କିଶନନଗର : ବିନୋଦ ହତ୍ୟା ଷଡ଼୍‌ଯନ୍ତ୍ରରେ ସଂପୃକ୍ତ ପତ୍ନୀ ଗିରଫ

ଅଭିଯୁକ୍ତ ପ୍ରେମିକ ସହ ମୁହାଁମୁହିଁ ଜେରାରେ ଧରା ପଡ଼ିଗଲା

କିଶନନଗର : ପ୍ରେମିକ ସହ ମିଶି ସ୍ବାମୀର ଅପହରଣ ଆଉ ହତ୍ୟା ଯୋଜନା ରଚିଥିବା ପତ୍ନୀକୁ ପୁଲିସ ଗିରଫ କରିବା ସହିତ କଟକ ଜିଲ୍ଲା କିଶନନଗର ଅଞ୍ଚଳର ଚାଞ୍ଚଲ୍ୟକର ବିନୋଦ ମଣ୍ଡଳ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି। ପୂର୍ବରୁ ଏହି ଅପହରଣ ଓ ହତ୍ୟା ଘଟଣାରେ ମାନସୀର ପ୍ରେମିକ ସାରଦା କୁଣ୍ଡୁ ଗିରଫ ହୋଇଥିବା ବେଳେ ପୁଲିସ ସାରଦା ସହିତ ମାନସୀର ମୁହାଁମୁହିଁ ଜେରା କରି ଏଭଳି ସତ ସାମନାକୁ ଆଣିଛି। ମାନସୀ ଓରଫ ନମିତା ଦାସକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଜୁନ୍ ୨୫ ତାରିଖରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାରଦା କୁଣ୍ଡୁ ଓ ତାର ସହଯୋଗୀ ସିଲୁ ଦାସକୁ ପୁଲିସ ରିମାଣ୍ଡରେ ଆଣି ଅଜ୍ଞାତ ସ୍ଥାନରେ ରଖି ଜେରା କରୁଥିଲା। ଗତକାଲି ରାତିରେ ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ସାରଦା ଏହି ହତ୍ୟାକାଣ୍ଡରେ ତାର ପ୍ରେମିକା ତଥା ମୃତ ବିନୋଦଙ୍କ ପତ୍ନୀ ମାନସୀର ସମ୍ପୃକ୍ତି ସଂପର୍କରେ ପୁଲିସକୁ ସୂଚନା ଦେଇଥିଲା। ଏହି ଆଧାରରେ ପୁଲିସ ଆଜି ସକାଳ ପ୍ରାୟ ୭ଟା ବେଳେ ମାନସୀର ବାପଘର ସାଲେପୁର ଥାନା  କଲ୍ୟାଣପୁରରେ ପହଞ୍ଚି ସେଠାରୁ ମାନସୀକୁ ସାଲେପୁର ଥାନାକୁ ଆଣିଥିଲା। ମାନସୀକୁ ପ୍ରଥମ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଟିମ୍‌ ଜେରା କରିଥିଲା। ପରେ ସାରଦା ସହିତ ତାକୁ ମୁହାଁମୁହିଁ ଜେରା କରାଯାଇଥିଲା। ଦୀର୍ଘ ସମୟର ଜେରା ପରେ ମାନସୀ ସବୁ କିଛି ମାନି ଯାଇଥିଲା। ମାନସୀକୁ ଆଜି ଅପରାହ୍ନରେ ପୁଲିସ କୋର୍ଟଚାଲାଣ କରିଛି। ମାନସୀର ମା ଓ ଭାଇଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମୃତ ବିନୋଦଙ୍କ ବାପା ବିଜୟ ମଣ୍ଡଳ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ୨୦୧୯, ଜୁନ ୨୧ ତାରିଖରେ ବିନୋଦ ମଣ୍ଡଙ୍କ ସହିତ ମାନସୀର ବିବାହ ହୋଇଥିଲା। ବାହାଘର ପରେ ସବୁକିଛି ମୋଟାମୋଟି ଠିକ ଚାଲିଥିଲା। କିନ୍ତୁ କିଶନନଗର କଲେଜର ଡାଟା ଏଣ୍ଟ୍ରି ଅପରେଟର ଥିବା ବିନୋଦ ୨୦୨୦, ମେ ୨୬ ତାରିଖ ସକାଳ ୮ଟାରେ ବାଇକ ଧରି ଘରୁ ବାହାରି ଯାଇଥିବାବେଳେ ଆଉ ଘରକୁ ଫେରି ନଥିଲେ। ମେ ୨୯ ତାରିଖରେ କିଶନନଗର ଥାନାରେ ଏ ସଂକ୍ରାନ୍ତରେ ନିଖୋଜ ମାମଲା ରୁଜୁ ହେହୋଇଥିଲା। ପୁଲିସ୍‌ ମୃତ ବିନୋଦଙ୍କ ଖଣ୍ଡବିଖଣ୍ଡିତ କଙ୍କାଳ ଗଲା ଜୁ୍ନ ୧୯ ତାରିଖରେ ଜବତ କରିଥିଲା ।

ସମ୍ବନ୍ଧିତ ଖବର