ବିଧବାଙ୍କୁ ବିଚ୍‌ରାସ୍ତାରେ ଅକଥନୀୟ ନିର୍ଯାତନା: ଉଲଗ୍ନ କରି ଘୋଷାଡ଼ି ପିଟିଲେ ବାପା, ମା’ ଓ ପୁଅ

ଗଞ୍ଜାମ: ଚୁଟିକୁ ଧରି ଘୋଷାଡ଼ି ବିଚ୍ ରାସ୍ତାରେ ଉଲଗ୍ନ କରି ବିଧବାଙ୍କୁ ୨ ଘଣ୍ଟା କାଳ ଅକଥନୀୟ ନିର୍ଯାତନା। ବିଚ୍ ରାସ୍ତାରେ ଏଭଳି କୁତ୍ସିତ କାର୍ଯ୍ୟ ଘଟାଇ ଚାଲିଥିଲେ, ଜଣେ ମହିଳାଙ୍କ ସହ ତାଙ୍କ ସ୍ବାମୀ ଓ ତାଙ୍କ ପୁଅ। ହେଲେ ଉଦ୍ଧାର ପାଇଁ ବିଧବା ଜଣକ କେତେ କାକୁତିମିନତି ହେଉଥିଲେ ବି ତାଙ୍କୁ ରକ୍ଷା କରିବାକୁ କେହି ବି ସାମ୍ନାକୁ ଆସି ନ ଥିଲେ। ଆର୍ତ୍ତ ଚିତ୍କାରରେ ଚାରିଆଡ଼ ଫାଟି ପଡ଼ୁଥିଲା। ତଥାପି ଆକ୍ରମଣକାରୀ ସାମାନ୍ୟ ମାନବିକତା ଦେଖାଇ ନଥିଲେ। ଖାଲି ଏତିକି ନୁହେଁ, ପୁଲିସ ବି ଘଟଣାସ୍ଥଳରେ ପହଞ୍ଚି ନଥିଲା। ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଗଞ୍ଜାମ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖ ସାନବଜାର କେଉଟ ସାହିରେ ଆଜି ଜଣେ ମତ୍ସ୍ୟଜୀବୀ ବିଧବାଙ୍କୁ ଉଲଗ୍ନ କରି ଗୋଟିଏ ପରିବାରର ବାପା, ମା ଓ ପୁଅ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ମହିଳା ଜଣକ ହେଉଛନ୍ତି, କୁମାରୀ ବେ‌‌ହେରା (୫୫)। କୁମାରୀ ଏ ନେଇ ସେ ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି। କୁମାରୀ ଆଜି ସକାଳ ୭ଟାରେ ସାହିର ଏକ ପାନଦୋକାନ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ କେଉଟସାହିର ଗାନ୍ଧୀ ବେହେରାଙ୍କ ପତ୍ନୀ ହଠାତ୍ କୁମାରୀଙ୍କ ପାଖକୁ ଆସି ମାଛ ଓଜନକୁ ନେଇ ଯୁକ୍ତିତର୍କ କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ହୋଇଥିଲା। ପାଟି ଶୁଣି ଗାନ୍ଧୀ ଓ ତାଙ୍କ ପୁଅ କ‌ହ୍ନେଇ ପହଞ୍ଚି କୁମାରୀଙ୍କ ଚୁଟିକୁ ଟାଣି ଆଣି ରାସ୍ତା ଉପରେ ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହାସହ ତାଙ୍କୁ ଉଲଗ୍ନ କରି ତାଙ୍କ ପିଠି ଓ ମୁହଁକୁ ବି ଗୋଇଠା ମାରୁଥିଲେ। ପ୍ରାୟ ୨ ଘଣ୍ଟା କାଳ କୁମାରୀଙ୍କ ଉପରେ ଏହି ଅମାନବୀୟ ଅତ୍ୟାଚାର ଚାଲିଥିଲା। ‘ରକ୍ଷା କର ରକ୍ଷା କର’ ବୋଲି କୁମାରୀ ବିକଳରେ ଚିତ୍କାର କରୁଥିଲେ ମଧ୍ୟ ତାଙ୍କ ପାଖକୁ କେହି ଆସିବାକୁ ସାହସ ଜୁଟାଇ ପାରି ନଥିଲେ। ଆକ୍ରମଣକାରୀଙ୍କ ସାହିରେ ଦବ୍‌ଦବା ଥିବାରୁ ‌‌ସେମାନଙ୍କବିରୋଧରେ କେହି ସ୍ବ‌ରୋତ୍ତୋଳନ କରି ନଥିଲେ। ତେବେ କିଛି ଛାତ୍ର ଗୋପନରେ ଏହାର ଭିଡିଓ ଉତ୍ତୋଳନ କରିଥିଲେ।

ଦୀର୍ଘ ୨ ଘଣ୍ଟା ଧରି କୁମାରୀଙ୍କ ଉପରେ ଏହି ଅକଥନୀୟ ନିର୍ଯାତନା ଚାଲିଥିଲା। ଆଉ ଏହି ସମୟରେ ଦେବେନ୍ଦ୍ର ସାହୁ ନାମକ ଜଣେ ଇଞ୍ଜିନିୟରିଂ ଛାତ୍ର ଏହାକୁ ସହ୍ୟ କରି ନପାରି କୁମ‌ାରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ମଧ୍ୟ ବାପାପୁଅଙ୍କ ଆକ୍ରୋଶରୁ ବର୍ତ୍ତି ପାରି ନଥିଲେ। ନିଜେ ମାଡ଼ ଖାଇ ମଧ୍ୟ କୁମାରୀଙ୍କୁ ସେଠାରୁ ଉଦ୍ଧାର କରି ବହୁ କଷ୍ଟରେ ଗଞ୍ଜାମ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୀର୍ଘ ୪ ଘଣ୍ଟା କାଳ କୁମାରୀଙ୍କ ଚିକିତ୍ସା ହୋଇଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ନାକ ଓ ମୁହଁ ଏବଂ ପିଠିରେ ବି ଗଭୀର ଆଘାତ ଲାଗିଛି। ଏହି ଘଟଣାକୁ ନେଇ ଦିନ ସାରା ପୁଲିସ ଘଟଣାସ୍ଥଳକୁ ଆସି ନଥିଲା କି ନିଜ ଆଡ଼ୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଆଜି ସନ୍ଧ୍ୟା ୬ଟାରେ ସହରର କିଛି ଯୁବ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ଥାନାକୁ ଯାଇ ଏତଲା ଦେଇଛନ୍ତି। କୁମାରୀ ବି ଥାନାରେ ପହଞ୍ଚିଥିଲେ। ଖବର ମିଳିବା ସୁଦ୍ଧା, ଏଯାଏ ମାମଲା ରୁଜୁ ହୋଇନି। କୁମାରୀ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଏକୁଟିଆ ରହୁଛନ୍ତି। ଏକ ମାତ୍ର ପୁଅ ବିବାହ କରି ଅନ୍ୟତ୍ର ରହୁଛି। ଘରକୁ ଘର ବୁଲି କୁମାରୀ ମାଛ ବିକ୍ରି କରୁଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି।

ସମ୍ବନ୍ଧିତ ଖବର