‘ଛୁଆକୁ ବାପାର ପରିଚୟ ଦେଇ ପାରିଲାନି ବୋଲି…’ ସ୍ୱାମୀକୁ କଟୁରିରେ ହାଣିଲା ସ୍ତ୍ରୀ

ବାଲେଶ୍ବରରେ ହତ୍ୟା, ବାରିପଦାରେ ଆତ୍ମସମର୍ପଣ

ବାଲେଶ୍ବର/ବାରିପଦା : ‘ଘର ଲୋକଙ୍କ ଇଚ୍ଛା ବିରୋଧରେ ୧୨ ବର୍ଷରୁ ପ୍ରେମ କରି ତା’ ସହିତ ରହୁଥିଲି। ୧୪ ବର୍ଷ ବୟସରେ ତା’ ଛୁଆର ମା’ ହେଲି। ମାତ୍ର ଛୁଆକୁ ଦେଇପାରିଲିନି ବାପର ପରିଚୟ। ୨୫ ବର୍ଷ‌ର ସମ୍ପର୍କ ପରେ ମଧ୍ୟ ସେ ଅନ୍ୟତ୍ର ବିବାହ କରି ମତେ ଆଉ ମୋ ଛୁଆକୁ ସାତପର କରିଥିଲା। ଲୋକଙ୍କ ଟାହିଟାପରା, ପରିବାର ଲୋକଙ୍କ ତିରସ୍କାର ସହି ହେଲାନି। ଏଥିରେ ଅତିଷ୍ଠ ହୋଇ ଶୋଇଥିବା ଅବସ୍ଥାରେ ତାକୁ କଟୁରିରେ ହାଣି ମାରିଦେଲି।’ ବାଲେଶ୍ବର ସହଦେବଖୁଣ୍ଟା ମଡେଲ ଥାନା ଅନ୍ତର୍ଗତ ଗୁଡ଼ିପଦାରେ ନିଜ ସ୍ବାମୀଙ୍କୁ ହତ୍ୟା କରି ବାରିପଦା ସଦର ଥାନାରେ ଆତ୍ମସମର୍ପଣ କଲାପରେ ଏହାଥିଲା ସ୍ବାମୀ ହତ୍ୟାକାରୀଙ୍କ ବୟ‌ାନ। ଏ କଥା ପ୍ରକାଶ କଲାବେଳେ ତାଙ୍କ ମନରେ ଆଦୌ ଅନୁଶୋଚନା କି ଅନୁତାପ ନଥିଲା।

ହତ୍ୟାର ଶିକାର ହୋଇଛନ୍ତି ବାରିପଦା ସଦର ଥାନା ଶିରିଷବଣୀ ଗ୍ରାମର ବଢ଼ା ମାରାଣ୍ଡି (୪୮)। ହତ୍ୟାକାରୀ ପତ୍ନୀ ହେଉଛନ୍ତି ସେହି ଗ୍ରାମର ସୀତା ହେମ୍ବ୍ରମ୍‌ (୪୩)। ସୂଚନା ମୁତାବକ, ଉଭୟ ବଢ଼ା ଓ ସୀତା ଦୀର୍ଘବର୍ଷ ଧରି ସ୍ବାମୀ-ସ୍ତ୍ରୀ ଭାବେ ଚଳିଆସୁଥିଲେ। ବଢ଼ା ବାଲେଶ୍ବର ଏଫ୍‌ସିଆଇ ଗୋଦାମରେ ଜଗୁଆଳି ଭାବେ ଚାକିରି କରିଥିଲେ। ମାତ୍ର ବଢ଼ା ଦ୍ବିତୀୟ ବିବାହ କଲା ପରେ ସୀତା ଓ ତାଙ୍କ ସନ୍ତାନଙ୍କୁ ହତାଦର କରୁଥିଲେ ବୋଲି କହିଛନ୍ତି ସୀତା। ଏହାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗୁଥିଲା। ସେପଟେ ପ୍ରେମ କରି ବଢ଼ା ସହିତ ସଂସାର କରିଥିବା ସୀତାଙ୍କର ନିଜ ବାପଘର ଲୋକଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ନଥିଲା। ଫଳରେ ପ୍ରତିଶୋଧପରାୟଣ ହୋଇ ଆଜି ଭୋର୍‌ ସମୟରେ ବଢ଼ା ଶୋଇଥିବା ବେ‌ଳେ ସୀତା ତାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ହତ୍ୟା କରିବା ପରେ ବାହାର ପଟୁ କବାଟ ବନ୍ଦ କରି ସୀତା ବାଲେଶ୍ବର ଷ୍ଟେସନ୍‌ରୁ ଟ୍ରେନ୍‌ ଯୋଗେ ପ୍ରଥମେ ରୁପ୍‌ସା ଆସିବା ପରେ ପୁଣି ଟ୍ରେନ୍‌ ଯୋଗେ ବାରିପଦା ଆସିଥିଲେ। ଷ୍ଟେସନ୍‌ରୁ ଚାଲିଚାଲି ବାରିପଦା ସଦର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ।

ବଢ଼ା ଓ ସୀତା ବାଲେଶ୍ବର ଗୁଡ଼ିପଦା ବସ୍ତିର ତପନ ସିଟ୍‌ଙ୍କ ବିଲ୍ଡିଂରେ ଗତ ଦୁଇମାସ ହେଲା ଭଡ଼ାରେ ରହୁଥିଲେ। ସେହି ବିଲ୍ଡିଂରେ ରହୁଥିବା ତାଙ୍କର ଅନ୍ୟଜଣେ ସହକର୍ମୀ ଛୋଟରାୟ ମୁର୍ମୁଙ୍କ କହିବା ଅନୁସାରେ, ଗତକାଲି ବଢ଼ାଙ୍କର ତାଙ୍କ ସହ ରାତି ଡ୍ୟୁଟି ଥିଲା। ଡ୍ୟୁଟିରେ ଥିବାବେଳେ ସେ ପ୍ରାୟ ସାଢ଼େ ୧୦ଟା ବେଳେ ଘରକୁ ଖାଇବାକୁ ଯାଇଥିଲେ। ପରେ ଡ୍ୟୁଟିକୁ ନ ଫେରିବା ଦେଖି ସକାଳେ ଛୋଟରାୟ ନିଜ ସ୍ତ୍ରୀକୁ ଫୋନ୍‌ କରି ବଢ଼ା ଘରେ ଅଛନ୍ତି କି ନାହିଁ ଦେଖି ଆସିବାକୁ କହିଥିଲେ। ମାତ୍ର ବଢ଼ାଙ୍କ କବାଟ ବନ୍ଦଥିବା ଦେଖି ତାଙ୍କ ସ୍ତ୍ରୀ ଛୋଟରାୟଙ୍କୁ ଖବର ଦେବାରୁ ସେ ଏଫ୍‌ସିଆଇର କିଛି କର୍ମଚାରୀଙ୍କୁ ସାଙ୍ଗରେ ଧରି ସେଠାକୁ ଆସି କବାଟ ଖୋଲିବା ପରେ ବଢ଼ାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥିସହ ମୃତଦେହ ନିକଟରେ ଏକ ରକ୍ତଭିଜା କଟୁରି ପଡ଼ିଥିଲା। ପରେ ଘଟଣାସ୍ଥଳରେ ବାଲେଶ୍ବର କ୍ରାଇମ୍‌ ଡିଏସ୍‌ପି ମନୋଜ ରାଉତ, ସହଦେବଖୁଣ୍ଟା ମଡେଲ ଥାନା ଆଇଆଇସି ପରେଶ ରାଉତ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ରକ୍ତଭିଜା କଟୁରିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ବଢ଼ାଙ୍କ ଭାଇ ଧନୁର୍ଜୟ ମାରାଣ୍ଡିଙ୍କ ଅଭିଯୋଗ କ୍ରମେ କେସ୍ ନଂ ୩୯୧/୧୯ରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ହତ୍ୟାକାରୀ ସୀତା ପୁଲିସ ହେପାଜତରେ ଥିବା ବାରିପଦା ସଦର ଏସ୍‌ଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର