ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା : ନିର୍ଲିପ୍ତ-ସୁଭଦ୍ରାଙ୍କୁ କିଏ ଦେବ ନ୍ୟାୟ?

ସ୍ୱାସ୍ଥ୍ୟ ବିଭାଗର ଅବହେଳା ନେଲା ଦୁଇ ନିରିହ ଜୀବନ!

ସିଡିଏମ୍ଓ ଏବଂ ମେଡିକାଲ୍ ଇନ୍‌ଚାର୍ଜଙ୍କ ନାମରେ ମାମଲା
ଅବହେଳାରୁ ଦୁଇ ଜୀବନ ଯାଇଥିବା ଅଭିଯୋଗ କଲେ ସମ୍ପର୍କୀୟ
ପୁରୁଷଙ୍କ ଶବ ବ୍ୟବଚ୍ଛେଦ ନହେବାକୁ ନେଇ ଉଠିଲା ପ୍ରଶ୍ନ
ତଥ୍ୟ ଲୁଚାଉଛି ସ୍ୱାସ୍ଥ୍ୟ ବିଭାଗ
ଘରକୁ ଗଲାନି- ଗାଁ ଲୋକ ଛୁଇଁଲେନି
ଗୋଟିଏ ଜୁଇରେ ଦୁହିଁଙ୍କୁ ପୋଡିଲେ ସ୍ୱେଚ୍ଛାସେବୀ

ଜଗତସିଂହପୁର ଟାଉନ୍ : ଦେଖନ୍ତୁ…ଡାକ୍ତର ମାନେ ମୋ ସ୍ୱାମୀଙ୍କୁ ଜମା ବି ଟ୍ରଟ୍‌ମେଣ୍ଟ କଲେନି….ତାଙ୍କର ଡେଥ୍ ହୋଇଗଲା । ଆମେ ଏସ୍‌ଭିଏମ୍ କ୍ୱାରେଣ୍ଟିନ୍‌ରେ ଥିଲୁ । ତାଙ୍କର କାଶ, ଜ୍ୱର ହେଲା ବୋଲି ଆମେ ଜଗତସିଂହପୁରକୁ ଆଣିଲୁ । ବାପା, ଭାଇ, ମାମୁଁ ସମସ୍ତେ ମୋ ରେକର୍ଡିଂ ଶୁଣିବ, ମୋ ଧନକୁ ଚିକିତ୍ସା କଲେନି, ମୁଁ ଏତେ ରିକ୍ୟୁଏଷ୍ଟ କରି କହିଲି ଆସିଲେନି । ବୋଉ…ମାମୁଁ କି ବାପା କାହାକୁ ପଠେଇଲ ନାହିଁ । ମୁଁ ୟାଙ୍କୁ ଆଣି କି ଏଠି ସେଠି ବହୁତ ଜାଗା ବୁଲିଲି । ୟାଙ୍କ ସେବା କଲି । ଗୋଟାଏ ୩୦ରେ ଖୁଆଇ ଦେଲି । ତାଙ୍କୁ ସହ ଖାଇଲି । ମୋ ସାଙ୍ଗରେ ଭଲ କଥା ହେଲେ । ତା ପରେ କଣ ହେଇଗଲା ଛାତି । ମୁଁ ଡାକ୍ତରଙ୍କୁ ଦୌଡ଼ି ଯାଇ ଡାକିଲି । ନେହୁରା ହେଲି । ଡାକ୍ତର ବାବୁ ଆସିଲେନି । ଡେରି କଲେ । ତାପରେ କଣ ହୋଇଗଲା ମୋତେ ଅନେଇଲେନି କି କଥା କହିଲେନି । ହେ ମୋ ବୋଉ… ମୋ ଧନ ଆଉ ନାହିଁ । ମୁଁ ତାଙ୍କ ସାଙ୍ଗରେ ଯାଉଛି । ମୋ ଜୀବନରେ ଆଉ କିଛି ନାହିଁ । ବାପା-ବୋଉ, ମାମୁଁ କେହି ମୋ ପାଖକୁ ଆସିଲନି ତମ ହୃଦୟରେ ଦୟାମାୟା ନାହିଁ । ମୋତେ ଏମିତି ଅବସ୍ଥାରେ ଛାଡ଼ି ଦେଲ । ମୋ ଧନ ମୋ ଜୀବନ ଚାଲିଗଲା । ମୁଁ ବି ଚାଲି ଯାଉଛି । ତମେ କଥା ଦେଇଥିଲ ମୋ ବୋଉକୁ ଅନେଇବ ବୋଲି । ମୋ ଶେଷ କଥା ରଖିବ । ମୋର ଏତିକି ଗୁହାରି ରଖିବ ରଖିବ… ରଖିବ । ଭଗବାନଙ୍କ ରାଣ, ତମର କଲ୍ୟାଣ ହେବ । ମୁଁ ଯାଉଛି….

ଆତ୍ମହତ୍ୟା କରିବା ପୂର୍ବରୁ ଏ ହେଉଛି ସୁଭଦ୍ରା ସ୍ୱାଇଁ(୨୯)ଙ୍କ ଅଡିଓ ମେସେଜ୍ । ସ୍ୱାମୀ ର୍ନିଲିପ୍ତ ଭୋଳ(୩୩) ଙ୍କର ମୃତ୍ୟୁ ପରେ ସ୍ତ୍ରୀ ଏଭଳି ଅଡ଼ିଓ ମେସଜ୍‌ରେ ହୃଦୟ ବିଦାରକ କଥା କେଇ ପଦ କହି ସ୍ୱାମୀଙ୍କ ପଛେ ପଛେ ଆର ପାରିକୁ ଚାଲି ଯାଇଛନ୍ତି । କିନ୍ତୁ ଏଥିରୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା ସ୍ପଷ୍ଟ ବାରି ହୋଇ ପଡୁଛି । ସୁଭଦ୍ରା ଚିକ୍ରାର କରି ବିକଳରେ ଡାକ୍ତରଙ୍କୁ ଚିକିତ୍ସା କରିବାକୁ ଡାକୁଥିବା ବେଳେ କେମିତି ହୃଦୟକୁ ପଥର କରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ଡାକ୍ତର ଯାଇ ନଥିଲେ ତାହା ବି ପ୍ରମାଣିତ ହେଉଛି । ଯାହାକୁ ନେଇ ଜଗତସିଂହପୁର ଥାନାରେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଓ ମେଡିକାଲ୍ ଇନ୍‌ଚାର୍ଜଙ୍କ ନାମରେ ମାମଲା ଦାୟର ହୋଇଛି । ପୁରା ଘଟଣାକୁ ଲକ୍ଷ କଲେ ସନ୍ଦେହ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ ପ୍ରେମ ବିବାହ କରି ଦେଢ଼ ବର୍ଷ ତଳେ ବିବାହ କରିଥିଲେ ନିର୍ଲିପ୍ତ ଓ ସୁଭଦ୍ରା । ପରିବାରର ଅଭାବ ଅନଟନ ଯୋଗୁଁ ପେଟ ପୋଷିବା ପାଇଁ ତେଲେଙ୍ଗାନାରେ ଏକ ଜରି କମ୍ପାନିରେ କାମ କରୁଥିଲେ । ସେଠି ନିର୍ଲିପ୍ତଙ୍କୁ ଜ୍ୱର ହେବାରୁ ୩୦ ତାରିଖ ଦିନ ଉଭୟ ସ୍ୱାମୀ-ସ୍ତ୍ରୀ ତେଲେଙ୍ଗାନାରୁ ଆସି ଏସ୍‌ଭିଏମ୍‌ କଲେଜରେ ସ୍ୱାବ୍ ଦେଇଥିଲେ । ଏହାପରେ ତାଙ୍କୁ ଏରସମା ପଂଚାୟତ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା । ସେଠି ଦେହ ଖରାପ ହେବାରୁ ପୁଣି ଏସ୍‌ଭିଏମ୍ କୁ ଅଣାଯାଇଥିଲା । ଅଧିକ ଖରାପ ହେବାରୁ ୧ ତାରିଖ ଦିନ ରାତିରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆଇସୋଲେନ ୱାର୍ଡକୁ ଅଣାଯାଇଥିଲା । ପ୍ରଥମ ମହଲାର ଗୋଟିଏ ଘରେ ଦୁହେଁ ରହିଥିଲେ । ଗତକାଲି ଅଧ୍ୟାହ୍ନରେ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଆଖି ବୁଜି ହୋଇ ପଡ଼ିଥିଲା । ସ୍ତ୍ରୀ ସୁଭଦ୍ରା ଡାକ୍ତରଙ୍କୁ ଡାକିଥିଲେ । ହେଲେ ଡାକ୍ତର ଆସିବା ବିଳମ୍ବ ହେବାରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ଅଡିଓରେ କହିଛନ୍ତି । ସ୍ୱାମୀଙ୍କ ପାଖରେ ବସି ନିଜ ହାତକୁ ଭଙ୍ଗା ଚୁଡ଼ିରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ରକ୍ତ ଜୁଡୁ ବୁଡୁ ହୋଇ ଆଇସୋଲେସନ ୱାର୍ଡ ବାହାରକୁ ଆସି ଚିତ୍କାର କରି କାନ୍ଦୁଥିଲେ । ସେ ସମୟରେ କର୍ମଚାରୀ କିମ୍ବା ସୁରକ୍ଷାକର୍ମୀ ତାଙ୍କୁ ଆୟତ କରି ପାରି ନଥିଲେ କି ତାଙ୍କ ହାତରେ ବ୍ୟାଣ୍ଡେଜ ବାନ୍ଧି ନଥିଲେ । ଗୋଟିଏ ଅଡିଓ ମେସେଜ୍ ଘରକୁ ପଠାଇ ଶେଷରେ ସ୍ୱାମୀଙ୍କ ମୃତ ଦେହ ଆଗରେ ନିଜ ଲୁଗାକୁ ଫ୍ୟାନ୍‌ରେ ଗୁଡ଼ାଇ ଆତ୍ମ ହତ୍ୟା କରିଥିଲେ ।

ଏ ଘଟଣାକୁ ନେଇ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅନେକ ଗୁଡ଼ିଏ ପ୍ରଶ୍ନ ଉଠିଛି । ପ୍ରଥମତଃ ନିର୍ଲିପ୍ତଙ୍କ ଦେହରେ କରୋନା ରୋଗର ଲକ୍ଷଣ ବାରି ହୋଇ ପଡ଼ିଥିଲା । ୩୦ ତାରିଖରେ ସେ ସ୍ୱାବ୍ ଦେଇଥିଲେ ହେଁ ଗତ କାଲି ଯାଏ ତାଙ୍କ ରିପୋର୍ଟ ଆସି ନଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଦମ୍ପତ୍ତି । ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ିଥିବା ବେଳେ ଡାକ୍ତରର ଦେଖି ନଥିଲେ କି ବୁଝି ନଥିଲେ । ଯଦି ଅବସ୍ଥା ସଙ୍କଟାପର୍ଣ୍ଣ ହେଲା ଏବଂ ଯଦି ସେ କରୋନା ରୋଗୀ ନଥିଲେ ତାଙ୍କୁ କାହିଁକି ବଡ଼ ମେଡିକାଲକୁ ପଠାଗଲା ନାହିଁ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ନିକଟକୁ କାହିଁକି କେହି ଗଲେ ନାହିଁ । କାହିଁକି ତାଙ୍କୁ ଆତ୍ମହତ୍ୟା କରିବାକୁ ସୁଯୋଗ ଦିଆଗଲା । କରୋନା ସକ୍ରମଣ ହେବା ନେଇ ଭୟ କରୁଥିଲେ କି ଡାକ୍ତର ଓ କର୍ମଚାରୀ । ମୃତ୍ୟୁ ପରେ ହଠାତ୍ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ସ୍ୱାବ୍ ଟେଷ୍ଟ ରିପୋର୍ଟ ମଗାଇଥିଲେ । ହେଲେ ଦୁଇ ଜଣଙ୍କର ନେଗେଟିଭ୍ ଆସିଲା ବୋଲି ଇନ୍‌ଚାର୍ଜ ଡ.ଅଜୟ ସ୍ୱାଇଁ କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି କରୋନା ନେଗେଟିଭ୍ ଆସିଲା ବା ତାଙ୍କର ପଜିଟିଭ୍ ନଥିଲା ତେବେ କାହିଁକି ତାଙ୍କ ନିକଟକୁ ଯାଉ ନଥିଲେ ଡାକ୍ତର । ବଡ଼ି ଇନ୍‌କେ୍ଷ୍ଟ ସହ ଶବକୁ ଗାଡ଼ିକୁ ଆଣିବା ବା ପୁରା ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀ, ଅଧିକାରୀ କାହିଁକି ପିନ୍ଧିଥିଲେ ପିପି କିଟ୍ । ଏହାଛଡ଼ା କରୋନା ରୋଗୀଙ୍କୁ ବ୍ୟବଚ୍ଛେଦ କରାଯାଉ ନାହିଁ । ଏଠି ସମାନ ଢ଼ଙ୍ଗରେ ର୍ନିଲିପ୍ତଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରା ଯାଇନଥିଲା । ହାର୍ଟ ଆଟାକ୍‌ରୁ ମୃତ୍ୟୁ ହୋଇଛି, କାହିଁକି ବ୍ୟବଚ୍ଛେଦ ହେବ କହି କଥାକୁ ପରିବାର ଲୋକଙ୍କ କଥାକୁ ଏଡାଇ ଦିଆଯାଇଥିଲା । ସନ୍ଧ୍ୟା ପରେ ଶବ ବ୍ୟବଚ୍ଛ୍ୟେଦ ହୋଇ ନଥାଏ । ହେଲେ ଗତକାଲି ପ୍ରଶାସନ ତତ୍ପରତା ଦେଖାଇ ସୁଭଦ୍ରାଙ୍କ ମୃତ ଦେହକୁ ତରବରିଆ ଭାବେ ବ୍ୟବଚ୍ଛେଦ କରିଥିଲା । ସବୁଠାରୁ ବଡ଼ କଥା ହେଉଛି ପୁଲିସ ଏସ୍କଟ କରି ଏରସମା ବ୍ଳକ୍ ପଲ୍ଲିକଣ୍ଟା ପଂଚାୟତର ପଟଜଙ୍ଗା ଗାଁକୁ ନେଇଥିଲା । ଏମିତିକି ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୁଲିସ ତାଙ୍କ ଘରକୁ ଶବ ନନେଇ ଗାଁର ଏକ ପଡ଼ିଆରେ ଜୁଇ ସଜାଇଥିଲେ । ଗୋଟିଏ ଜୁଇରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରଘୁନାଥପୁରର କିଛି ସ୍ୱେଚ୍ଛାସେବୀ ପୋଡ଼ିଥିଲେ । ଗ୍ରାମବାସୀ କିମ୍ବା ପରିବାର ଲୋକ ସେଠାକୁ ଯାଇ ନଥିଲେ । କରୋନା ନେଗେଟିଭ୍ ବାହାରିଲା ବୋଲି ପ୍ରଶାସନ କହିଲା ହେଲେ କରୋନା ପଜିଟିଭ୍ ଶବକୁ ସତ୍କାର ଭଳି ସବୁ ପ୍ରକ୍ରିୟା କରାଯିବାକୁ ନେଇ ସନ୍ଦେହ ବଢ଼ିଛି ।

ସମସ୍ତଙ୍କୁ ଅନ୍ଧାରରେ ରଖି ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଖସି ଯିବାକୁ ବସିଥିବା ବେଳେ ଅଡ଼ିଓ ମେସେଜ୍ ସମସ୍ତଙ୍କ ଆଗରେ ଅସଲ ଚେହେରା ରଖିଛି । ସିଡିଏମ୍ଓ ଡ. ବିଜୟା ପଣ୍ଡା ଓ ମେଡିକାଲ ଇନ୍‌ଚାର୍ଜ ଡ. ଅଜୟ ସ୍ୱାଇଁଙ୍କ ନାମରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ହେଲେ ଘଟଣାକୁ ଚପାଇ ଦେବା ପାଇଁ ଉପରସ୍ତରରେ ଜୋର ଦାର ପ୍ରୟାସ କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ର୍ନିଲିପ୍ତ ଓ ସୁଭଦ୍ରାଙ୍କୁ କିଏ ଦେବ ନ୍ୟାୟ?

ସମ୍ବନ୍ଧିତ ଖବର