ପତ୍ନୀ ଆତ୍ମହତ୍ୟା ମାମଲା, ସ୍ବାମୀକୁ ୭ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଜଣେ ମହିଳା ଓ ତାର ୧୧ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟଣାରେ ଶୁଣାଣି କରି ଆଜି ତାଙ୍କ ସ୍ୱାମୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ସହିତ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, ସାହାରପଡ଼ା ବ୍ଲକ ଓସ୍ତଯୋଡ଼ି ଗ୍ରାମର ଗୋପବନ୍ଧୁ ବେହେରା (୩୦) ଗୁଜୁରାଟରେ କାମ କରୁଥିବାରୁ ତାଙ୍କ ସ୍ତ୍ରୀଙ୍କୁ ହରିଚନ୍ଦନପୁର ବ୍ଲକ ଝରାପୋଖରିଆରେ ତାଙ୍କ ଭିଣୋଇ ବାଇଲୋଚନ ବେହେରାଙ୍କ ଘରେ ଛାଡିକି ଯାଇଥିଲେ।

ସେହି ସମୟରେ ସ୍ତ୍ରୀର ଏକ ପୁତ୍ର ସନ୍ତାନ ହୋଇଥିଲା। ପୁଅ ହେବା ପରେ ପିତୃତ୍ୱକୁ ନେଇ ସ୍ୱାମୀ ସନ୍ଦେହ କରିଥିଲା। ଏହାକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିଲା। ୨୦୧୭ ମସିହା ଜୁଲାଇ ୨୨ ତାରିଖରେ ସାହାରପଡ଼ା ବ୍ଲକ ଓସ୍ତଯୋଡ଼ି ଗ୍ରାମରେ ସସ୍ମିତା ବେହେରାଙ୍କ ଝୁଲନ୍ତା ମୃତ ଦେହ ଏକ ଗଛରୁ ପାଟଣା ପୁଲିସ ଉଦ୍ଧାର କରିଥିଲା । ତାଙ୍କର ୧୧ ମାସର ଶିଶୁ ପୁତ୍ର କ୍ଷିତୀଶ ବେହେରାଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ତେବେ ଏ ସପର୍କରେ ମୃତ ସସ୍ମିତା ବେହେରାଙ୍କ ଭାଇ ଗୁରୁଚରଣ ବେହେରା ପାଟଣା ଥାନାରେ ଅଭିଯୋଗ କରିଥିଲେ । ଗୋପବନ୍ଧୁ ପୁଅକୁ ମାରିବା ପରେ ସ୍ତ୍ରୀକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ପାଟଣା ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋପବନ୍ଧୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନଠାରୁ ସେ ସେ ବିଚାରାଧୀନ ବନ୍ଦୀ ଭାବେ କେନ୍ଦୁଝର ଜେଲରେ ଥିଲେ। ଏହି ମାମଲାରେ ବିଚାରପତି ଜିଲ୍ଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ୧୧ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ୩୦୬ ଦଫାରେ ଗୋପବନ୍ଧୁ ବେହେରାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ‌ସଶ୍ରମ କାରାଦଣ୍ଡ ଶୁଣାଇଥିଲେ। ଏଥିସହିତ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର