୧୭ ସଧବା ପାଉଛନ୍ତି ବିଧବା ଭତ୍ତା; ତାଲିକାରେ ସରପଞ୍ଚଙ୍କ ଶାଶୂ, ଖୁଡ଼ି ଶାଶୂ

କେନ୍ଦ୍ରାପଡା/ରାଜନଗର : ସ୍ବାମୀ ଜୀବିତ ଅଛନ୍ତି। କିନ୍ତୁ ସରକାରୀ ଖାତାରେ ଏମାନେ ବିଧବା। ସଧବା ହୋଇ ପାଉଛନ୍ତି ବିଧବା ଭତ୍ତା। ଜଣେ କି ଦୁଇଜଣ ନୁହନ୍ତି, ଗୋଟିଏ ପଞ୍ଚାୟତର ୧୭ଜଣ ସଧବାଙ୍କୁ ବିଧବା ଦର୍ଶାଇ ପ୍ରତିମାସରେ ‘ଇନ୍ଦିରା ଗାନ୍ଧି ଜାତୀୟ ବିଧବା ପେନସନ’ ଯୋଜନାରେ ଭତ୍ତା ଯୋଗାଇ ଦିଆଯାଉଛି। କେବଳ ସାଧାରଣ ମହିଳା ନୁହନ୍ତି, ଏହି ତାଲିକାରେ ସରପଞ୍ଚଙ୍କ ଶାଶୂ ଓ ଖୁଡିଶାଶୂ ବି ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଏକମାଣିଆ ପଞ୍ଚ‌ାୟତରୁ ଏଭଳି ସାଂଘାତିକ କେଳେଙ୍କାରୀ ତଥ୍ୟ ସାମ୍ନାକୁ ଆସିଛି।

ଆଳି ବ୍ଲକ୍‌ ଏକମାଣିଆ ପଞ୍ଚାୟତକୁ ଚାରିପଟୁ ନଦୀ ଘେରି ରହିଛି। ଲୋକେ ଘରୁ ବାହାରିଲେ ନଈ ପାର ହେବାକୁ ପଡ଼େ। ଏହି ପଞ୍ଚ‌ାୟତରେ ସଧବାଙ୍କୁ ବିଧବା ଦର୍ଶାଇ ଭତ୍ତା ପ୍ରଦାନ କରାଯାଉଛି। ଏହି ପଞ୍ଚାୟତର ମୁଖ ବିଶ୍ବାଳଙ୍କ ସ୍ବାମୀ ପରମାନନ୍ଦ ଜୀବିତ ଅଛନ୍ତି। ପରମାନନ୍ଦ ଓ ମୁଖଙ୍କ ବୋହୂ ଅହଲ୍ୟା ବିଶ୍ବାଳ ଏହି ପଞ୍ଚାୟତର ସରପଞ୍ଚ। କିନ୍ତୁ, ସରପଞ୍ଚଙ୍କ ଶାଶୂ ମୁଖ ବିଶ୍ବାଳ ବିଧବା ଭତ୍ତା ପାଉଛନ୍ତି। ସରପଞ୍ଚଙ୍କ ଶ୍ବଶୁର ପରମାନନ୍ଦ ଜୀବିତ ଥିବାବେଳେ କିପରି ମୁଖ ବିଧବା ଭତ୍ତା ପାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। କେବଳ ମୁଖ ନୁହନ୍ତି, ସରପଞ୍ଚଙ୍କ ଖୁଡ଼ିଶାଶୂ ସରସ୍ବତୀ ବିଶ୍ବାଳ( ସ୍ବାମୀ ଆନନ୍ଦ) ମଧ୍ୟ ବିଧବା ଭତ୍ତା ପାଉଛନ୍ତି। ଆନନ୍ଦ ଜୀବିତ ଥିବାବେଳେ ସରସ୍ବତୀ ବିଧବା ଭତ୍ତା ପାଉଛନ୍ତି। ଏହି ପଞ୍ଚାୟତର ରମ୍ଭାବତୀ ପରିଡା(ସ୍ବାମୀ ରଙ୍ଗାଧର), ମନ୍ଦରୀ ନାୟକ(ସ୍ବାମୀ ଶଙ୍କର୍ଷଣ), ଅବନ୍ତୀ ରାଉତ(ସ୍ବାମୀ ଫକୀର), ବାସନ୍ତୀ ଦାସ(ସ୍ବାମୀ ରଘୁନାଥ), ହେମଲତା ରାଉତ (ସ୍ବାମୀ ନଟବର), କାଂଚନ ସାହୁ(ସ୍ବାମୀ ଦୁଃଶାସନ), ମାଳତୀ ନାୟକ(ସ୍ବାମୀ ବୈକୁଣ୍ଠ), ମେନକା ବିଶ୍ବାଳ (ସ୍ବାମୀ ଗୋଲେଖ), ରଙ୍ଗଲତା ମଳିକ (ସ୍ବାମୀ କାଶିନାଥ), ରଂଜୁବାଳା ବିଶ୍ବାଳ (ସ୍ବାମୀ ଅଦ୍ବୈତ), ସାବିତ୍ରୀ ବେହେରା (ସ୍ବାମୀ ମହେଶ୍ବର), ଶୋଭା ଜେନା (ସ୍ବାମୀ ମେଘୁ), ଶ୍ରୀମତି ବାରିକ (ସ୍ବାମୀ ହରେକୃଷ୍ଣ), ସୁରମା ନାୟକ (ସ୍ବାମୀ ଗୌରହରୀ), ଝରଣା ନାୟକ (ସ୍ବାମୀ କାଳନ୍ଦୀ) ପ୍ରମୁଖ ୧୭ଜଣ ସଧବା ବିଧବା ଭତ୍ତା ପାଉଛନ୍ତି।

ସରକାରଙ୍କ ନିୟମ ମୁତାବକ ବିଧବା ଭତ୍ତା ପାଇବାକୁ ହେଲେ ସ୍ବାମୀଙ୍କ ମୃତ ସାର୍ଟିଫିକେଟ ନିହାତି ଜରୁରୀ। ସ୍ବାମୀଙ୍କ ମୃତ ସାର୍ଟିଫିକେଟ ସହିତ ରୋଜଗାର ସାର୍ଟିଫିକେଟ, ଆଧାରକାର୍ଡ ଓ ଫଟୋ ସହିତ ଆବେଦନକାରୀ ଆବେଦନ କରିଥାନ୍ତି। ପୂର୍ବରୁ ଅଫ୍‌ଲାଇନରେ ହେଉଥିଲା ବେଳେ ଏବେ ଅନ୍‌ଲାଇନରେ ଆବେଦନ ହେଉଛି। ଆବେଦନ ପରେ ସଂପୃକ୍ତ ପଞ୍ଚାୟତର ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଆବେଦନକାରୀ ମହିଳାଙ୍କ ଘରକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଥା’ନ୍ତି। ଏହି ରିପୋର୍ଟ ବ୍ଲକ୍‌ର ସୋସିଆଲ ସିକ୍ୟୁରିଟି ଅଫିସରଙ୍କ ପାଖକୁ ଯାଇଥାଏ। ବ୍ଲକ୍‌ ସୋସିଆଲ ସିକ୍ୟୁରିଟି ଅଫିସର ଏହାକୁ ତନଖି କରିବା ପରେ ଏହା ବିଡିଓ ଓ ଉପଜିଲ୍ଲାପାଳଙ୍କ ନିକଟକୁ ମଂଜୁରି ପାଇଁ ଯାଇଥାଏ। ଉପଜିଲ୍ଲାପାଳଙ୍କ ମଂଜୁରି ପରେ ଭତ୍ତା ମିଳିଥାଏ। ବଡକଥା ହେଉଛି, ଆବେଦନକାରୀ ଆବେଦନ ସମୟରେ ନିଜ ଫଟୋ ଦେଇଥା’ନ୍ତି ଓ ପିଇଓ ଆବେଦନକାରୀଙ୍କ ଘରକୁ ଯାଇ ତଦନ୍ତ କରି ରିପୋର୍ଟ ଦେଇଥାନ୍ତି। ଏପରିସ୍ଥଳେ ଜଣେ କି ଦୁଇ ଜଣ ନୁହେଁ, ଗୋଟିଏ ପଞ୍ଚାୟତର ୧୭ଜଣ ସଧବା କିପରି ବିଧବା ଭତ୍ତା ପାଇବାକୁ ଯୋଗ୍ୟ ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର