ସ୍ବାମୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ୧୩ ମାସର ଶିଶୁକନ୍ୟାକୁ ଧରି ପତ୍ନୀ ଫେରାର, ପ୍ରେମିକଙ୍କୁ କଲେ ବିବାହ

ଜଳେଶ୍ଵର: ରୋଗାଗ୍ରସ୍ତ ସ୍ବାମୀ ହସ୍ପିଟାଲର ବେଡ଼ ଉପରେ ପଡ଼ି ମୃତ୍ୟୁ ସହ ଲଢେଇ କରୁଛନ୍ତି। ଆଉ କିଛି ଘଣ୍ଟା ପରେ ତାଙ୍କର ଅସ୍ତ୍ରୋପଚାର ହୋଇଥାନ୍ତା। ଏହି ସମୟରେ ପତ୍ନୀ ସ୍ବାମୀଙ୍କ ସହ ରହିବାର ଆବଶ୍ୟକତା ରହିଛି। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ଡାକିବା ବଦଳରେ ଜଳେଶ୍ଵର ଅଞ୍ଚଳର ଜୈନିକା ପତ୍ନୀ ଆଜି ଜଣେ ଅନ୍ୟ ପୁରୁଷକୁ ବିବାହ କରିଛି।  ସବୁଠାରୁ ଆଶ୍ଚର୍ଯ୍ୟର କଥା ପତ୍ନୀ ଜଣକ ବିବାହ କରୁଥିବା ସମୟରେ ତାଙ୍କ ଦେଢ଼ଶୁର ଓ ନଣଦେଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଉଭୟ ଏହି ଦୃଶ୍ୟ ଦେଖି କାନ୍ଦି ପକାଇଥିଲେ। ପତ୍ନୀ ଜଣକ ବିବାହ କରିବା ପୂର୍ବରୁ ଓକିଲଙ୍କ ସମ୍ମୁଖରେ ସେ ସବୁଦିନ ପାଇଁ ସ୍ବାମୀଙ୍କ ହାତ ଛାଡି ଆଉ ଜଣକୁ ବାହା ହେଉଛନ୍ତି ବୋଲି ହାତ କାଟି ଲେଖି ଦେଇଛନ୍ତି ଓ ବିବାହ ସରିବା ପରେ ସେ ବହୁତ ଖୁସି ବୋଲି ହସି ହସି ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ୱାମୀଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଜଳେଶ୍ଵର ଥାନା ଅଧିନସ୍ଥ ଗୋପିମୋହନପୁର ଅଞ୍ଚଳର ଏହି ଘଟଣା ଏବେ ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ବିବରଣୀରୁ ପ୍ରକାଶ ଗୋପିମୋହନପୁର ଅଞ୍ଚଳର ଜଣେ ଯୁବକ ୨୦୨୦ ମସିହାରେ ବାଲିଆପାଳ ଥାନା କଟିସାହି ସୁନାରୁଇ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ୟା ରହିଛି। ତେବେ ଗତ ସପ୍ତାହ ତଳେ ସ୍ବାମୀଙ୍କ ଦେହ ଗୁରୁତର ଭାବେ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଆଜି ସନ୍ଧ୍ୟାରେ ସ୍ବାମୀଙ୍କ ଅସ୍ତ୍ରୋପଚାର ହେବା କଥା।ତେବେ ପତ୍ନୀ ଜଣକ ରବିବାର ସକାଳେ ଶାଶୁ ଘରୁ ନିଜର ସମସ୍ତ ସୁନା ଗହଣା, ବିଭିନ୍ନ ପରିଚୟ ପ୍ରମାଣପତ୍ର, ୧୩ ମାସର କନ୍ୟାକୁ ଧରି ତାଙ୍କ ସ୍ବାମୀ କିଣି ଦେଇଥିବା ସ୍କୁଟିରେ ଚାଲି ଆସିଥିଲେ। ରାତିରେ କିନ୍ତୁ ସେ ଘରକୁ ନଫେରିବାରୁ ସ୍ବାମୀଙ୍କ ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଲେ ଖଇର୍ଦ୍ଦା ଅଞ୍ଚଳର ଜଣେ ଯୁବକ ସହ ଜଳେଶ୍ଵର ନିକଟସ୍ଥ ଚନ୍ଦନା ନିକଟରେ ମହିଳା ଜଣକ ରହିଛନ୍ତି।

ଆଜି ଅପରାହ୍ନରେ ଏହି ମହିଳାଙ୍କ ଦେଢ଼ଶୁର ଓ ନଣଦେଇ ସେଠାରେ ପହଞ୍ଚି ମହିଳାଙ୍କ ସହ କଥା ହୋଇଥିଲେ। ମହିଳା ଜଣକ ଉକ୍ତ ଯୁବକକୁ ୩ ବର୍ଷ ହେଲା ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ମାନ୍ୟଗଣ୍ୟ ବ୍ୟକ୍ତି ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ବିବାହ କରାଇଥିଲେ। ବିବାହ ପରେ ମହିଳା ଜଣକ ତାଙ୍କ ସାଥିରେ ନେଇ ଯାଇଥିବା ସ୍କୁଟି ଓ ସ୍ବାମୀ କିଣି ଦେଇଥିବା କିଛି ସୁନା ଗହଣାକୁ ସ୍ବାମୀ ପରିବାର ଲୋକଙ୍କ ହାତରେ ଦେଇଥିବା ଜଣା ପଡ଼ିଛି। ବିବାହ ସମୟରେ ଉକ୍ତ ଯୁବକଙ୍କ ମାଆ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ପ୍ରକାଶଯୋଗ୍ୟ ଯେ ଏହି ମହିଳାଙ୍କ ପ୍ରଥମ ବିବାହ ମଧ୍ୟ ପ୍ରେମ ବିବାହ ଥିଲା।

ସମ୍ବନ୍ଧିତ ଖବର