ଖଲ୍ଲିକୋଟ: ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ପତ୍ନୀଙ୍କୁ ହତ୍ୟା କରିଛି ସ୍ବାମୀ। ଖଲ୍ଲିକୋଟ ଥାନା କେଶପୁରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସ୍ମିତାରାଣୀ ସାହୁ(୨୩)। ଏହି ମାମଲାରେ ପୁଲିସ ସ୍ବାମୀ ସୁଧୀର କୁମାର ସାହୁ(୩୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି। କେଶପୁର ଛକ ନିବାସୀ ସୁଧୀର ଗତ ପ୍ରାୟ ୪ବର୍ଷ ତଳେ ରମ୍ଭା ଥାନା ଖଜୁରିଆପଲ୍ଲୀର ଭୋଳାନାଥ ସାହୁଙ୍କ ଝିଅ ସ୍ମିତାରାଣୀଙ୍କୁ ବାହା ହୋଇଥିଲେ। ତାଙ୍କର ଦେଢ଼ବର୍ଷର ଝିଅ ଅଛି। ଗତକାଲି ରାତିରେ ଝିଅ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ନେଇ ପରିବାରବର୍ଗ ଖବର ପାଇଥିଲେ। ଏଣୁ ବାପା ଭୋଳାନାଥ ଓ ଅନ୍ୟମାନେ ତୁରନ୍ତ ସେଠାକୁ ଯାଇଥିଲେ। ସ୍ମିତାରାଣୀଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଝିଅକୁ ହତ୍ୟା କରାଯାଇଥିବା ନେଇ ବାପା ଭୋଳାନାଥ ଥାନାରେ ଅଭିଯୋଗ କରିଥିଲେ।
ଭୋଳାନାଥଙ୍କ ଅଭିଯୋଗ ଅନୁସାରେ, ବାହାଘର ପରେ ସୁଧୀର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ। ଏହା ଜାଣିବା ପରେ ସ୍ମିତାରାଣୀ ସମ୍ପୃକ୍ତ ମହିଳାଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିବାକୁ ସ୍ବାମୀଙ୍କୁ କହିଥିଲେ। ଯାହାକୁ ନେଇ ଘରେ ବାରମ୍ବାର ଝଗଡ଼ା ହେଉଥିଲା। ଏପରିକି ଶ୍ବଶୁର ଘର ଲୋକ ସ୍ମିତାରଣୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଅଧିକ ଯୌତୁକ ଦାବି କରିଥିଲେ। ଏଣୁ ବାପା ଭୋଳାନାଥ ୩୦ହଜାର ଟଙ୍କା କରଜ କରି ଝିଅର ଶ୍ବଶୁର ଘର ଲୋକଙ୍କୁ ଦେଇଥିଲେ। ତଥାପି ସେମାନଙ୍କ ଅତ୍ୟାଚାର କମି ନଥିଲା। ଗତ ଜୁନ୍ ୨୭ରେ ସୁଧୀର ତ୍ରିପୁରାରେ ରହୁଥିବା ସମ୍ପୃକ୍ତ ମହିଳାଙ୍କ ପାଖକୁ ଯାଇଥିଲେ। ଏହା ଜାଣିବା ପରେ ସ୍ମିତାରାଣୀ ସ୍ବାମୀଙ୍କ ସହିତ ଝଗଡ଼ା କରିଥିଲେ। ଏହାକୁ ନେଇ ସୁଧୀର ତାଙ୍କ ଝିଅ ସ୍ମିତାରଣୀଙ୍କୁ ହତ୍ୟା କରିଥିବା ନେଇ ଭୋଳାନାଥ ଥାନାରେ ଅଭିଯୋଗ କରିଛନ୍ତି।