ରାୟଗଡା: ବୈବାହିକ ଜୀବନକୁ ଦୀର୍ଘ ୧୭ବର୍ଷ ବିତି ସାରିଥିବାବେଳେ ଜଣେ ସରକାରୀ ବାବୁଆଣୀଙ୍କ ପ୍ରେମରେ ପଡି ନିଜ ପରିବାରର ଖୁସିରେ ନିଆଁ ଲଗେଇବା ସହ ନିଜ ଧର୍ମପତ୍ନୀକୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ଆଜି ରାୟଗଡା ଥାନାରେ ନିଜ ସ୍ୱାମୀ,ଶାଶୁ ଓ ସରକାରୀ ଅଧିକାରିଣୀଙ୍କ ବିରୁଦ୍ଧରେ ମହିଳା ଜଣକ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି। ରାୟଗଡା ଜିଲ୍ଳା ଶିକ୍ଷା ବିଭାଗର କ୍ରୀଡା ଶିକ୍ଷକ ପ୍ରଶାନ୍ତ କୁମାର ନାଏକ ଓ ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଥିବା କ୍ରୀଡା ଶିକ୍ଷକଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ନାଏକ ଲିଖିତ ଅଭିଯୋଗ କରିଛନ୍ତି। ଜିଲ୍ଳା ସଂସ୍କୃତି ଅଧିକାରୀଙ୍କ ସହ ସ୍ୱାମୀ ପ୍ରଶାନ୍ତଙ୍କ ପ୍ରେମ ସଂପର୍କ ଗତ ୪ମାସ ହେବ ଗଢି ଉଠିଥିବାବେଳେ ଏହାକୁ ବିରୋଧ କରୁଥିବାରୁ ବିଷ୍ଣୁପ୍ରିୟାଙ୍କୁ ଶାରିରୀକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ସେ ଉଲ୍ଲେଖ କରିଛନ୍ତି। କ୍ରୀଡା ଶିକ୍ଷକ ପ୍ରଶାନ୍ତ ନାଏକ ଜଣେ ଗାୟକ ହୋଇଥିବାରୁ ଜିଲ୍ଳାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ଜିଲ୍ଳା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଅନେକ କାର୍ଯ୍ୟକ୍ରମଗୁଡିକ ପରିବେଷଣ ପାଇଁ ପ୍ରଶାନ୍ତକୁ ଜିଲ୍ଳା ସଂସ୍କୃତି ଅଧିକାରିଣୀ ଅଧିକ ଅନୁକମ୍ପା ଦେଖାଇ ଲକ୍ଷାଧିକ ଟଙ୍କା ପ୍ରଦାନ କରିଛନ୍ତି। ଯାହାକୁ ନେଇ ପ୍ରଶାନ୍ତ ଓ ଜିଲ୍ଳା ସଂସ୍କୃତି ଅଧିକାରିଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଏବେ ଅନୈତିକ ସଂପର୍କ ଯାଏଁ ପଂହଚିଥିବା ବିଷ୍ଣୁପ୍ରିୟା ଅଭିଯୋଗ କରିଛନ୍ତି।
ନିଜ ବୈବାହିକ ଜୀବନରେ ପୂର୍ବରୁ ଖୁସିରେ ରହି ଆସୁଥିବା ବିଷ୍ଣୁପ୍ରିୟା ଏବେ ଜିଲ୍ଳା ସଂସ୍କୃତି ଅଧିକାରିଣୀଙ୍କ ସହ ନିଜ ସ୍ୱାମୀଙ୍କ ସଂପର୍କକୁ ନେଇ ଭାଙ୍ଗି ପଡିଛନ୍ତି। ଜିଲ୍ଳା ସଂସ୍କୃତି ଅଧିକାରୀଙ୍କ ଜନ୍ମ ଦିନରେ ପ୍ରଶାନ୍ତଙ୍କ ଘରେ କେକ୍ କାଟିବାକୁ ମଧ୍ୟ ବିଷ୍ଣୁପ୍ରିୟା ବିରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ପୂର୍ବଭଳି ସଂପର୍କ ରହିଥିବା ବେଳେ ପ୍ରତିବାଦ କଲେ ଶାଶୁ ଭାରତୀ ନାୟକ ମଧ୍ୟ ମାଡ ମାରୁଛନ୍ତି ବୋଲି ଅଭିଯୋଗ କରିଥିବାବେଳେ ଆଜି ଶ୍ରାବଣ ସୋମବାରରେ ବିଷ୍ଣୁପ୍ରିୟା ମନ୍ଦିରକୁ ଯାଇ ଘରକୁ ଫେରିଥିବା ବେଳେ ଶାଶୁ ମୁଖ୍ୟ ଗେଟରେ ତାଲା ପକାଇ ଦେଇ ଘରୁ ବାହାରକୁ ଚାଲିଯିବାକୁ କହିଥିବା ବେଳେ ସ୍ୱାମୀ ପ୍ରଶାନ୍ତ ଉକ୍ତ ବିଷୟରେ ଖବର ପାଇ ମଧ୍ୟ କୈାଣସି ସହଯୋଗ କରି ନ ଥିବାରୁ ଉପାୟ ନ ପାଇ ବିଷ୍ଣୁପ୍ରିୟା ପ୍ରଥମେ ସଖୀ ୱାନ ଷ୍ଟପ୍ ସେଂଟରରେ ଲିଖିତ ଅଭିଯୋଗ କରିଥିବା ବେଳେ ସେଂଟରର ଏଡମିନ୍, କାଉନସେଲରମାନେ ଘଟଣାର ଗୁରୁତ୍ୱକୁ ନେଇ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।
ବିଷ୍ଣୁପ୍ରିୟା ଏ ନେଇ ରାୟଗଡା ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ କ୍ରୀଡା ଶିକ୍ଷକ ପ୍ରଶାନ୍ତ ନାଏକ,ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରୀ ଏବଂ ଶାଶୁ ଭାରତୀ ନାଏକଙ୍କୁ ଥାନାକୁ ଘଟଣା ସଂପର୍କରେ ପଚାରି ବୁଝିବାକୁ ଡକାଯାଇଥିବା ଜଣାପଡିଛି। ପୁଲିସ ଶିକ୍ଷକ ଶ୍ରୀ ନାୟକ ଥାନାକୁ ଆସିବାରୁ ତାଙ୍କୁ ଖୋଜିବାକୁ ଯାଇ ପାଇନଥିବା ଜଣାପଡିଛି। ତେବେ ଅଭିଯୋଗକୁ ଆଧାର କରି ପୁଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଉଲ୍ଲେଖ ଥାଉ କି ସୁଶ୍ମିତା ବାଉରୀଙ୍କ ନାମରେ ଅଭିଯୋଗ ପ୍ରଥମ ନୁହେଁ | କିଛିଦିନ ତଳେ ଜିଲ୍ଲାପାଳ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲା ଓ ବ୍ଲକସ୍ତରୀୟ କଳା ସଂସ୍କୃତିର କମିଟି ଗଠନ କାହିଁକି ହୋଇପାରିନାହିଁ ବୋଲି ପ୍ରଶ୍ନ କରି ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଉପରେ ଜିଲ୍ଲାପାଳ ବର୍ଷିଥିଲେ।