯାଇ ଶ୍ରମ କମିସନର ଓ ଜିଲ୍ଲା ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହାପରେ ଶ୍ରମ କମିସନର ଓ ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ୍‌ ମଦରଙ୍ଗାଯୋଡି ଗସ୍ତ କରି ତଥ୍ୟ ପ୍ରମାଣ ଆଧାରରେ ମାମଲା ରୁଜୁ ପାଇଁ କ୍ଷତିଗ୍ରସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହାପରେ ଗ୍ରାମର ବିଧବା ମହିଳାମାନେ ସମାଜସେବୀ ନୀଳାଦ୍ରି ମିଶ୍ରଙ୍କ ନେତୃତ୍ବରେ ଏକ ମାମଲା ରୁଜୁ କରିଥିଲେ।

ଏହାର ବିଚାର କରି ଜୁନ୍‌ ୨୮ ତାରିଖ ୨୦୧୭ ରେ ୧୬ ଜଣ ବିଧବାଙ୍କୁ ପାଖାପାଖି ୪୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଶ୍ରମ ଆୟୁକ୍ତ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶକୁ ସ˚ପୃକ୍ତ କମ୍ପାନି ମାନି ନ ଥିଲା। ଓଲଟା ହାଇକୋର୍ଟରେ ମାମଲା ରୁଜୁ କରିଥିଲା। ହାଇକୋର୍ଟ ଏହି ମାମଲାର ବିଚାର କରି ବିଧବାଙ୍କୁ କ୍ଷତିପୂରଣ ଦେବାକୁ ସ˚ପୃକ୍ତ କମ୍ପାନିକୁ ନିର୍ଦେଶ ଦେବା ପରେ ବିଧବାଙ୍କୁ ଏହି କ୍ଷତିପୂରଣ ମିଳିଛି। ଏହି ନିର୍ଦେଶ ଅନୁସାରେ, କୁନୁ ମୁଣ୍ତାଙ୍କୁ ୧ ଲକ୍ଷ ୫୭ ହଜାର ୭୯୦ ଟଙ୍କା, ଆରତୀ ଖୁଣ୍ଟିଆ ୨ ଲକ୍ଷ ୨ ହଜାର ଟଙ୍କା, ଅଞ୍ଜନା ଖୁଣ୍ଟିଆ ୨ଲକ୍ଷ ୯୨ ହଜାର ୨୧୪, ସୁନାଫୁଲ ଖୁଣ୍ଟିଆଙ୍କୁ ୨ ଲକ୍ଷ ୮୯ ହଜାର ୪୭୦ ଟଙ୍କା, ସରୋଜିନୀ ଖୁଣ୍ଟିଆଙ୍କୁ ୨ ଲକ୍ଷ ୬୬ ହଜାର ୩୭୨ ଟଙ୍କା, ପ୍ରମିଳା ବେହେରାଙ୍କୁ ୩ ଲକ୍ଷ ୪୯ ୯୪୭ ଟଙ୍କା, ପାର ବେହେରାଙ୍କୁ ୨ ଲକ୍ଷ ୨ ହଜାର ୧୯୧ ଟଙ୍କା, ପଦ୍ମାବତୀ ବାରିକଙ୍କୁ ୧ ଲକ୍ଷ ୧୫ ହଜାର ୧୦୫ ଟଙ୍କା, ଚନ୍ଦ୍ରିକା ଖୁଣ୍ଟିଆଙ୍କୁ ୩ ଲକ୍ଷ ୪୧ ହଜାର ୫୯୩ ଟଙ୍କା, ଜାନକୀ ପାତ୍ରଙ୍କୁ ୩ ଲକ୍ଷ ୮୬ ହଜାର ୩୯୭ ଟଙ୍କା, ସୁବାସ ମୁଣ୍ତାଙ୍କୁ ୪ ଲକ୍ଷ ୭୦ ହଜାର ୬୩୯ ଟଙ୍କା, ସାରା ଦେହୁରୀଙ୍କୁ ୧ ଲକ୍ଷ ୬୫ ହଜାର ୩୫୨ ଟଙ୍କା, ଫୁଲ ମୁଣ୍ତା ୪ ଲକ୍ଷ ୧୮ ହଜାର ୧୩୨ ଟଙ୍କା, ଲଳିତା ପାତ୍ରଙ୍କୁ ୪ ଲକ୍ଷ ୮ ହଜାର ୬୪ ଟଙ୍କା, ନିଧି ମୁଣ୍ତାଙ୍କୁ ୫ ଲକ୍ଷ ୬୩ ହଜାର ୫୯୧ ଟଙ୍କା, କଇଁଥ ବେହେରାଙ୍କୁ ୧ ଲକ୍ଷ ୫୫ ହଜାର ୯୭୧ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଏହି କ୍ଷତିଗ୍ରସ୍ତ ବିଧବାମାନଙ୍କୁ ମୋଟ ୪୭ ଲକ୍ଷ ୪୪ ହଜାର ୮୨୪ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।