ଫୁଟ୍‌ପାଥରେ ବିତୁଛି ବିଧବା ମହିଳାଙ୍କ ଜୀବନ

ରାଉରକେଲା: ସ୍ବାମୀ ଓ ପୁଅକୁ ହରାଇଥିବା ଜଣେ ବେସାହାରା ବିଧବା ମହିଳାଙ୍କ ଜୀବନ ବିତୁଛି ରାଉରକେଲା ସହର ଫୁଟ୍‌ଫାଥରେ। କାମ ଅନ୍ବେଷଣରେ ଟ୍ରେନ୍‌ରେ ଚଢ଼ି ଝାଡ଼ଖଣ୍ଡ ଚାଇବସାରୁ ରାଉରକେଲାକୁ ଚାଲି ଆସିଥିଲେ । କାମ ଖୋଜିଲାବେଳେକୁ ଦାଉ ସାଜିଥିଲା କରୋନା କଟକଣା। ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଗାଁକୁ ଫେରିବା ବାଟ ବି ବନ୍ଦ ହୋଇଯାଇଥିଲା। ତଥାପି ଷ୍ଟେସନ, ବସ୍‌ଷ୍ଟାଣ୍ଡ ନିକଟରେ ବନ୍ଦ ଥିବା କିଛି ହୋଟେଲରେ କାମ କରିବାକୁ ମାଲିକଙ୍କୁ ଗୁହାରି କରିଥିଲେ। ଦୋକାନ ବନ୍ଦ ଥିବାରୁ କାମ ନାହିଁ ବୋଲି କହି ସମସ୍ତେ ମନା କରି ଦେଇଥିଲେ। ନିରୁପାୟ ହୋଇ କିଛି ଦିନ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ରାତି କଟାଇଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନଗୁଡ଼ିକ ପକ୍ଷରୁ ମିଳୁଥିବା ଦୁଇ ଓଳା ରନ୍ଧାଖାଦ୍ୟ ଖାଇ ଜୀବନ ଅତିବାହିତ କରୁଥିଲେ।

ରନ୍ଧା ଖାଦ୍ୟ ବନ୍ଦ ହେବା ପରେ ଖାଇବାକୁ ନ ମିଳିବାରୁ ଭୋଗ ଉପାସରେ ଚାଲି ଚାଲି ବେଦବ୍ୟାସ ସ’ ମିଲ ଛକ ନିକଟରେ ପହଞ୍ଚିଥିଲେ। ସେଠାରେ ପ୍ରାୟ ୭ ଦିନ ରହିଥିଲେ। ପେଟର ଭୋକର ଜ୍ବାଳା ମେଣ୍ଟାଇବାକୁ ଲୋକଙ୍କୁ ହାତ ପାତି ମାଗୁଥିଲେ। ଯିଏ ଯାହା ଖାଇିବାକୁ ଦେଉଥିଲା, ତାକୁ ଖାଇ ରହୁଥିଲେ। ସୁରକ୍ଷା ଦୃଷ୍ଟିରୁ ରାତି ଜଗୁଆଳି ଡ୍ୟୁଟି କରୁଥିବା ସ’ ମିଲ୍‌ ଛକ ଦୋକାନ ବାରଣ୍ଡାରେ ରାତି କାଟୁଥିଲେ। ସିକ୍ୟୁରିଟି ଗାର୍ଡ ରାତିରେ ଡ୍ୟୁଟି ପାଇଁ ନ ଆସିବାରୁ ଜୀବନ ପ୍ରତି ବିପଦ ଥିବାରୁ ଉଦିତନଗର ଆମ୍ବେଦକର ଛକ ନିକଟକୁ ଚାଲି ଆସିଥିଲେ । ଗତ ପ୍ରାୟ ୧୦ ଦିନ ହେବ ରାସ୍ତାକଡ ଫୁଟପାଥରେ ବସି ଲୋକଙ୍କୁ ହାତପାତି ମାଗୁଛନ୍ତି। ରହିବା ଓ କାମ ଯୋଗାଡ କରି ଦେବାକୁ ନେହୁରା ହେଉଛନ୍ତି। ସ୍ବାର୍ଥପର ଦୁନିଆରେ କିନ୍ତୁ ସମସ୍ତେ ମୁହଁ ମୋଡି ଚାଲି ଯାଉଛନ୍ତି। ବିଚରା ନିଃସହାୟ ବିଧବା ମହିଳା ଜଣକ ସେମିତି ଭୋକ ଉପାସରେ ଫୁଟ୍‌ପାଥରେ ବସି ଆଖିରୁ ଲୁହ ଗଡାଉଛନ୍ତି। ସହାୟତା ପାଇଁ ସେ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି। ଏମିତି ଜଣେ ନିଃସହାୟ ବିଧବା ମହିଳା ଜଣକ ହେଲେ ଝାଡ଼ଖଣ୍ଡ ଚାଇବସା ମୁର୍ଗାପଡାର ଲକ୍ଷ୍ମୀ ଦେବୀ। ପତି ସୁନ୍ଦରମୁଣ୍ଡା, ପୁଅ ରାଜକୁ ନେଇ ତାଙ୍କର ‌କୁନି ସଂସାର ବେଶ୍‌ ହସ ଖୁସିରେ ଚାଲିଥିଲା। ସ୍ବାମୀ ଚାଇବସା ପୁଲିସ ଗଳିରେ ସାଇକେଲ ମରାମତି ଦୋକାନଟିଏ କରିଥିଲେ। ଦୈନନ୍ଦିନ ଯାହା କିଛି ରୋଜଗାର ହେଉଥିଲା ସେଥିରେ ତାଙ୍କର ପରିବାର ଦୁଃଖକଷ୍ଟେ ଚଳି ଯାଉଥିଲା। ପୁଅ ରାଜକୁ ୮ ବର୍ଷ ହୋଇଥିଲା‌ବେଳେ ଦୁଃଖର କଳା ପାହାଡ ଯେମିତି ତାଙ୍କ ପରିବାରକୁ ମାଡି ଆସିଥିଲା।

ପୁଅକୁ ଜ୍ବର ହେବାକୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର କିନ୍ତୁ ତାଙ୍କ ପୁଅକୁ ବଞ୍ଚାଇ ପାରି ନଥିଲେ । ଏକମାତ୍ର ପୁଅକୁ ହରାଇ ଉଭୟ ପତିପତ୍ନୀ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ତଥାପି ଦୁଃଖକୁ ଭୁଲି ସୁନ୍ଦର ପୂର୍ବଭଳି ସାଇକେଲ ମରାମତି କାମ କରିଥିଲେ। ଏକଦା ଉଭୟ ଲକ୍ଷ୍ମୀ ଓ ତାଙ୍କ ସ୍ବାମୀ ସୁନ୍ଦର ଖାଇପିଇ ଘରେ ଶୋଇଥିଲେ। ରାତିରେ ବିଷଧର ସାପ ସୁନ୍ଦରକୁ ଦଂଶନ କରିଥିଲା। ଗୁରୁତର ଅବସ୍ଥାରେ ପଡୋଶୀଙ୍କ ସହାୟତାରେ ଲକ୍ଷ୍ମୀ ପତି ସୁନ୍ଦରକୁ ନେଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସ୍ବାମୀ ସୁନ୍ଦରକୁ ବଞ୍ଚାଇ ପାରି ନଥିଲେ। ପୁଅ ରାଜ, ସ୍ବାମୀ ସୁନ୍ଦରକୁ ହରାଇ ଏକାକୀ ହୋଇଯାଇଥିଲେ ଲକ୍ଷ୍ମୀ। କେମିତି ପହଞ୍ଚିବେ, ଏହି କଥା ଭାବି ଭାବି ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଶେଷରେ ନିଜ ଆଖିରୁ ନିଜେ ଲୁହ ପୋଛି ଘରୁ ପଦାକୁ ଗୋଡ କାଢ଼ିଥିଲେ।

ବେଶ୍‌ କିଛି ମାସ ବସ୍ତି ନିକଟ ସହରରେ କାମ କରି ପେଟ ପୋଷିଥିଲେ। କୌଣସି କଥାକୁ ନେଇ ଝଗଡା ହେବାରୁ ଦୋକାନୀ କାମରୁ ବାହାର କରି ଦେଇଥିଲେ। ଘରେ ବସି ରହିବା ପରେ ଗତ ମାର୍ଚ୍ଚ ୨୦ରେ କାମ କରିବା ଲକ୍ଷ୍ୟ ନେଇ ଚାଇବାସା ଷ୍ଟେସନକୁ ଚାଲି ଆସିଥିଲେ। ସହର ଛାଡି ଚାଲିଯିବାକୁ ରାଉରକେଲା ପଟେ ଯାଉଥିବା ଟ୍ରେନ୍‌ରେ ବସି ପଡିଥିଲେ। ଟ୍ରେନ୍‌ରେ ରାଉରକେଲା ଷ୍ଟେସନରେ ରହିବା ପରେ ଓହ୍ଲାଇ ପଡିଥିଲେ। ୨/୪ ଦିନ ଷ୍ଟେସନରେ ରାତି କାଟି ଥିଲେ। କାମ ଅନ୍ବେଷଣରେ ବାହାରି ପୂର୍ବରୁ କରୋନା କଟକଣା ପାଇଁ ସବୁ ଦୋକାନ ବନ୍ଦ ହୋଇଥିବାରୁ ନିରାଶ ଷ୍ଟେସନକୁ ଫେରି ଆସିଥିଲେ। ଆଉ ଏବେ ଫୁଟପାଥ ହିଁ ଲକ୍ଷ୍ମୀଙ୍କ ପାଇଁ ଶେଷ ଭରସା ପାଲଟିଛି |

ସମ୍ବନ୍ଧିତ ଖବର