ମଦ ଉଜାଡ଼ିଲା ସଂସାର, ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସମ୍ବଲପୁର : ପାରିବାରିକ କଳହ ନେଇଛି ଉଗ୍ର ରୂପ। ଏହାକୁ ନେଇ କ୍ଷେତରାଜପୁର ଥାନା ବେହେରାମୁଣ୍ଡା ଠାରେ ଘଟିଯାଇଛି ଏକ ହତ୍ୟାକାଣ୍ଡ। ରାତିରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ। ତାହା ପୁଣି ନିଜ ଶ୍ବଶୁର ଘରେ ଏବଂ ହତ୍ୟା କରିବା ପରେ ସେ ଫେରାର୍‌ ହୋଇଯାଇଛି। ଏ ନେଇ ସୂଚନା ପାଇବା ପରେ କ୍ଷେତରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କ୍ଷେତରାଜପୁର ବେହେରାମୁଣ୍ଡାର ଜୟମତି ରଣା(୨୫) ୯ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହିର ପିଣ୍ଟୁ ମୁଣ୍ଡାଙ୍କୁ ବିବାହ କରିଥିଲେ। ସବୁ କିଛି ଠିକ୍‌ ଥିଲା, ଉଭୟଙ୍କର ୨ଟି ଝିଅ ମଧ୍ୟ ଅଛନ୍ତି। ପିଣ୍ଟୁଙ୍କର କିରାନା ଦୋକାନ ଅଛି, ପରିବାର ବେଶ୍‌ ଖୁସିରେ ଦିନ କାଟୁଥିଲେ। ତେବେ ପିଣ୍ଟୁ ଯେବେଠୁ ମଦ ଅଭ୍ୟାସ କରିଦେଲେ ସେବେଠାରୁ କଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ମଦ ପିଇ ପ୍ରଥମେ ଜୟମତିଙ୍କ ସହ ଝଗଡ଼ା ଏବଂ ପରେ ତାଙ୍କୁ ମାର୍‌ପିଟ୍‌ ବି ଆରମ୍ଭ କରିଥିଲେ। ଏ ନେଇ ଜୟମତି ଅନେକ ଥର ବିରୋଧ ମଧ୍ୟ କରିଥିଲେ। ଉଭୟ ପରିବାର ମଧ୍ୟରେ ଆପୋସ ବୁଝାମଣା ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଯୋଉ କଥାକୁ ସେଇ କଥା। ମଦ ପିଇ ମାର୍‌ପିଟ୍‌ କରିବା ବନ୍ଦ ହେଲା ନାହିଁ। ନିର୍ଯାତନା ଅସହ୍ୟ ହେବାରୁ ୧୫ ଦିନ ତଳେ ଜୟମତି ତାଙ୍କ ମା’ଙ୍କ ଘରକୁ ଚାଲି ଆସିଥିଲେ। ୭ ଦିନ ପୂର୍ବରୁ ପିଣ୍ଟୁ ଶ୍ବଶୁର ଘରକୁ ଆସି ଝଗଡ଼ା କରିଥିଲେ। ଜୟମତି ତାଙ୍କ ସହ ଯିବାକୁ ରାଜି ନହେବାରୁ ପିଣ୍ଟୁ ରାଗିଯାଇ ତାଙ୍କ ଶାଶୂଙ୍କୁ ଘରେ ନିଆଁ ଲଗାଇଦେବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲେ।

ଗୁରୁବାର ବେହେରାମୁଣ୍ଡା ସ୍ଥିତ ଘରେ ଜୟମତି ତଳେ ଓ ତାଙ୍କ ମା’ ଖଟ ଉପରେ ଶୋଇଥିଲେ। ସବୁକିଛି ଶୂନ୍‌ଶାନ୍‌ ଥିବା ବେଳେ ପିଣ୍ଟୁ ରାତି ପାଖାପାଖି ୧ଟାରୁ ୨ ଟା ମଧ୍ୟରେ ସୁନ୍ଦରଗଡ଼ରୁ ବେହେରାମୁଣ୍ଡା ଆସିଥିଲେ। ମୁଣ୍ଡା ହୋଇଯାଇଥିବା ସିମେଣ୍ଟ ପଥର ଧରି ସେ ଘର ଭିତରକୁ ପଶି ଜୟମତିଙ୍କ ଉପରେ କଚାଡ଼ି ଦେଇଥିଲେ। ତୁରନ୍ତ ଘରର ବିଦ୍ୟୁତ୍‌ ସଂଯୋଗକୁ କାଟିଦେଇ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହାପରେ ଜୟମତିଙ୍କ ମାଆ ପାଟିତୁଣ୍ଡ କରିବାରୁ ପଡ଼ାବାସୀ ତାଙ୍କ ଘରକୁ ଆସିଥିଲେ। ତୁରନ୍ତ ପୁଲିସକୁ ସୂଚନା ଦେବା ସହ ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ହତ୍ୟାରେ ବ୍ୟବହାର ହୋଇଥିବା ପଥର ଜବତ କରି ତଦନ୍ତ କରିଛି। ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ବୁର୍ଲା ପଠା ଯାଇଥିଲା। ଅଭିଯୁକ୍ତ ପିଣ୍ଟୁ ଫେରାର୍‌ ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର