ଭୁବନ: ଏବେ ବି ବଞ୍ଚି ରହିଛି ମଧ୍ୟଯୁଗୀୟ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ (୩୨ବର୍ଷ) ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଚିକିତ୍ସା କରି ମହିଳାଙ୍କୁ ଡାକ୍ତରଖାନାରେ ରାତିରେ ରହିବାକୁ ସୁଯୋଗ ଦେବା ସହ ଖାଇବାକୁ ଦେଇଥିଲେ। ତେବେ ଡାକ୍ତରଖାନାରେ ଅଧିକ ଦିନ ରହିହେବ ନାହିଁ ବୋଲି ଡାକ୍ତର କହିଥିଲେ।
ଖବର ପାଇ ମାନବାଧିକାର କର୍ମୀ ପୁଷ୍ପଲତା ରଣା ଘଟଣାସ୍ଥଳରେ ପହଞ୍ଚିଥିଲେ। ୪୦ ଦିନ ପୂର୍ବେ କନ୍ୟାସନ୍ତାନ ଜନ୍ମ ଦେଇଥିବାରୁ ସୁଲୋଚନାଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିବା ଜଣାପଡ଼ିଥିଲା। ସୁଲୋଚନାଙ୍କ ବିଧବା ମା’ ମଉନା ନାୟକ ଗତ ସେପ୍ଟେମ୍ବର ୧୯ ତାରିଖ ଭୁବନ ଥାନାରେ ଏତଲା ଦେଇଥିଲେ। ଗଡ଼ନୃସିଂହପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚମ୍ପାନାଳିଆ ଗ୍ରାମର ବାବୁଲା ନାୟକଙ୍କ ପତ୍ନୀ ମଉନା ପୁଲିସରେ ଦେଇଥିବା ଅଭିଯୋଗ ଅନୁସାରେ, ୧୪ ବର୍ଷ ତଳେ ତାଙ୍କ ଝିଅ ସୁଲୋଚନା ସହ ଗୁଡ଼ିଆକାଟେଣୀ ଗାଁର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ବାରମ୍ବାର ଝିଅ ଜନ୍ମହେବାରୁ ସ୍ୱାମୀ ଚୈତନ୍ୟ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଥିଲା। ଢେଙ୍କାନାଳ ଏସ୍ପିଙ୍କୁ ବି ଏ ସମ୍ପର୍କରେ ଜଣାଇଥିବା ମଉନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/dgdadgdg-2025-11-16-01-28-43.jpg)