ବାପାଙ୍କ ମୃତ୍ୟୁ ପରେ ପୁଅ ଜୀବନ ସହ କରୁଛି ସଂଘର୍ଷ, ସିନ୍ଦୁର ପାଇଁ ପତ୍ନୀ,ରାକ୍ଷୀ ପାଇଁ ଭଉଣୀର ଉଦ୍ୟମ ଜାରି

ଇସିଏମ୍ଓ ଚିକିତ୍ସା ପାଇଁ ସ୍ବାମୀଙ୍କୁ ଏୟାର ଲିଫ୍ଟ କରିଲେ ସରିଗଲାଣି ସମସ୍ତ ଅର୍ଥ,ସହାୟତା ପାଇଁ ନିବେଦନ

ଭଞ୍ଜନଗର: କରୋନାର କରାଳରେ ମାନବ ସମାଜର ସ୍ଥିତି ଦୋହଲି ଗଲାଣି | ପ୍ରତିଦିନ ଅନେକ ଜୀବନ ଯାଉଥିବା ‌ସହ ଅନେକ ପରିବାର ନିମିଷକ ମଧ୍ୟରେ ଛାରଖାର ହୋଇଯାଉଥିବା ଖବର ସାମ୍ନାକୁ ଆସୁଛି। କରୋନାରେ ସଂକ୍ରମିତ ହୋଇ ‌କିଛି ପରିବାର ମୂରବି ଶୂନ୍ୟ ହୋଇପଡ଼ୁଛି ତ କେଉଁଠି ଜଟିଳ ରୋଗରେ ଆକ୍ରାନ୍ତ ହୋଇ ସର୍ବସ୍ବ ହରାଇବାକୁ ପଡୁଛି। ତଥାପି ନିଜର ପ୍ରିୟ ଜନକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ପରିବାର ଲୋକ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ। ସହର ଉପକଣ୍ଠରେ ଲ‌ଣ୍ଡେଇସାହିରେ ରହୁଥିବା କାଳୁଚରଣ ସାହୁଙ୍କ ଗତମାସ ୧୧ ତାରିଖରେ କରୋନାରେ ମୃତ୍ୟୁ ପରେ ପୁଅ ରମେଶ ସାହୁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଗୁରୁତର ହୋଇ କଲିକତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ବର୍ତ୍ତମାନ ସୁଦ୍ଧା ଜମିବାଡି ସୁନା ବନ୍ଧକ ରଖି ୪୦ ଲକ୍ଷରୁ ଅଧିକ ଟଙ୍କା ରମେଶଙ୍କ ଚିକିତ୍ସାରେ ପତ୍ନୀ ସ୍ମିତା ନାୟର ଖର୍ଚ୍ଚ କରିସାରିଥିବା ବେଳେ ଆଗକୁ ଅଧିକା ଅର୍ଥ ଆବଶ୍ୟକ ରହିଥିବାରୁ ସହାୟତା ପାଇଁ ସେ ନିବେଦନ କରିଛନ୍ତି।

ମହାମାରୀ କରୋନା କବଳରେ ଆକ୍ରାନ୍ତ ହୋଇ ବାପାଙ୍କ ମୃତ୍ୟୁ ପରେ ଏକାକୀ ପୁଅ ଏବେ ଜୀବନ ସହ ସଂଗ୍ରାମ ଜାରି ରଖିଛି। ଘରର ମୂରବି ଆରପାରିକୁ ଚାଲିଗଲା ପରେ ଏକାକୀ ପୁଅର ମେଡ଼ିକାଲ୍‌ରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଘରେ କେହି ପୁରଷ ନଥିବା ବେଳେ ସ୍ବାମୀଙ୍କୁ ସୁସ୍ଥ କରି ଡାକ୍ତରଖାନାରୁ ଘରକୁ ଫେରାଇ ଆଣିବା ପାଇଁ ସଂର୍ଘଷ ଜାରି ରଖିଛନ୍ତି ତାଙ୍କ ସ୍ତ୍ରୀ ଏବଂ ସ୍ବାମୀଙ୍କ ଭଉଣୀ। ଘର ପୁରୁଷ ଶୂନ୍ୟ ହୋଇପଡ଼ିଥିବା ସମୟରେ ଭାଙ୍ଗି ପଡିନାହାନ୍ତି ଦୁଇ ମହିଳା। ପ୍ରତିକୂଳ ସମୟରେ ମଧ୍ୟ ସାହାସର ସହ ପରିସ୍ଥିତି ସହ ମୁକାବିଲା କରିଚାଲିଛନ୍ତି। ସ୍ବାମୀଙ୍କ କରୋନାରେ ସ୍ବାସ୍ଥ ବିଗିଡ଼ିଥିବା ବେଳେହ ଭୂବନେଶ୍ବର ଡାକ୍ତରଙ୍କ ପରାମର୍ଶରେ ତାଙ୍କର  ଇସିଏମ୍‌ଓ ଚିକିତ୍ସାର ଆବଶ୍ୟକ। ତେଣୁ  ପତ୍ନୀ ସ୍ମିତା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏୟାର ଲିଫ୍ଟ୍ କରି କଲିକତାର ଏକ ‌ଘରୋଇ ମେଡ଼ିକାଲ୍‌ରେ ସ୍ବାମୀଙ୍କ ଇସିଏମ୍ଓ ଚିକିତ୍ସା ଜାରି ରଖିଛନ୍ତି। ରମଶେ ମହାରାଷ୍ଟ୍ରରେ ସପରିବାର ରହି ଚାକିରି କରି ପରିବାର ପ୍ରତିପୋ‌ଷଣ କରି ଚଳୁଥିଲେ। ପତ୍ନୀ ଏବଂ ୮ ବର୍ଷର ଏକମାତ୍ର ଝିଅକୁ ନେଇ ଛୁଟିରେ ଘରକୁ ଆସିଥିଲେ।

ଏପ୍ରିଲ ୩୦ରେ କର୍ମକ୍ଷେତ୍ରକୁ ଯିବା ପାଇଁ ଟିକଟ ମଧ୍ୟ କରିଥିଲେ। କିନ୍ତୁ ଯିବା ସମୟ ପୂର୍ବରୁ ବାପା କାଳୁ ଚରଣଙ୍କ ଜ୍ବର ହୋଇଥିଲା। ବାପାଙ୍କ ଚିକିତ୍ସା କରିବା ସମୟରେ ପୁଅ ରମେଶଙ୍କ ମଧ୍ୟ ଦେହ ଖରାପ ହୋଇଥିଲା। ଉଭୟଙ୍କ କୋ୍ଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରିଥିଲା। ବାପା ପୁଅଙ୍କ ଅବସ୍ଥା ଗୁରୁତର ରହିଥିବାରୁ  ଉଭୟଙ୍କୁ ଭଞ୍ଜନଗର ଡିସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ବାପା କାଳୁ ଚରଣଙ୍କ ୧୧ ତାରିଖ ଦିନ ମୃତ୍ୟୁ ଘଟିଥିଲା। ଘରେ କେହି ପୁରୁଷ ଲୋକ ନଥିବାରୁ ଉପଜିଲ୍ଲାପାଳ ନିଜ କର୍ମଚାରୀଙ୍କ ସହ ମିଶି ଶବଦାହ କରିଥିଲେ। ଅନ୍ୟପଟେ ରମେଶଙ୍କ ଚିକିତ୍ସା ଜାରି ରହିଥିଲା। ଅବସ୍ଥା ଗୁରୁତର ହେବାରୁ ୧୨ ତାରିଖ ଦିନ ପରିବାର ଲୋକ ଭୂବନେଶ୍ବର ନେଇଥିଲେ।

ସେଠାରେ କିଛି ଦିନ ଚିକିତ୍ସା ପରେ ରମେଶଙ୍କୁ ଇସିଏମ୍ଓ ଚିକିତ୍ସା ଆବଶ୍ୟକତା ଥିବା ଡାକ୍ତର ପ୍ରକାଶ କରିଥିଲେ। ଏହାପରେ ଇସିଏମ୍‌ଓ ଚିକିତ୍ସା ସୁବିଧା ଥିବା କଲିକତାର ଏକ ‌ମେଡିକାଲ ସହ ଯୋଗାଯୋଗ କରି ରମେଶଙ୍କୁ ନେବା ପାଇଁ ସ୍ତ୍ରୀ ଏବଂ ଭଉଣି ଅଣ୍ଟାଭିଡିଥିଲେ। କିନ୍ତୁ ରୋଡ଼ରେ ଆମ୍ବୁଲାନ୍ସରେ ଅଧିକ ସମୟ ଲାଗୁଥିବାରୁ ଏୟାର ଆମ୍ବୁଲାନ୍ସ ସହ ଯୋଗଯୋଗ କରିଥିଲେ। ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏୟାର ଆମ୍ବୁଲାନ୍ସ୍‌ରେ କଲିକତା ନେଇ ଏକ ଘରୋଇ ହସପିଟାଲ୍‌ରେ ଭର୍ତ୍ତି କରିଥିଲେ। ମେ ୧୮ ତାରିଖରୁ ରମେଶଙ୍କ ଚିକିତ୍ସା ଚାଲିଥିବା ବେଏଳେ ପ୍ରତିଦିନ ଏକଲକ୍ଷ ଟଙ୍କା ଖର୍ଚ୍ଚ ଆବଶ୍ୟକ ପଡୁଛି। ଘରେ ସଞ୍ଚିତ ସମସ୍ତ ଅର୍ଥ ସରି ଆସିଲାଣି ସର୍ମ୍ପକୀୟ ମାନେ କିଛି କିଛି ସହାୟତା ପ୍ରଦାନ କରିଥିବା ବେଳେ ତାହା ଯଥେଷ୍ଟ ନାହିଁ ତେଣୁ ସହୃଦୟ ବ୍ୟକ୍ତି ସହାୟତା ପ୍ରଦାନ କରିବା ପାଇଁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର