ବ୍ରହ୍ମପୁର : ପତ୍ନୀଙ୍କ ଜୁଇ ଲିଭି ନଥିବା ବେଳେ ୮ ଘଣ୍ଟା ପରେ ଚାଲିଗଲେ ସ୍ବାମୀ। ସାତଜନ୍ମ ଏକାଠି ରହିବା ପାଇଁ ଶପଥ ନେଇଥିବା ବେଳେ ଆଜି ଗୋଟିଏ ଦିନରେ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅଧୀନ କହ୍ନେଇପୁର ପଞ୍ଚାୟତ କହ୍ନେଇପୁର ଗ୍ରାମରେ ଏଭଳି ଏଖ ଦୁଃଖଦ ଘଟଣା ଘଟିଛି। କହ୍ନେଇପୁରର ଖଲିଆ ମହାରଣା (୭୦) ଓ ପତ୍ନୀ ଗୁରୁବାରୀ ମହାରଣା(୬୦) ଏକାଠି ରହୁଥିଲେ। ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ନିଜର ଘର ଖଣ୍ଡିଏ ବି ତିଆରି କରି ପାରି ନଥିଲେ। ଅନ୍ୟ ଗ୍ରାମବାସୀଙ୍କ ଘରେ ଆଶ୍ରୟ ନେଇଥିଲେ।

Advertisment

ତେବେ ଗତ କିଛିଦିନ ହେଲା ବୃଦ୍ଧ ଦମ୍ପତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। କେହି ପୁତ୍ର ସନ୍ତାନ ନଥିବା ବେଳେ ସାନ ଝିଅ ରୀନା ସେମାନଙ୍କ ସେବା କରୁଥିଲେ। ତେବେ ଆଜି ସକାଳ ୮ ଟାରେ ଗୁରୁବାରୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏଥିରେ ଖଲିଆ ଭାଙ୍ଗିପଡ଼ିବା ସହ ‘ମୋତେ ବି ମରଣ ହେଇଯାଉ’ ବୋଲି କହି ଈଶ୍ବରଙ୍କୁ ଡାକିଥିଲେ। ସେପଟେ ଗୁରୁବାରୀଙ୍କ ଶବ ସତ୍କାର ହୋଇଥିବା ବେଳେ ଝିଅ ରୀନା ମୁଖାଗ୍ନି ଦେଇଥିଲେ।
ତେବ‌େ ଠିକ୍ ୮ ଘଣ୍ଟା ପରେ ସ୍ବାମୀ ଖଲି ବି ଆଖି ବୁଜିଦେଇଥିଲେ। ଏହାକୁ ଦେଖି ସମସ୍ତେ ସ୍ତବ୍ଧ ପାଲଟିଯାଇଥିଲେ। ପରେ ଖଲିଙ୍କ ଶବକୁ ପତ୍ନୀ ଗୁରୁବାରୀଙ୍କ ଜୁଇ ପାଖରେ ସତ୍କାର କରାଯାଇଥିଲା। ରୀନା ପୁଣି ମୁଖାଗ୍ନି ଦେଇଥିଲେ। ଏହି ଘଟଣା ଗ୍ରାମ‌ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।