ସ୍ବାମୀଙ୍କ ଶବ ଦାହ ସମୟରେ ସ୍ତ୍ରୀଙ୍କ ବିଦ୍ୟୁତ ଆଘାତରୁ ମୃତ୍ୟୁ

ଡକା ଡକି ହୋଇ ଚାଲିଗଲେ ବୃଦ୍ଧ ଦଂପତି

ରାଇଘର: ବିଧିର ବିଧାନକୁ କିଏ ବା ରୋକି ପାରିବ। ଜନ୍ମ ଜନ୍ମର ସମ୍ପର୍କକୁ ଦ୍ବାହୀ ଦେଇ ସଂସାର ଗଢିଥିବା ଦଂପତି ସତେ ଯେମିତି ଡକା ଡକି ହୋଇ ଦୁନିଆକୁ ଛାଡ଼ି ଚାଲି ଯାଇଛନ୍ତି।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ପଂଚାୟତ ଅନ୍ତର୍ଗତ ଜୁନାନି ଗ୍ରାମରେ। ଉକ୍ତ ଗ୍ରାମର ୬୫ ବର୍ଷୀୟ ବାଲ୍‌ଚନ୍ଦ ଲହରାଙ୍କ ଶବଦାହ ହେଉଥିବା ସମୟରେ ତାଙ୍କ ପତ୍ନୀ ସୁପତୀ ଲହରା (୬୦) ଘରର ବିଦ୍ୟୁତ ସଂଯୋଗ ହୋଇଥିବା ଏକ ଟିଣ କବାଟ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁଯାୟୀ ଗତ କାଲି ଦିନ ପ୍ରାୟ ୩ଟା ସମୟରେ ବାଲ୍‌ଚନ୍ଦ ଲହରାଙ୍କ ସ୍ବାଭାବିକ ମୃତ୍ୟୁ ଘଟିବା ପରେ ଶେଷକୃତ୍ଯ ସଂପନ୍ନ ନିମନ୍ତେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ମଶାଣି କୁ ନେଇ ଶବ ଦାହ କରୁଥିଲେ। ଠିକ୍ ଏହି ସମୟରେ ଗାଁ ର ସମସ୍ତ ସ୍ତ୍ରୀ ଲୋକେ ମଶାଣି ଦେଇ ଗାଧେଇବା ପାଇଁ ବାହାରି ଥିଲେ। ଏହି ଅବସରରେ ବାଲଚନ୍ଦଙ୍କ ପତ୍ନୀ ସୁପତୀ ମଧ୍ୟ ଘର ଟିଣ କବାଟ ବନ୍ଦ କରି  ବାହାରିବା ସମୟରେ ପୁର୍ବରୁ ଏଥିରେ ବିଦ୍ୟୁତ ତାର ସଂଯୋଗ ହୋଇଥିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଫଳରେ ସେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଏହି ଖବର ପରିବାର ଲୋକେ ଜାଣିବା ପରେ ବାଲ୍‌ଚନ୍ଦଙ୍କ  ଶବଦାହ ପରେ ଗତକାଲି ସନ୍ଧ୍ୟାରେ ରାଇଘର ଥାନାରେ ଲିଖିତ ଜଣାଇଥିଲେ। ଆଜି ସକାଳୁ ରାଇଘର ପୁଲିସ ପକ୍ଷରୁ ଥାନା ଏଏସ୍‌ଆଈ ରବିନ୍ଦ୍ର କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ନେଇ ରାଇଘର ଥାନାରେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ କରିଛନ୍ତି। ଗୋଟାଏ ଦିନରେ ଦୁଇ ମୁରବିଙ୍କୁ ହରାଇ  ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି l

ସମ୍ବନ୍ଧିତ ଖବର