୨ ବର୍ଷ ପରେ ରହସ୍ୟ ଭେଦିଲା ପୁଲିସ: ସ୍ୱାମୀଙ୍କୁ ହତ୍ୟା କରିଥିଲା ପତ୍ନୀ

ପ୍ରେମିକ ସହ ମିଶି ଲଗାଇଥିଲେ ନିଆଁ, ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ଗିରଫ, ପତ୍ନୀ ଫେରାର୍‌

ବାଲେଶ୍ବର : ପରକୀୟା ପ୍ରେମରେ ଅନ୍ଧ ହୋଇ ସ୍ତ୍ରୀ ଖାଲି ସ୍ବାମୀ ପ୍ରତି ବିଶ୍ବାସଘାତକତା କଲାନି, ପ୍ରେମିକ ସହ ମିଶି ସ୍ବାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲେଶ୍ବର ସଦର ଥାନା ପୁଲିସ। ଦୀର୍ଘ ୨ ବର୍ଷ ପରେ ହତ୍ୟାକାରୀକୁ ଗିରଫ କରିଥିବା ବେଳେ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ପତ୍ନୀ ଫେରାର ଥିବାରୁ ତାକୁ ଧରିବାକୁ ତନାଘନା ଚଳାଇଛି।

୨୦୧୯ ମସିହା ଡିସେମ୍ବର ୨ ତାରିଖ ବିଳମ୍ବିତ ରାତିର ଘଟଣା। ସଦର ଥାନା ସଲ୍‌ଟରୋଡ୍‌ର ସୁନ୍ଦରୀଠାରେ କୁକୁଡ଼ା ଫାର୍ମ ଓ ମାଛ ଯାଆଁଳ ଫାର୍ମ କରିଥିବା ବ୍ୟବସାୟୀ କୁଶ ଭାରତୀ (୪୯) ନିଜ ଘରେ ପୋଡ଼ି ହୋଇ ପ୍ରାଣ ହରାଇଥିଲେ। ପାରିପାର୍ଶ୍ବିକ ଘଟଣାରୁ ଏହା ଏକ ହତ୍ୟାକାଣ୍ଡ ଭଳି ମନେ ହେଉଥିଲେ ହେଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପୁଲିସ କୁଶଙ୍କ ପତ୍ନୀ, ଝିଅ ଓ ତାଙ୍କ ଫାର୍ମରେ କାମ କରୁଥିବା କର୍ମଚାରୀ ଚାନ୍ଦିପୁର ଅଳାଡ଼ିଆ ଗ୍ରାମର ଲକ୍ଷ୍ମୀଧର ଜେନାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ହେଲେ ସେତେବେଳେ ସତକଥା ସାମ୍‌ନାକୁ ଆସି ପାରିନଥିଲା। ପ୍ରାୟ ୨ ବର୍ଷ ପରେ ଏସ୍‌ପିଙ୍କ ନିର୍ଦେଶ କ୍ରମେ ସଦର ପୁଲିସ ମାମଲାର ପୁଣି ଖୋଳତାଡ଼ କରିଥିଲା। ଶେଷରେ ଏହା ଏକ ଯୋଜନା‌ବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ହତ୍ୟା ଷଡ୍‌ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲେ କୁଶଙ୍କ ପତ୍ନୀ ସତ୍ୟବତୀ। ଫାର୍ମରେ କାମ କରୁଥିବା ଲକ୍ଷ୍ମୀଧର ଓ ସତ୍ୟବତୀ ମିଶି କୁଶଙ୍କୁ ହତ୍ୟା କରିଥିବାର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ପାଇବା ପରେ ପୁଲିସ ଆଜି ଅଭିଯୁକ୍ତ ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ପୁଲିସ କହିବା ଅନୁସାରେ; ସତ୍ୟବତୀ ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିଲା। ତେବେ କୁଶ ଏ କଥା ଜାଣିବା ପରେ ନିଜ ପତ୍ନୀଙ୍କୁ ତାଗିଦ୍‌ କରିବା ସହ ଲକ୍ଷ୍ମୀଧରକୁ କାମରୁ ବାହାର କରିଦେଇଥିଲେ। ହେଲେ ଲକ୍ଷ୍ମୀଧର ଓ ସତ୍ୟବତୀଙ୍କ ସଂପର୍କ ଏତେ ନିବିଡ଼ ହୋଇ ସାରିଥିଲା ଯେ କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଦୁହେଁ ମିଶି କୁଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେମାନେ ତାଙ୍କୁ ଘରର ଏକ କୋଠରୀରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ପୁଲିସ ହତ୍ୟା ବାବଦରେ ବିଶେଷ କିଛି ସୁରାକ୍‌ ପାଇ ନ ଥିଲେ ବି ସତ୍ୟବତୀ ଭୟରେ ବାଲେଶ୍ବର ଛାଡ଼ି କେଉଁଆଡ଼େ ପଳାଇଯାଇଥିଲେ। ଅନ୍ୟପଟେ ପ୍ରମାଣ ଅଭାବରୁ ବାହାରେ ବୁଲୁଥିବା ଲକ୍ଷ୍ମୀଧର ଚଞ୍ଚକତା କରି କୁଶଙ୍କର ସବୁ ସଂପତ୍ତିର ମାଲିକ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର