ବେଗୁନିଆପଡ଼ା: ପ୍ରଭୁ ଲିଙ୍ଗରାଜଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ। ଏବେ ସ୍ବାମୀ ଆଉ ଧରା ଦେଉନାହାନ୍ତି। ପତ୍ନୀର ମାନ୍ୟତା ଦାବି କରି ମହିଳା ଜଣକ ଶଶୁର ଘର ଆଗରେ ବର୍ଷାରେ ଭିଜିଭିଜି ଧାରଣା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବାଲିସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମହିଳା ଜଣକ ହେଲେ ପୁସ୍ତପୁର ଗ୍ରାମର କସ୍ତୁରୀ ଘୋଷ।
ସୂଚନା ଅନୁସାରେ କସ୍ତୁରୀ ବେଗୁନିଆପଡ଼ା ବାଲିସାହିର ବିଶ୍ୱଜିତ ଜଗନ୍ନାଥ ସାହୁଙ୍କୁ ଭଲ ପାଉଥିଲେ। କିନ୍ତୁ ପରିବାର ଲୋକଙ୍କର ଉଦ୍ୟମରେ ସେ ଅନ୍ୟତ୍ର (ମର୍ଡକୋଟ) ବିବାହ କରିଥିଲେ। ଏଥିରେ ବିଶ୍ବଜିତ କ୍ରୋଧାନ୍ବିତ ହୋଇଥିଲେ। କସ୍ତୁରୀଙ୍କ ସ୍ଵାମୀଙ୍କ ପାଖକୁ ବିଶ୍ୱଜିତ ଅଶ୍ଳୀଳ ଫଟୋ ପଠାଇଥିଲେ। ଯାହାଫଳରେ କସ୍ତୁରୀଙ୍କୁ ତାଙ୍କ ସ୍ଵାମୀ ଛାଡ଼ିଦେଇଥିଲେ। କସ୍ତୁରୀ ତାଙ୍କ ସ୍ବାମୀଙ୍କୁ ଛାଡି ଆସିବା ପରେ ବିଶ୍ୱଜିତ ତାଙ୍କୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ବିଶ୍ବଜିତ ଓ କସ୍ତୁରୀ ଗଂଜାମ ଜିଲ୍ଲା କୋଦଳା ଓ ଖଲିକୋଟରେ ବିଭିନ୍ନ ସମୟରେ ଭଡ଼ା ଘରେ ରଖିଥିଲେ। କିନ୍ତୁ ଏବେ କିଛି ଦିନ ହେଲା ବିଶ୍ୱଜିତ ତାଙ୍କୁ ଖଲିକୋଟ ଭଡ଼ା ଘରେ ଛାଡ଼ି ଫେରାର ହୋଇଯାଇଥିଲେ।
ସ୍ବାମୀ ବିଶ୍ବଜିତଙ୍କୁ ଖୋଜିବା ପାଇଁ ସେ ବାହାରିଥିଲେ। କସ୍ତୁରୀ ଏହି ଅଭିଯୋଗ ଆଣିବା ସହ ବିଶ୍ୱଜିତଙ୍କ ଘରକୁ ପହଞ୍ଚି ଥିଲେ। କିନ୍ତୁ ବିଶ୍ୱଜିତ ଫେରାର ହୋଇ ଯାଇଥିବା ଜାଣିବା ପରେ ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।
ଏ ନେଇ ଖଲ୍ଲିକୋଟ ଥାନାରେ କସ୍ତୁରୀ ଅଭିଯୋଗ ମଧ୍ୟ କରିଛନ୍ତି। ବିଶ୍ବଜିତଙ୍କ ପରିବାର ଲୋକେ ତାଙ୍କୁ ବୋହୂର ମାନ୍ୟତା ଦିଅନ୍ତୁ ବୋଲି କହିଛନ୍ତି। ବୋହୂର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ସେ ସେଠାରେ ଧାରଣାରେ ବସିବେ ବୋଲି କହିଛନ୍ତି। କସ୍ତୁରୀଙ୍କୁ ବର୍ଷାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।