କୁଳିଅଣା: ପତ୍ନୀ ଓ ଶାଶୂଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ଘର ନିକଟ ଲେମ୍ବୁ ବଗିଚାରେ ଶବ ପୋତି ଦେଇଥିଲା। ୧୪ ଦିନ ପରେ ଆଜି ୨ ଗଳିତ ଶବ ମାଟି ତଳୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ ଗିରଫ କରିଛି। ଏପରି ଏକ ଜଘନ୍ୟ ଘଟଣା ସାମନାକୁ ଆସିଛି ମୟୂରଭଞ୍ଜଜିଲ୍ଲା କୁଳିଅଣା ଥାନା ଅଧୀନ ବଡ଼ ନୂଆଗାଁରେ। ବଡ଼ ନୂଆଗାଁ ଗ୍ରାମର ସ୍ବର୍ଗତ ହାଡ଼ିବନ୍ଧୁ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର କୁଳିଅଣା ସିଏଚ୍ସି ଅଧୀନ କୁଆବୁଡ଼ା ସବ୍ସେଣ୍ଟର୍ରେ ସ୍ବାସ୍ଥ୍ୟ କର୍ମଚାରୀ ଭାବେ କାମ କରେ। ପାରିବାରିକ ବିବାଦ କାରଣୁ ପ୍ରଥମ ପତ୍ନୀଙ୍କୁ ସେ ଛାଡ଼ପତ୍ର ଦେଇଥିଲା। ୨ ବର୍ଷ ତଳେ ସେ ସିନ୍ଦୂରଗୌରା ପଞ୍ଚାୟତ ଆମ୍ବଡୁବି ଗ୍ରାମର ସୋନାଲି ଦଳେଇ (୨୪)ଙ୍କୁ ଦ୍ବିତୀୟ ବିବାହ କରିଥିଲା। ସେମାନଙ୍କର ଗୋଟିଏ ଶିଶୁପୁତ୍ର ଅଛି। କିଛିଦିନ ତଳେ ସୋନାଲି ବାପଘରକୁ ଯାଇ ଗତ ୧୨ ତାରିଖ ଦିନ ଶାଶୂଘରକୁ ଫେରିଥିଲେ। ତାଙ୍କ ସହ ମାଆ ସୁମତୀ ଦଳେଇ (୫୫) ମଧ୍ୟ ବୁଲିବା ପାଇଁ ଆସିଥିଲେ। ତେବେ ୨୫ ତାରିଖ ଦିନ ବାପଘର ଲୋକେ ଝିଅ ସୋନାଲି ଓ ସୁମତୀ ନିଖୋଜ ଥିବା କୁଳିଅଣା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଆଜି ସୋନାଲି ଓ ସୁମତୀଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ।
ଥାନା ଆଇଆଇସି ମଧୁମିତା ମହାନ୍ତି ସଦଳବଳ ବଡ଼ ନୂଆଗାଁସ୍ଥିତ ଦେବାଶିଷଙ୍କ ଘରେ ପହଞ୍ଚି ଖୋଳତାଡ଼ କରିଥିଲେ। ଏହି ସମୟରେ ଦେବାଶିଷ ସବୁ ସତକଥା ମାନିଯାଇଥିଲା। ଗତ ୧୫ ତାରିଖ ଦିନ ଘରର ଏକ କୋଠରିରେ ପତ୍ନୀ ସୋନାଲି ଓ ଶାଶୂ ସୁମତୀଙ୍କୁ ପଥର ଛେଚି ହତ୍ୟା କରିବା ପରେ ଲେମ୍ବୁ ବଗିଚାରେ ଗାତ ଖୋଳି ପୋତିଦେଇଥିବା କହିଥିଲା। ଶବ ପୋତିଥିବା ସ୍ଥାନରେ ଅଭିଯୁକ୍ତ କଦଳୀ ଗଛ ମଧ୍ୟ ଲଗାଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କ ଉପସ୍ଥିତିରେ ସଂପୃକ୍ତ ସ୍ଥାନକୁ ଖୋଳାଯାଇ ୧୦ ଫୁଟ ମାଟି ତଳୁ ମାଆଝିଅଙ୍କ ଗଳିତ ଶବ ବାହାର କରାଯାଇଥିଲା। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା ପଠାଯାଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦେବାଶିଷ ଗିରଫ ହୋଇଛି। ଘରୋଇ କଳି ଯୋଗୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି ବୋଲି କୁହାଯାଉଛି। ହତ୍ୟା କରାଯାଇଥିବା କୋଠରିକୁ ରଙ୍ଗ କରାଯିବା ଏବଂ ଶବ ପୋତାଯାଇଥିବା ସ୍ଥାନରେ ମଦ ବୋତଲ, ସିଗାରେଟ୍ ଖୋଳ ପଡ଼ିଥିବା ଦେଖିବାକୁ ମିଳିଛି। ତେଣୁ ହତ୍ୟାକାଣ୍ଡରେ ଦେବାଶିଷ ସହ ଅନ୍ୟ କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।