କେନ୍ଦୁଝର : ମୃତ୍ୟୁପରେ ଶବକୁ ଶ୍ମଶାନ ନେବାପାଇଁ ଆସିଲେନାହିଁ ସାହିଭାଇ। ରୀତିନୀତିରେ ଅନୁସାରେ ଅନ୍ତିମ ସଂସ୍କାର କରିବା ସମ୍ଭବ ନ ହେବାରୁ ଶେଷର ନିଜେ କୋଦାଳ ଧରିଲା ସ୍ତ୍ରୀ। ଘର ଆଗରେ ମାଟି ଖୋଳି ସ୍ବାମୀର ମୃତଦେହକୁ ପୋତିଦେଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ବଡ଼ନଈ ଗ୍ରାମରେ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ବଡ଼ନଈ ଗ୍ରାମର କତି ମୁଣ୍ଡା ଓ ସ୍ବାମୀ ଭଞ୍ଜ ମୁଣ୍ଡା ନିଃସନ୍ତାନ ଥିଲେ। କିଛିଦିନ ତଳେ ଭଞ୍ଜ ମୁଣ୍ଡା ଅସୁସ୍ଥ ହୋଇପଡ଼ିବାରୁ ପତ୍ନୀ କତି ମୁଣ୍ଡା ତାଙ୍କୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରବର୍ତ୍ତୀ ସମୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। କତି ଆଜି ନିଜସ୍ବ ଉଦ୍ୟମରେ ସ୍ବାମୀଙ୍କ ମୃତଦେହ ଘରକୁ ଆଣିଥିଲେ। ଗାଁରେ ଶବ ପହଞ୍ଚିବା ପରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନେବାକୁ ସାହିଭାଇଙ୍କୁ ଡାକିବାରୁ ଆସିଲେ ନାହିଁ। ଶେଷର ପତ୍ନୀ କତି ପ୍ରବଳ ବର୍ଷାରେ ନିଜ ଲୁହକୁ ଚାପି ରଖି କୋଦାଳ ସାହାଯ୍ୟରେ ଘର ଆଗରେ ଗାତ ଖୋଳିଲେ। ସେହି ଗାତରେ ସ୍ବାମୀଙ୍କ ମୃତଦେହ ପୋତିଦେଲେ।
ସାହିର ଲୋକମାନେ ଏହାକୁ ଦେଖୁଥିଲେ ମଧ୍ୟ ସେମାନଙ୍କ ହୃଦୟ ତରଳି ନଥିଲା କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ନେବାପାଇଁ ଆଗେଇ ଆସିନଥିଲେ।