ବଡ଼ବିଲ: ଅଜଣା ଟ୍ରକ୍ ଚାପାରେ ଜଣେ ୪୮ ବର୍ଷୀୟା ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ, ଅଳ୍ପକେ ବର୍ତ୍ତି ଗଲେ ମହିଳାଙ୍କ ସ୍ୱାମୀ। ମିଳିଥିବା ସୂଚନା ଅନୁଯାୟୀ, ରୁଗୁଡ଼ି ଥାନା, ୫୨୦ ନମ୍ବର ଜାତୀୟ ରାଜପଥ ରୁଗୁଡ଼ି ନିକଟରେ ଆଜି ୯. ୩୦ ମିନିଟ ସମୟରେ ଘଟିଥିଲା ଏହି ଦୁର୍ଘଟଣା। ସ୍ଥାନୀୟ ଅଂଚଳର ଜେଏସ ଡବ୍ଲୁ କମ୍ପାନୀର କ୍ୟାଣ୍ଟିନରେ ଠିକା ଶ୍ରମିକ ଭାବେ କାର୍ଯ୍ୟକରୁଥିବା ସ୍ୱାମୀ ନିତ୍ୟାନନ୍ଦ ରଣା(୫୪ବର୍ଷ) ଓ ତାଙ୍କ ସ୍ତ୍ରୀ ଫୁଲବତୀ ରଣା(୪୮ବର୍ଷ) ଆଜି କାମ ସାରି ରୁଗୁଡ଼ିରେ ରହୁଥିବା ଘରକୁ, ୫୨୦ ନମ୍ବର ଜାତୀୟ ରାଜପଥରେ ଚାଲିଚାଲି ଫେରୁଥିଲେ।

Advertisment

ସ୍ୱାମୀ ନିତ୍ୟାନନ୍ଦ ଏକ ସାଇକେଲକୁ ଗଡେଇ ଗଡେଇ ଯାଉଥିବାବେଳେ, ସ୍ତ୍ରୀ ଫୁଲବତୀ ସ୍ୱାମୀ ପଛରେ ଚାଲିଚାଲି ଯାଉଥିଲେ। ଏହି ସମୟରେ ଏକ ଅଜଣା ଟ୍ରକ ପଛପଟୁ ମହିଳାଙ୍କ ଉପରେ ଚଢ଼ି ଯିବାରୁ ସେ ଯଦିଓ ଗୁରୁତର ଆହତ ହୋଇଥିଲେ ସଂଗେ ସଂଗେ ଅନ୍ୟ ଏକ ଅଜଣା ଟ୍ରକ ଦ୍ୱିତୀୟ ଥର ପାଇଁ ଫୁଲବତୀଙ୍କ ଉପରେ ମାଡିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ, ସ୍ୱାମୀ ନିତ୍ୟାନନ୍ଦ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ଘଟାଇଥିବା ଦୁଇଟି ଯାକ ଟ୍ରକ ଫେରାର ହୋଇଯାଇଥିବାବେଳେ, ଉତ୍ୟକ୍ତ ଲୋକେ ୫୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାଯାଇଛି।

ମୃତକ ଫୁଲବତୀ ଓ ସ୍ୱାମୀ ନିତ୍ୟାନନ୍ଦଙ୍କ ଘର ସମ୍ବଲପୁର ଜିଲ୍ଲା ବାମରା ଥାନା ଅନ୍ତର୍ଗତ କୁର୍ମିମୁଣ୍ଡା ଗ୍ରାମରେ ବୋଲି ଜଣାଯାଇଛି। ରୁଗୁଡ଼ି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି।