ବାଲେଶ୍ବର: ବାଲେଶ୍ବର ସଂସଦୀୟ କ୍ଷେତ୍ରରେ ବିଜେଡି ଏଥର ସର୍ବାଧିକ ୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ସାଂସଦ ପ୍ରାର୍ଥୀ ଭାବେ ଡ.ଲେଖାଶ୍ରୀ ସାମନ୍ତସିଂହାର, ବସ୍ତା ଆସନରୁ ସୁବାସିନୀ ଜେନା, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ ଓ ସିମୁଳିଆ ଆସନରୁ ସୁବାସିନୀ ସାହୁ ବିଜେଡିର ଯୋଦ୍ଧା ସାଜିଛନ୍ତି। ତେବେ, ଏହି ମହିଳା ପ୍ରାର୍ଥୀଙ୍କୁ ନିର୍ବାଚନ ବୈତରଣୀ ପାର୍‌ କରାଇବା ପାଇଁ ସେମାନଙ୍କ ସ୍ବାମୀମାନେ ହିଁ ସାରଥୀ ସାଜିଛନ୍ତି। ବସ୍ତା ବିଧାନସଭା ଆସନରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପତ୍ନୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ଜିତାଇବା ଲାଗି ରବୀନ୍ଦ୍ର ଦିନରାତି ଏକ କରିଦେଇଛନ୍ତି। ଏହି ନିର୍ବାଚନମଣ୍ଡଳୀ ଅଧୀନରେ ଉଭୟ ବସ୍ତା ଓ ବାଲିଆପାଳ ବ୍ଲକ୍‌ ଆସୁଥିବାରୁ ରବୀନ୍ଦ୍ର ନିଜର ସମର୍ଥକମାନଙ୍କୁ ଧରି ସେଠାରେ ଡେରା ପକାଇଛନ୍ତି। ପ୍ରଚାର, ଦଳୀୟ ସଭା ଓ ମିଶ୍ରଣ ପର୍ବରେ ରବୀନ୍ଦ୍ର ମୁଖ୍ୟ ଭୂମିକା ତୁଲାଉଥିବା ବେଳେ ପତ୍ନୀ ସୁବାସିନୀ ସାଙ୍ଗରେ ରହି ଭୋଟ ଭିକ୍ଷା କରୁଛନ୍ତି। କଂଗ୍ରେସ ଏଠାରେ ଟାଣୁଆ ନେତା ବିଜନ ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ।

Advertisment

ରେମୁଣାରେ ବିଜେପି ପୂର୍ବତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପୂର୍ବତନ ବିଧାୟକ ସୁଦର୍ଶନ ଯେନାଙ୍କୁ ଟିକେଟ ଦେଇଛି। ତେବେ ଦୁଇ ପୂର୍ବତନ ବିଧାୟକଙ୍କ ସହ ରାଜନୀତିରେ ନବାଗତା ବିଦ୍ୟାସ୍ମିତା ମହାଳିକଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି। ବିଦ୍ୟାସ୍ମିତା ଏବେ ପତ୍ରିପାଳ ପଞ୍ଚାୟତର ସରପଞ୍ଚ ଅଛନ୍ତି। ରେମୁଣାରେ ଅନେକ ଏସଏସ୍‌ଜି ଗୋଷ୍ଠୀ ସହ ସେ ଜଡ଼ିତ। ସ୍ବାମୀ ଅଜୟ ମହାଳିକ ବିଜେଡିର ଜଣେ ଦୃଢ଼ ସଙ୍ଗଠକ। ତେବେ ବିଦ୍ୟାସ୍ମିତା ବିଧାୟକ ପ୍ରାର୍ଥୀ ଭାବେ ସମ୍ପୂର୍ଣ୍ଣ ନୂଆ ଚେହେରା ହୋଇଥିବାରୁ ସ୍ବାମୀ ଅଜୟ ନିର୍ବାଚନ ପରିଚାଳନା ଓ ପ୍ରଚାର ଯୁଦ୍ଧର ସାରଥି ସାଜିଛନ୍ତି।
ସେହିପରି ସିମୁଳିଆ ଆସନରୁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ନେତା ଶଶୀକୁମାର ସାହୁଙ୍କ ପତ୍ନୀ ସୁବାସିନୀଙ୍କୁ ପ୍ରାର୍ଥୀ କରିଛି ଦଳ। ଟିକେଟ୍‌ ପାଇଁ ଜ୍ୟୋତିପ୍ରକାଶ ଓ ଶଶୀକୁମାରଙ୍କ ମଧ୍ୟରେ ଛକାପଞ୍ଝା ଲାଗିବାରୁ ସୁବାସିନୀଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି। ତେଣୁ ପତ୍ନୀଙ୍କ ବିଜୟ ବାନା ଉଡ଼ାଇବା ଏବେ ଶଶୀକୁମାରଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏଠାରେ ସୁବାସିନୀଙ୍କ ସହ ବିଜେପି ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଶେଖର ବେହେରାଙ୍କ ମଧ୍ୟରେ ଲଢ଼େଇ ହେବ।