ଭୁବନେଶ୍ବର/ଦେବଗଡ଼: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ଦେଖିବାକୁ ମିଳିଛି। ବିଜେପିର ସାଂଗଠନିକ କାର୍ଯ୍ୟରେ ଅବହେଳିତ ଅବସ୍ଥାରେ ଥିବା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ପୁଅ ନମନ ଗଙ୍ଗଦେବ ମଙ୍ଗଳବାର ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି। ବିଜେପିରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଉଭୟ ମା’ ଓ ପୁଅ ବିଜେଡିରେ ଯୋଗ ଦେଇଛନ୍ତି।
ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ଆଜି ଅପରାହ୍ନରେ ସାମାଜିକ ମାଧ୍ୟମ ଜରିଆରେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ଭୁବନେଶ୍ୱରରେ ସେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିଲେ। ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ସାଂସଦଙ୍କ ମତାନ୍ତର ଯୋଗୁ ଦୀର୍ଘଦିନ ଧରି ନିତେଶ ଗଙ୍ଗଦେବ ସାଂଗଠନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ରହିଥିଲେ। ତାଙ୍କୁ ବିଜେପିର କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁନଥିଲା। ଅନ୍ୟପଟରେ ଅରୁନ୍ଧତୀଙ୍କ ବିଜେଡିରେ ଯୋଗ ଦେବା ଦ୍ବାରା ବିଜେପି ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/11378338-8634-44ec-96cf-247fe147c4d8.jpeg)