ସ୍ତ୍ରୀ ଓ ପୁଅ ଆଣିଲେ ଅଭିଯୋଗ, ହାଇଦରକୁ ପୁଲିସ ମାରିଦେଲା

କଟକ : ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଗୁଳି କରି ମାରି ଦେଇଛି ବୋଲି ଅଭିଯୋଗ ଆଣିଛନ୍ତି ତାର ପରିବାର ଲୋକ। ହାଇଦରର ପୁଅ ସେକ୍‌ ଚୁନେଇ କହିଛନ୍ତି ଯେ ପୁଲିସ ତାଙ୍କ ବାପାଙ୍କୁ ଜିରୋ ପଏଣ୍ଟରୁ ଗୁଳି କରି ମାରିଛି। ତାଙ୍କ ମୃତ୍ୟୁ ସମ୍ପର୍କରେ ପରିବାରକୁ ଏ ଯାଏ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ କି ପ୍ରଶାସନ ତାଙ୍କୁ ଏ ସମ୍ପର୍କରେ କେହି ଜଣାଇ ନାହାନ୍ତି। ବାରିପଦା ଜେଲ୍‌କୁ ନେବା ପୂର୍ବରୁ ମଧ୍ୟ ତାଙ୍କ ପରିବାରକୁ ପୁଲିସ କୌଣସି ସୂଚନା ଦେଇ ନ ଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ସେମାନେ ଟିଭିରୁ ହିଁ ଜାଣିବାକୁ ପାଇଲେ ବୋଲି ଚୁନେଇ କହିଛନ୍ତି।

ଚୁନେଇ ଆହୁରି ସଂଗିନ ଅଭିଯୋଗ ଆଣି କହିଛନ୍ତି ଯେ ହାଇଦର କଟକ ବଡ ମେଡିକାଲରୁ ଫେରାର ହୋଇଯାଇଛି ବୋଲି ପୁଲିସ ସେତେବେଳେ ବି ମିଛି କହି ତାଙ୍କୁ ଫସାଇଥିଲା। ଏସସିବି ମେଡିକାଲ୍‌ ଭିତରେ ବାପା ଥିବା ବେଳେ ତାଙ୍କୁ ମିଛରେ ତେଲେଙ୍ଗାନାରୁ ଧରିଲେ ବୋଲି ପୁଲିସ କହିଥିଲା। ସେତେବେଳେ କମିସନରେଟ୍‌ ପୁଲିସ ତାଙ୍କ ଘରକୁ ଆସି ହାଇଦରକୁ ଆମେ ୨/୩ ମାସରେ ଭିତରେ ମାରିବୁ, ତିନି ପୁଅଙ୍କୁ ମଧ୍ୟ ମାରିବୁ ବୋଲି ଧମକ ଦେଇ ଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ତାଙ୍କ ସ୍ବାମୀଙ୍କୁ ପୁଲିସ ମାରିଦେଇଛି ବୋଲି ପତ୍ନୀ ହସିନା ବିବି ମଧ୍ୟ ଅଭିଯୋଗ କରିଛନ୍ତି। ହାଇଦରଙ୍କ ମୃତଦେହକୁ ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର