ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ା ବାବାମଠିଆ ପଡ଼ାର ସୀତା ଦେବୀ ଚୌହାନ  (୪୯)ଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀ ଗଣେଶ ଚୌହାନ (୫୬)କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଏ ନେଇ ଅଭିଯୁକ୍ତ ଗଣେଶର ମା’ କାନ୍ତିବାଈ ଚୌହାନଙ୍କ ଅଭିଯୋଗ ଭିତ୍ତିରେ ପୁଲିସ୍‌ ଥାନା କେସ ନଂ. ୩/୨୩ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣାଟି ସୋମବାର ରାତି ସାଢ଼େ ୧୧ଟାରେ ଘଟିଛି। ପୁଲିସ କେନ୍ଦ୍ରୀୟ ଚିକିତ୍ସାଳୟରୁ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରି ରଖିଛି।

Advertisment

ପୁଲିସ୍‌ ସୂଚନାନୁସାରେ ଗତକାଲି ରାତିରେ କୌଣସି କଥାକୁ ନେଇ ଗଣେଶ ଓ ସୀତାଙ୍କ ଭିତରେ ଝଗଡ଼ା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଗଣେଶ ହଠାତ ଏକ ଶକ୍ତ ଚାପୁଡ଼ା ମାରିବାରୁ ସୀତା କାନ୍ଥରେ ପିଟି ହୋଇ ଚେତାଶୂନ୍ୟ ଅବସ୍ଥାରେ ଖଟିଆରେ ପଡ଼ିଥିଲେ। ସୀତା ନ ଉଠିବାରୁ ଗଣେଶ ଅନ୍ୟ ଘରେ ଶୋଇଥିବା ମା’ କାନ୍ତିବାଈଙ୍କୁ ଡାକିଥିଲା। କାନ୍ତି ବାଇ ସେଠାରେ ପହଞ୍ଚି ବୋହୂ ସୀତାଙ୍କୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ସୀତାଙ୍କୁ ଚିକିତ୍ସା ପାଇଁ ମଣ୍ଡାଳିଆର ଏମ୍‌ସିଏଲ କେନ୍ଦ୍ରୀୟ ଚିକିତ୍ସାଳୟକୁ ନେଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୀତାଙ୍କ କିଭଳି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନି। ଶ୍ୱାସରୁଦ୍ଧ ଯୋଗୁ ନା ଚାପୁଡ଼ା ମାଡ଼ରେ ମୃତ୍ୟୁ ହୋଇଛି ତାହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଗତ ୪ ମାସ ତଳେ ଗଣେଶର ସାନ ପୁଅ ଉମେଶର ଛୁରି ମାଡ଼ରେ ମଝିଆ ପୁଅ ସୌମେଶଙ୍କ ମୃତ୍ୟୁ ଘଟିଥିଲା। ଉମେଶ ଏବେ ଜେଲ୍‌ରେ ଅଛି। ସେହିପରି ବଡ଼ ପୁଅ ରମେଶ ମଧ୍ୟ ଏକ ଡକାୟତି କେସ୍‌ରେ ଜେଲ୍‌ ଯାଇଛି।